Unknown

 

 

 

 

 

 

 

 

 

 

 

ବସନ୍ତର ମୋହ

ଶ୍ରୀ ରବିନାରାୟଣ ମହାପାତ୍ର

 

ଉତ୍ସର୍ଗ

 

ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମହାପାତ୍ର,

ଏମ୍, ଏସ୍. (ଇଞ୍ଜିନିଅରିଂ) ଆମେରିକା

 

ପୂଜ୍ୟପାଦ କକେଇ,

 

ଆପଣ ଆମେରିକାରେ କୃତୀତ୍ୱର ସହିତ ସର୍ବୋଚ୍ଚ ବିଶ୍ୱବିଦ୍ୟାଳୟ ଉପାଧି ହାସଲ କରି, ସମୃଦ୍ଧିଶାଳୀ ସେଇ ଦେଶରେ ଓଡ଼ିଆ ଭାଷା ସମ୍ପର୍କରେ ‘‘ଓଡ଼ିଆ ହୋମ’’ ଅନୁଷ୍ଠାନ ସ୍ଥାପନ କରି ଆସିଛନ୍ତି । ଓଡ଼ିଶାରୁ ମଧୁବାବୁଙ୍କ ବର୍ଣ୍ଣବୋଧ ମଗାଇ ଆମେରିକାନ୍ ବନ୍ଧୁମାନଙ୍କୁ ଓଡ଼ିଆ ଭାଷା ଶିଖାଇଛନ୍ତି । ବୈଷୟିକ ଶିକ୍ଷାରେ ଆକୃଷ୍ଟ ହୋଇ ନବଭାରତର ଗଠନ ନିମିତ୍ତ ଆପଣ ଉଦ୍‍ବୁଦ୍ଧ ହେଲେ ମଧ୍ୟ ମାତୃଭାଷାର ଆହ୍ୱାନ ଆପଣ ଭୁଲିପାରି ନାହାନ୍ତି ।

 

ମାତୃଭୂମିକୁ ଫେରିବା ପଥରେ ଆପଣ ଲଣ୍ଡନ, ପାରିସ୍ ପ୍ରଭୃତି ଆଧୁନିକ ବିଶ୍ୱର ସମୃଦ୍ଧିଶାଳୀ ନଗରୀ ଦେଖିଆସିଲେ । ତଥାପି ସେ ଦେଶର ସଂସ୍କୃତିକୁ ଅନ୍ଧ ଭାବରେ ତ ଆପଣ ଅନୁସରଣ କରି ନାହାନ୍ତି । ଆପଣଙ୍କ ଜୀବନରୁ ମୋର ଏଇ ଶିକ୍ଷା ଯେ ଯେକୌଣସି ବୃତ୍ତିରେ ଥାଇ ମଧ୍ୟ ମାତୃଭାଷାର ଉନ୍ନତି ପାଇଁ କାର୍ଯ୍ୟ କରିହେବ । ଜଗଜ୍ଜନନୀର ଏହି ପୂଜା ଅବସରରେ ମୋର ଏଇ କାହାଣୀ ସଞ୍ଚୟନଟି ଆପଣଙ୍କୁ ସମର୍ପଣ କରୁଛି କକେଇ !

 

ଆଜ୍ଞାଧୀନ

ରବି

 

ମୁଖବନ୍ଧ

 

ଆଧୁନିକ ଓଡ଼ିଆ ସାହିତ୍ୟର ବହୁମୁଖୀ ବିକାଶ ପାଇଁ ଏଇ ମାଟିର କ୍ରମବର୍ଦ୍ଧିଷ୍ଣୁ ପାଠକ ସମାଜ ଆଗ୍ରହଶୀଳ । ଏଇ ଆଗ୍ରହର ସୁଯୋଗ ଗ୍ରହଣ କରି, ଏ ଦେଶର ସାହିତ୍ୟ ସାଧକମାନେ ନିରବଚ୍ଛିନ୍ନ ପରିଶ୍ରମ କରିବା ଆବଶ୍ୟକ । ସାହିତ୍ୟର ମାନ ହ୍ରାସ ନ କରି ସାହିତ୍ୟକୁ ଚିତ୍ତାକର୍ଷକ କରିବାକୁ ହେବ । ନିଜର ଖିଆଲ ଅନୁଯାୟୀ ସାହିତ୍ୟ ସୃଷ୍ଟି କରିବାର ଅଧିକାର ସାହିତ୍ୟିକର ଯେପରି ଅଛି, ପାଠକର ମଧ୍ୟ ସେପରି ଅଧିକାର–ସେ ପଢ଼ିବ କ’ଣ ?

 

ସେ ଦୃଷ୍ଟିରୁ ବିଚାର କରି ପେଶାଦାରୀ ଓ ସୌଖୀନ ସାହିତ୍ୟିକମାନଙ୍କ ମଧ୍ୟରେ ଏକ ଚୁକ୍ତି ହେବା ଆବଶ୍ୟକ । ପରସ୍ୱାପହରଣ କରି ଅର୍ଥ ଉପାର୍ଜନ କରାଯାଇପାରେ, ସରସ୍ୱତୀଙ୍କ ପୂଜା ନୁହେଁ ।

 

ଏହି ସଙ୍କଳନ ପ୍ରକାଶ ପାଇଁ ଶ୍ରୀମତୀ ମୈତ୍ରେୟୀ ଦେବୀ, ପଶ୍ଚିମବଙ୍ଗ, ଶ୍ରୀ କେ. ଏମ୍. ଜର୍ଜ, ଦିଲ୍ଲୀ, ଶ୍ରୀ ସୁନ୍ଦରଜୀ ବେଟାଇ, ବମ୍ୱେ, ଔପନ୍ୟାସିକା ଶ୍ରୀମତୀ ବସନ୍ତ କୁମାରୀ ପଟ୍ଟନାୟକ, କଟକ । ଶ୍ରୀମତୀ ଡବ୍ଲୁ.ଏଚ୍. ଫିସର୍, ଲକ୍ଷ୍ମୌ ପ୍ରମୁଖଙ୍କ ପ୍ରେରଣା ସ୍ମରଣ କରୁଚି । ସାହିତ୍ୟ ସଂସଦର ବନ୍ଧୁ ଶ୍ରୀ ରବୀନ୍ଦ୍ରନାରାୟଣ ମିଶ୍ର, ଶ୍ରୀ ବିଭୂତିଭୂଷଣ ରାଉତ, ଶ୍ରୀ ପ୍ରମୋଦାନନ୍ଦ ରଥ ପ୍ରମୁଖଙ୍କ ଉତ୍ସାହରେ ମୁଁ ଅଭିଭୂତ ହୋଇଚି । ଏ ବହିର ସମସ୍ତ ଲାଭାଂଶ ‘‘ସାହିତ୍ୟ ସଂସଦ’’ ପାଣ୍ଠିକୁ ଅର୍ପଣ କରାଯିବ !

 

ଲେଖକ

 

ମିଥୁନ-ପ୍ରକାଶନୀ

 

ମିଥୁନ ? –ଧର୍ମ ଓ କର୍ମ, ବିସର୍ଜନ ଓ ପ୍ରତିଷ୍ଠା, ଶାନ୍ତି ଓ କଲ୍ୟାଣୀ, କଳ୍ପନା ଓ ବାସ୍ତବ, ପରିଶ୍ରମ ଓ ସଂକଳ୍ପ । ସୁନାର ଓଡ଼ିଶାକୁ ବିଶ୍ୱରେ ପରିଚିତ କରାଇବାକୁ ଦୃଢ଼ପ୍ରତିଜ୍ଞ । ସାହିତ୍ୟ ସାଧକ ଓ ଲକ୍ଷ ଲକ୍ଷ ପାଠକମାନଙ୍କର ସହଯୋଗରେ ଏ ସଂକଳ୍ପ ସିଦ୍ଧି ହେବ । ବିଶ୍ୱ ସାହିତ୍ୟ ଦରବାରରେ ଆଧୁନିକ ଓଡ଼ିଆ ସାହିତ୍ୟ ପ୍ରତିଷ୍ଠିତ ହେବ ।

 

କବି ରବିନାରାୟଣ ମହାପାତ୍ରଙ୍କ ଏଇ କାହାଣୀଗୁଡ଼ିକ ବିଭିନ୍ନ ସମୟର । ସେଇଗୁଡ଼ିକୁ ଏକାଠି କରି, ଏହି ସଞ୍ଚୟନଟି ଓଡ଼ିଶାର ହଜାର ହଜାର ପାଠକ ସମାଜ ହାତରେ ଭେଟି ଦଉଚୁ–ବିଜୟାର ଉପହାର !

 

ଶ୍ରୀ ସତ୍ୟନାରାୟଣ ମହାପାତ୍ର, ବି.ଏ.

ସଂପାଦକ, ମିଥୁନ ପ୍ରକାଶନୀ

କଟକ–୧

Image

 

କନକ ମିଶ୍ର

 

ମତେ ଆପଣ ଚରିତ୍ରହୀନା କହି ପାରିଲେ ? ନାରୀ ଜୀବନର ସମସ୍ତ ବାସନାର ଏକ ସମାହାର ନେଇ ମୁଁ ଆସିଥିଲି । ମୋର ପ୍ରିୟତମ, ମୋର ସପନର ରାଜକୁମାର, ଆଜି ମୋତେ ଚରିତ୍ରହୀନାର ଗୌରବ ଦେଇଚି । ନା-ନା–ମୁଁ ସହ୍ୟ କରିପାରେନା । ହୃଦୟ ମୋର ଫାଟି ଯାଉଛି ଦୁଃଖରେ । ଯେଉଁ ଅଧରରୁ ମୁଁ ଆଶା କରିଥିଲି ଅମୃତସିକ୍ତବାଣୀ–ସେ ଆଧରରୁ ମୋର ଅବମାନନା–ମୋର ଚରିତ୍ରର ଅବମାନନା–ଅପମାନ–ମୁଁ ସହ୍ୟ କରିପାରୁନି | ମୋତେ ଏପରି ଆଘାତ ଦିଅନା ଯୁବରାଜ–ନାରୀର କୋମଳ ପ୍ରାଣନେଇ ଏପରି ଆଘାତ ମୁଁ ସହ୍ୟ କରିପାରୁନି । ଏ ଏକ ସୃଷ୍ଟିର ବିଡ଼ମ୍ବନା । ମହାକାଳର ଏ କ୍ରୁର ପରିହାସ କାହିଁକି ? ଉତ୍କଳର ରାଜଜେମା ଯାହାର ସୌନ୍ଦର୍ଯ୍ୟ ଗାନରେ ଆଜି ମତ୍ତ ଆକୁମାରୀ-ହିମାଚଳ–ସେଇ କଳିକାଟିକୁ ପଦଦଳିତ କରିଦିଅନା ଯୁବରାଜ ! ସେଥିରେ କଣ ତୁମର ପୁରୁଷତ୍ୱର ଗୌରବ ହେବ ।

 

‘‘ମୁଁ କ’ଣ କରିପାରେ ରାଜଜେମା ? ମୁଁ ନାଚାର । କର୍ତ୍ତବ୍ୟର ନାଗଫାଶରେ ମୁଁ ବନ୍ଦୀ । କର୍ତ୍ତବ୍ୟର ନିର୍ମମ ରାଜପଥରେ ସ୍ନେହ ପ୍ରୀତିର ସ୍ଥାନ ନାହିଁ । ଅବଶ୍ୟ ମୁଁ ତରୁଣ । ତାରୁଣ୍ୟ ମୋର ପ୍ରତି ଶିରାରେ ତାର ଝଙ୍କାର ତୋଳୁଚି । କିନ୍ତୁ କ’ଣ କରିବ ମୁଁ ? ବଂଶର ଗାରିମାରେ କଳଙ୍କର କଳା ବୋଳି ତମେ କ’ଣ ପ୍ରଣୟ କାମନା କରିପାର ? ଗଜପତି ରାଜମୁକୁଟର ଦୁହିତାଠାରୁ ଏହା ଆଶା କରାଯାଏନି ରାଜଜେମା । କ’ଣ କହିବ ଏ ଦୁନିଆ ? (...) ଓ ଶୃଙ୍ଖଳାର ଶାସନ ବିଧ୍ୱସ୍ତ ହେବ । ଭବିଷ୍ୟତ ବଂଶଧରମାନେ ନିନ୍ଦା କରିବେ । ଗଜମୁକୁଟର ଆସନ ବଡ଼ ଦୁର୍ଗମ ପଥରେ ତାର ଆସ୍ଥାନ ବାଛି ନେଇଛି । ଇତିହାସର ଏ ବାଣୀକୁ ଭୁଲିଯାଅ ନାହିଁ ରାଜଜେମା ! ବ୍ୟକ୍ତିଗତ ରୁଚିର ବିନାଶରେ ରାଜମୁକୁଟ ଆସନ ସୁଦୃଢ଼ । ଫେରିଯାଅ, ରାଜଜେମା–ଏ ପ୍ରଣୟ ମୋର କାମ୍ୟ ନୁହେଁ । ନୁହେଁ–ନୁହେଁ -ନୁହେଁ -’’

 

‘‘ନାରୀର ଦୃଦୟ ବୁଝିବାକୁ ଚେଷ୍ଟା କରିନାହାନ୍ତି ଯୁବରାଜ ! ବଂଶର ଗାରିମାରେ କଳଙ୍କ ଆରୋପ କରିବା ମୋର ଅଭିଳାଷ ନୁହେଁ, କ’ଣ କରିବି ? ମୋର ନାରୀତ୍ୱ ମୋତେ ବାଧ୍ୟ କରିଚି–ମୁଁ ଏକ ଅସହାୟ ଶିକାର । ସହସା ରଣାଙ୍ଗନରେ ଆପଣଙ୍କ ପରିଚୟ ମୋତେ ପ୍ରଲୁବ୍‌ଧ କରିଛି । କିନ୍ତୁ ଆପଣ ମୋତେ ନିରାଶ କଲେ । ମୁଁ ହିନ୍ଦୁନାରୀ -ଥରେ ମୁହଁ ଖୋଲି ନିଜର ଅଭିଳାଷ ଯେଉଁଠି ବ୍ୟକ୍ତ କରିଚି–ତାର ପ୍ରତ୍ୟାହାର ମୋ ଜୀବନରେ ଅସମ୍ଭବ । ନାରୀର ଅନ୍ୟ ପନ୍ଥା ମୁଁ ବରଣ କରିନେବି । ‘‘ମୁହଁରେ ବିଷାଦର ଘନକୃଷ୍ଣଛାୟା । ରାଜଜେମାଙ୍କ ଆଖିରୁ ବିନ୍ଦୁ ବିନ୍ଦୁ ଲୁହ ଝରିପଡ଼ୁଛି । ଦର୍ଶକ ମଣ୍ଡଳୀ ସ୍ତବ୍‌ଧା ।’’

 

କିଏ ? କିଏ ଏଇ ରାଜଜେମା ? ରାଜଜେମାର ଚରିତ୍ରରେ ଫୁଟାଇ ପାରିଚି ଲାଳିତ୍ୟ । ରାଜଜେମା ନନ୍ଦିକାର ଚରିତ୍ରରେ କଳଙ୍କ ଆରୋପ କରି ରାଧାନାଥଙ୍କର ବିଷୟବସ୍ତୁକୁ ଆଧାରକରି– କିଏ ଫୁଟାଇଚି ଏଇ ତରୁଣୀ ରାଜଜେମାର ଭୂମିକାରେ ନାରୀତ୍ୱର ଅସହାୟ ପରସ୍ଥିତି । ଓଡ଼ିଶା ରାଜବଂଶର ଏକ ଅପକୀର୍ତ୍ତି । ଏ ପ୍ରଶ୍ନ ଗଜେଇ ଉଠିଛି, ଯୁବ–ସାହିତ୍ୟିକ ସୂର୍ଯ୍ୟକାନ୍ତର ବୁକୁ–ରାଜ୍ୟରେ । ତାର ମନ ଓ ବିବେକ ଚିତ୍କାର କରି ଉଠୁଛି । ଏପରି ଅଭିନୟ ସୌଖୀନ କଳାକାର ପକ୍ଷରେ କ’ଣ ସମ୍ଭବ ? ରାଜଜେମା ପାଇଁ ଅଲକ୍ଷିତରେ ସେ ଆକୃଷ୍ଟ । କି ସୁନ୍ଦର ! କି ସୁନ୍ଦର କରୁଣ ଅଭିବ୍ୟକ୍ତି । ଯୁଗେ ଯୁଗେ ଏ ଦେଶର ନାରୀ–ଶକ୍ତିଦେବୀ ଏପରି ଅନୁନୟ କରିଚି ପୁରୁଷର ପଦପ୍ରାନ୍ତରେ । ନାରୀଜୀବନର ଏକମାତ୍ର ପାଥେୟ, ନନ୍ଦନ, ଅଶ୍ରୁ ଓ ହାହାକାରକୁ ସମ୍ବଳ କରି ।

 

ସୂତ୍ରଧର ଘୋଷଣା କରୁଚି । ରାଧାନାଥଙ୍କ ନନ୍ଦିକା ଚରିତ୍ର ଏକ କାଳ୍ପନିକ ଚରିତ୍ର ବୋଲି ସାହିତ୍ୟ ସମାଲୋଚକମାନେ କହନ୍ତି । ସେମାନଙ୍କ ମତରେ ରାଜଜେମା ଆକୃଷ୍ଟ ହୋଇଥିଲେ ଯୁବରାଜ ଚୋରଗଙ୍ଗଙ୍କ ପ୍ରତି । ସହସା ରଣାଙ୍ଗନରେ ଯୁବରାଜ ବେଶରେ ସଂଗ୍ରାମ ପରିଚାଳନା କଲାବେଳେ ଯୁବରାଜ ଚୋରଗଙ୍ଗଙ୍କ ବୀରତ୍ୱ ତାଙ୍କ ନାରୀତ୍ୱକୁ ବିଚଳିତ କରିଥିଲା । ସେ ନିର୍ଜନ ରାତ୍ରିରେ ଚୋରଗଙ୍ଗ ଶିବିର ଅତର୍କିତ ଭାବରେ ଆକ୍ରମଣ କରି ବିଜୟିନୀ ହେଲେ । ଦ୍ୱନ୍ଦ୍ୱ ଯୁଦ୍ଧରେ ଚୋରଗଙ୍ଗଙ୍କୁ ସେ ପରାସ୍ତ କଲେ । ବିଜୟର ଟୀକା ଲାଭପରେ–ତାଙ୍କ ନାରୀତ୍ୱ ତା ଦାବି ଉପସ୍ଥାପିତ କଲା ! ପରାଜୟର ଗ୍ଳାନିରେ ଯୁବରାଜ ପ୍ରତ୍ୟାଖ୍ୟାନ କରନ୍ତେ ବୀର ରାଜବାଳା ମୃତ୍ୟୁବରଣ କଲେ । ତଥାପି ମାନବୀୟ ଚିନ୍ତାଧାରାରୁ ରାଧାନାଥଙ୍କ କାବ୍ୟ ଯଥାର୍ଥ । କବିବର ଚରିତ୍ରଗୁଡ଼ିକର ଐତିହାସିକ ନାମକରଣ କରି ଏ ମତଭେଦର ଶିକାର ହୋଇଛନ୍ତି । –ରାଜକୁମାର କଳା ସଂସଦର ଏ ନାଟକ ଶେଷ ହେଲା ।–କବିବରଙ୍କ ଏ କାବ୍ୟକୁ ନାଟ୍ୟରୂପ ଦେଇଥିବାରୁ–ନାଟ୍ୟକାର ଗୋପାଳ ଛୋଟରାୟଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । କଳା ସଂସଦର ସାଥିମାନଙ୍କ ସହଯୋଗ ମୁଁ ସ୍ମରଣ କରୁଚି । ଶେଷରେ–ସୁନ୍ଦର ଅଭିନୟ, ନନ୍ଦିକା ଭୂମିକାରେ କରିଥିବାରୁ ଯୁବ ସାହିତ୍ୟିକ ଓ ‘‘ସଙ୍ଗମ’’ ମାସିକପତ୍ରର ସମ୍ପାଦକ ସୂର୍ଯ୍ୟକାନ୍ତ ମହାପାତ୍ର କୁମାରୀ କନକ ମିଶ୍ରଙ୍କୁ ଏକ ରୌପ୍ୟ ପଦକ ଓ ନଗଦ ଏକଶତଟଙ୍କା ଦାନ କରିଛନ୍ତି ।

 

ରଙ୍ଗମଞ୍ଚରେ କୁମାରୀ କନକ ମିଶ୍ର, ସଂସଦର ସମ୍ପାଦକଙ୍କ ଠାରୁ ଘନ ଘନ କରତାଳି ମଧ୍ୟରେ ପୁରସ୍କାର ଗ୍ରହଣ କଲେ । ଦର୍ଶକମଣ୍ଡଳୀଙ୍କୁ ଭକ୍ତିର ନମସ୍କାର ଜ୍ଞାପନ କଲାପରେ ଯବନିକା ପତନ ହେଲା । ସେଦିନର ସାନ୍ଧ୍ୟ-ଉତ୍ସବ ଶେଷ ହେଲା । ସାହିତ୍ୟିକ ସୂର୍ଯ୍ୟକାନ୍ତ ଅନ୍ୟମନସ୍କ ହୋଇ ପଡ଼ିଥିଲେ । ଭାବନାର ତରଙ୍ଗ ତାଙ୍କ ମନ-ବେଳାଭୂମିରେ ଚିତ୍କାର କରୁଛି । ମନୁଷ୍ୟ–ଭଗବାନଙ୍କ ରାଜ୍ୟରେ ଶ୍ରେଷ୍ଠ ସୃଷ୍ଟି । ନିଜର ବୁଦ୍ଧି ଓ ବିବେକ ବଳରେ ପ୍ରକୃତି ବିରୁଦ୍ଧରେ ଯୁଦ୍ଧ କରି ସେ ଗଢ଼ିଛି ନିଜର ଜୀବନ । ସେ ଜୀବନରେ ଢେଉ ତୋଳି ଆସେ ଯୌବନ ।

 

ଯୌବନର ମାଦକ ନିଶାରେ ମାତାଲ ହୋଇ କେତେ କେଦାର ମୃତ୍ୟୁକୁ ଚୁମ୍ବନ କରନ୍ତି-। କେତେ ଉଷା ପ୍ରତିଦ୍ୱନ୍ଦ୍ୱୀକୁ ଆହ୍ୱାନ କରନ୍ତି । କେତେ ବିମଳା ଛଦ୍ମବେଶୀ ଯଯାତିର ଅପେକ୍ଷା ରଖନ୍ତି, କିନ୍ତୁ ପ୍ରଣୟ ମରିପାରେନା । ପଥରଯୁଗର ମନୁ, ଶତରୂପାର ପ୍ରଣୟ ଏବେ ମଧ୍ୟ ମାନବ ସମାଜରେ ବିଞ୍ଚିଛି । ସଭ୍ୟତାର ରଥଚକ୍ର ଗଡ଼ି ଚାଲିଛି । ମନୁଷ୍ୟ ସଭ୍ୟ ହୋଇଛି । ଏ ସଭ୍ୟତା ପରିଚ୍ଛଦର । ଅନ୍ତରର ଆଦିମ ପ୍ରବୃତ୍ତି ସନାତନ ବିଜୟର ଗାରିମା ପ୍ରଚାର କରୁଛି । ମଦନର ମୃତ୍ୟୁ ନାହିଁ–ପ୍ରେମର ମୃତ୍ୟୁ ନାହିଁ–ସେ ମୃତ୍ୟୁଞ୍ଜୟ, ସେ ସଦାଶିବ । ସେଇ ପ୍ରେମର ଏକ ସୁନ୍ଦର କାହାଣୀ ନନ୍ଦିକେଶ୍ୱରୀ । ଇତିହାସ ଚରିତ୍ରକୁ କିମ୍ବଦନ୍ତୀର ମାଧ୍ୟମରେ କଳ୍ପନା କରିବା ଭୟଙ୍କର ହେଲେ ବି–ନାରୀଜୀବନର କରୁଣ କାହାଣୀ–ନନ୍ଦିକେଶ୍ୱରୀ । ରାଜଜେମା ଯୁବରାଜଙ୍କ ଚରଣ ପ୍ରାନ୍ତରେ ଅର୍ଘ୍ୟ ବାଢ଼ିଚି ତାର ଯୌବନ–ବିଜୟୋନ୍ମତ୍ତ ଚୋରଗଙ୍ଗଙ୍କ ପ୍ରତ୍ୟାଖ୍ୟାନ ଉଦ୍ଭାସିତ କରିଚି ନନ୍ଦିକାର ଶେଷ ଚିତାଗ୍ନି ।

 

ଭାବନାର ଏ ପରିଧିରୁ ଭାସିଆସୁଚି–ଏକ ସୁନ୍ଦର ନାରୀମୂର୍ତ୍ତି । କୁମାରୀ କନକ ମିଶ୍ର । କଳାକାର କନକ ମିଶ୍ରର ଛବି । ଏତେ ସୁନ୍ଦର ହୋଇପାରେ ସେ ? ନନ୍ଦିକା ଭୂମିକାରେ ସାର୍ଥକତାର ଅଭିନୟ । ଚମକି ପଡ଼ିଲେ ସୂର୍ଯ୍ୟକାନ୍ତ । ସାହିତ୍ୟିକର ମରୁଜୀବନରେ ସେଇ ହିଁ କବିତାର ସୁଧାଧାରା । ସୁନ୍ଦର -ସୁନ୍ଦର ତାର ମୁଖମଣ୍ଡଳ । ଚିବୁକରେ ଏକ ତିଳ । ନୟନର ପ୍ରତି ପଲକପାତରେ ସେ ସୃଷ୍ଟି କରେ ମନ୍ଦାକ୍ରାନ୍ତା ଛନ୍ଦ । ସେ ଛନ୍ଦରେ ବାଉଲ ହୋଇଉଠେ–ଯୁବକର ପ୍ରାଣ । କେହି ଯୁବକ ଚୋରଗଙ୍ଗ, ଏଇ କନକ ନନ୍ଦିକାର ପ୍ରଣୟ ପ୍ରତ୍ୟାଖ୍ୟାନ କରିପାରେ । ଚନ୍ଦ୍ରସେଣାର ଆକୁଳ କ୍ରନ୍ଦନ ଧ୍ୱନି, ପ୍ରତିଧ୍ୱନିତ ହେବ ଏହି ପ୍ରତ୍ୟାଖ୍ୟାନରେ–ଯଦି କେହି ଏପରି ନନ୍ଦିକାକୁ ଗ୍ରହଣ ନକରେ । ବସୋରାର ବୁଲ୍‌ବୁଲ୍‌, ଓମାରର ରୁବାଇ, କବି ଜୀବନର ଏକଇ କବିତା–ଏଇ ସିରାଜୀ । ଜୀବନର ପ୍ରଥମ ଉଷାରୁ ପୁଞ୍ଜୀଭୂତ ହୋଇଥିଲା ଯେଉଁ ରୁଦ୍ଧ ଆବେଗ–ତା କ’ଣ ଏପରି ଏକ ନାରୀର ପୂଜା ପାଇଁ ?

 

ବଂଧୁ ମିଳନର ଆସରରେ ‘ସଙ୍ଗମ’ କାର୍ଯ୍ୟାଳୟ ମୁଖରିତ ହୋଇଉଠିଚି । କଳାକାର ବଂଧୁମାନଙ୍କୁ ସମ୍ବର୍ଦ୍ଧନା କରୁଛନ୍ତି ସଂପାଦକ ସୂର୍ଯ୍ୟକାନ୍ତ । ଶେଷରେ ସେ ଅନୁରୋଧ କରନ୍ତି କଳାକାର କନକ ମିଶ୍ରଙ୍କୁ ଏକ ସଙ୍ଗୀତ ଗାନପାଇଁ । ସଲ୍ଲଜ ଅପାନରେ ମୂର୍ଚ୍ଛନାଭରା ସଙ୍ଗୀତ ଭାସିଆସୁଚି, କ୍ରୌଞ୍ଚ ବିହଙ୍ଗର ବିଚ୍ଛେଦ ଧାରା ସହିତ ସମାନ୍ତର ହୋଇ । ଓଡ଼ିଆ କବି ଜୟଦେବଙ୍କ କାନ୍ତମଧୁର ପଦାବଳି କମ୍ପନ ଆଣିଚି । ‘‘ମା କୁରୁ ମାନିନୀ ମାନମୟୀ’’ ସ୍ଵରରେ ଜୀବନ–କୃଷ୍ଣ ସୁନ୍ଦରୀ ଅନବଦ୍ୟ ପ୍ରେମିକା ରାଧାଙ୍କୁ ଉଦାର ପଦପଲ୍ଲବ ପ୍ରାର୍ଥନା କରୁଚି ଶିରମଣ୍ଡନ ପାଇଁ । ଏହାର ସ୍ମରଣରେ ନୀଳକଣ୍ଠର ଗରଳ ଖଣ୍ଡନ ହେବ । ଚାହିଁ ରହିଛନ୍ତି ଯୁବକ ସୂର୍ଯ୍ୟକାନ୍ତ, ଯେପରି ଚାହିଁରହେ ଅହିରାଜ ପଦ୍ମତୋଳାର ସୁମଧୁର ଛନ୍ଦା । ଯୁଗଯୁଗାନ୍ତ ଚାହେ ଯେପରି ଏକ ଯୁଗସନ୍ଧାନୀ ମହାକାଳର କରୁଣ ରାଗିଣୀ ।

 

ସ୍ନେହର କନକ–

 

ତମେ ସୁଶିକ୍ଷିତା । ତମ ସହିତ ମୋର ପରିଚୟ ପୂର୍ବରୁ ମୁଁ ଶୁଣିଥିଲି ତମର ଆତ୍ମ-ବିଶ୍ୱାସ । ତମେ ଜନୈକ ବଂଧୁଙ୍କୁ ବିୟୋଗାତ୍ମକ ଭୂମିକାରେ ତମର ଦକ୍ଷତା ବର୍ଣ୍ଣନା କରିଥିଲ । ତାର ପରିଚୟ ମୁଁ ପାଇଛି । ମୋର ଅଭିନନ୍ଦନ ନିଅ କଳାକାର ! କଳାର ଏ ଦୁର୍ଗମ ପଥର ହେ ଅଭିଯାତ୍ରୀ, ତୁମର ଯାତ୍ରା ସଫଳ ହେଉ !

 

ତମର ପାଇଚି ଅନ୍ୟ ଏକ ପରିଚୟ । ସେ ବିଷୟରେ ମୁଁ ଏତିକି କହିବି ଯେ–ପୃଥିବୀରେ କେହି ସାଧୁ ହେବାକୁ ଇଚ୍ଛା କଲେ–ତାକୁ ଅସାଧୁ କରାଯାଇ ପାରେନି । ସେପରି ଅସାଧୁତା ସ୍ୱେଚ୍ଛାକୃତ ହେଲେ-ଜଣଙ୍କୁ ସାଧୁ କରିବ କିଏ ? ଅସାଧୁର ପଥ ଲୋଭନୀୟ । ମୋର ଏହି ଇଙ୍ଗିତ ବୁଝିବ ତମେ କଳାକାର ।

 

ପ୍ରଶ୍ନ କରିପାର, ମୋର ତମ ସହିତ ଏ ଘନିଷ୍ଠତା କାହିଁକି ? ତମ ସହିତ ମୋର ବିବାହ ପ୍ରସ୍ତାବ ଥିଲା ବୋଲି ? ନୁହେଁ–କଳାକାର ! ତମେ ଭୁଲ ବୁଝିଛ ! ମୁଁ ତମକୁ ବିବାହ ନକଲେ–ଦୁଃଖିତ ହେବି ସିନା–ସ୍ଥାଣୁ ହେବି ନାହିଁ । ତେଣୁ ସେ ବିଷୟରେ କିଛି ଆପତ୍ତି ନାହିଁ । ମୁଁ ତୁମ ରୂପର ଆଉ ପ୍ରଲୁବ୍‌ଧ ପୂଜାରୀ ନୁହେଁ । ଚାହେଁ ନା ମୋର ପରିଚିତ କେହି ଦୁର୍ନୀତିର ପୂଜାରୀ ହୁଅନ୍ତୁ ।

 

ତଥାପି ତମେ ସ୍ଵାଧୀନ ଦେଶର ସ୍ୱାଧୀନ ନାଗରିକା କନକ ! ତମେଇ ବାଛିନେବ ତମର ପଥ । ଅମଡ଼ାବାଟର ବାଧାବିଘ୍ନ, ଲକ୍ଷ୍ୟ ରୋମାଞ୍ଚ ସିନା ଆଣିପାରେ, ଅଖଣ୍ଡ ଶାନ୍ତି ଆଣିବ କାହିୁଁ ? ସେ ପଥରେ ରକ୍ତାକ୍ତ ତନୁଲତା ତମର ଝାଉଁଳି ପଡ଼ିବ ସୁନ୍ଦରୀ–ତଥାପି ତୁମେ ସ୍ଵାଧୀନ । ଜୀବନର ଝଡ଼ଝଞ୍ଜାରେ ଯଦି କେବେ ତମେ ଏ ଦୀନ କୁଟୀରକୁ ଆସ, ଏ ଗରିବ ତମର ସତ୍କାର କରିବ । ହୋଇଥାଅ ତମ ପକ୍ୱକେଶା, ନଥାଉ କପାଳରେ ତମର ସିନ୍ଦୂରର ବିନ୍ଦୁ–ତଥାପି ଏ ଦୀନକବି ତୁମର ଅର୍ଚ୍ଚନାରେ ତ୍ରୁଟି କରିବ ନାହିଁ–କଳାକାର ! ଏହା ମୋର କଳ୍ପନା–

 

ଏ ସତ୍ୟ ପ୍ରକାଶ ପାଇଁ କ୍ଷମା କରିବ କନକ–ମୋର ଗଭୀର ସ୍ନେହ ନେବ–

 

ତମର ବନ୍ଧୁ

ସୂର୍ଯ୍ୟକାନ୍ତ

 

ସ୍ନେହର କନକ–

 

ମୁଁ ତମକୁ ଭଲପାଏ । ତମେ ମୋର ମନ ଗହନର ରାଣୀ । ତମକୁ ଛାଡ଼ି ମୁଁ ଦଣ୍ଡେ ରହି ପାରୁନି, ସୁନ୍ଦରୀ । ମୋର ଲେଖନୀ ଅଚଳ–ମୋର ଅଭିନୟ ପ୍ରାଣହୀନ । ସେଦିନ ସେ ରଙ୍ଗମଞ୍ଚରେ ଚୋରଗଙ୍ଗ ଭୂମିକାରେ ତମକୁ ପ୍ରତ୍ୟାଖ୍ୟାନ କରିଥିଲି । ତାର ପ୍ରତିଶୋଧ ତମେ ନେବ କି ? ଚୋରଗଙ୍ଗ ନନ୍ଦିକାକୁ ପ୍ରତ୍ୟାଖ୍ୟାନ କରିଥିଲା । ଶଙ୍କର ତ ପ୍ରତ୍ୟାଖ୍ୟାନ କରିନି କନକକୁ । ସେଦିନର ଅଭିନୟ ମୋର ସ୍ୱପ୍ନର ବିଷୟବସ୍ତୁ । ସେ କ’ଣ ବାସ୍ତବ କି ?

 

ତୁମେ ମୋତେ ବିବାହ କର–ଆମେ ଦୁହେଁ ଦୂର ଦିଗ୍‌ବଳୟରେ ତୋଳିବା ଏକ ଆବାସ । କଳାର ପୂଜା ହେବ ଆମ ଜୀବନର ଲକ୍ଷ୍ୟ । ତୁମର ସଙ୍ଗୀତର ତାଳେ ତାଳେ ମୁଁ ବାଦ୍ୟ ସଙ୍ଗତ କରିବି । ତୁମ ଚରଣର ପ୍ରତି ପଦପାତରେ ମୁଁ ସୃଷ୍ଟି କରିବି ତାଣ୍ଡବର ଅପୂର୍ବ ଲାସ୍ୟ । କଳାର ମିଳନ କଳାରେ ହେଉ । ଏହାହିଁ ତମର ମୋର ପରିଚୟର ଫଳ । ବିଧାତାର ନିର୍ଦ୍ଦେଶ ।

 

ହେ ମୋର ଉସ୍‌ମାନତାରା, ତମେ ମୋତେ ବିବାହ କର ! ନଚେତ୍ ମୋର ପ୍ରାଣହାନିପାଇଁ ତମେ ଦାୟୀ । ମୋର ଶତସହସ୍ର ଚୁମ୍ବନର ପଦ୍ମଭାର ମୁଁ ଏହାଦ୍ୱାରା ପ୍ରେରଣ କରୁଚି ।

 

ତୁମର

ମୁଁ ମ !

ସେଦିନର ଚୋରଗଙ୍ଗ

ଶଙ୍କର

 

କ୍ଳାନ୍ତ ଚକ୍ଷୁରେ ପଢ଼ୁଛି କନକ । କଳାକୁ ଜୀବନର ଏକ ହବି ବୋଲି ଗ୍ରହଣ କରି ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛି । ‘ଯମୁନା’ ଭୂମିକାରେ ଅଭିନୟ କରୁଥିବା କୁମାରୀ ଗୀତା ବେହେରା ଏକ ନଷ୍ଟଚରିତ୍ରା ନାରୀ । ଚରିତ୍ରକୁ ଶତଦଳର ସୌରଭ ମନେକରି–ସେ ବିତରଣ କରିଚି । ସେ କାମନାର ଶିଖା ପ୍ରଜ୍ଜ୍ୱଳନ କରିବାକୁ ଚେଷ୍ଟା କରିଚି–ନିଷ୍ପାପ କଳିକା କନକର ବୁକୁ–ବେଦୀରେ । ସମାଜ ଉପରେ ପ୍ରତିଶୋଧର ଦାଉ ସାଧିବାକୁ–ସେ ଚାହେଁ କନକକୁ । ବିଗତ ଯୌବନା ଶ୍ଳଥବକ୍ଷା ଗୀତା–ହସୁଚି ହଳାହଳ ଘେନି । ଏ ଅମୃତ-କନକ ! ପିଇଦେ ମ ! ସୁନା ଭଉଣୀଟା ମୋର ! ଦୁରୂହ ଗୀତା–ଏ ଅଙ୍ଗନ ତୋ ପରି ମନ୍ଥରା ପାଇଁ ନିଷିଦ୍ଧ ।

 

କି ସାହସ ତମର ଶଙ୍କର । ସେଦିନ ରଙ୍ଗମଞ୍ଚରେ ତମ ସହିତ ମୁଁ ଅଭିନୟ କରିଥିଲି । ଅଭିନୟ ଓ ଜୀବନ ନୁହେଁ । ତମେ ଅନଧିକାର ଚର୍ଚ୍ଚା କରିଚ ଶଙ୍କର । କଳାର ପରିଣତି କ’ଣ ବ୍ୟଭିଚାର ? ତମ ପରି କେତେକ ନଷ୍ଟଚରିତ୍ରଙ୍କ ପାଇଁ ରଙ୍ଗମଞ୍ଚ କ’ଣ ଚିରଦିନ ନଷ୍ଟଚରିତ୍ରାର ହୋଇ ରହିବ ? ସମ୍ଭ୍ରାନ୍ତ ପୁରନାରୀ, ଭଦ୍ରଶିକ୍ଷିତା ତରୁଣୀମାନଙ୍କ ପାଇଁ ଚମେ କଳାର ଦ୍ୱାର ବନ୍ଦ କରିଦିଅ ନାହିଁ ଶଙ୍କର । ଜାଣିଥିବ–କଳାକାରର ଜୀବନ ଏକ ସଳିତାର ଆତ୍ମକାହାଣୀ । ନିଜେ ଜଳି ଜନତାକୁ ଆଲୋକ ଦାନ କରିବା ତାର ଗୌରବ । ବୁଭୁକ୍ଷାର ଆର୍ତ୍ତନାଦରେ ପେଷାଦାର ଅଭିନେତ୍ରୀର ଚରଣ ସ୍ଖଳନ ହୁଏ । ତାହା ସ୍ଵାଭାବିକ । ମୁଁ ତରୁଣୀ, କଳା ମୋର ଆନନ୍ଦ ପାଇଁ–ସଉକ୍‌ର ଏ କଳାଚର୍ଚ୍ଚାରେ ତମେ ପେଷାଦାର ଅଭିନେତ୍ରୀକୁ ଦେଖନାହିଁ ଶଙ୍କର ? ମୋର ଏ ଅନୁରୋଧ ତମେ ଗ୍ରହଣ ନକଲେ ମୁଁ ବାଧ୍ୟହୋଇ ତମର ଅପମାନ କରିବି ।

 

ମୋର ନମସ୍କାର ନିଅନ୍ତୁ ସୂର୍ଯ୍ୟକାନ୍ତ । ମୁଁ ହୁଏତ ସୁନାମର ମୋହରେ ପଥଭ୍ରଷ୍ଟ ହୋଇଥିଲି । ଅନ୍ଧକାରର ଏ ବାଟରେ ଆଲୋକ ଦେଖାଇ ମୋତେ ରକ୍ଷାକଲେ ଆପଣ । ଏଥିପାଇଁ ମୁଁ ଚିରକୃତଜ୍ଞ ରହିବି । ପ୍ରଶଂସାର ଏ ଚୋରାବାଲିରେ ମୁଁ ଜାଣିପାରିନଥିଲି କାମନାର କାଳୀୟନାଗ ଫଣା ଟେକିଚି । ତାର ଶତଜିହ୍ୱା ସେ ଲହ ଲହ କରୁଚି । ଦଂଶନ କରିବ । ସେ ପଶ୍ଚାତ୍‍ ଧାବନ ପାଇଁ ବ୍ୟଗ୍ର । ପ୍ରଜ୍ଞାର ଲଗୁଡ଼ରେ ମୁଁ ବର୍ତ୍ତମାନ ପ୍ରସ୍ତୁତ । କାଳୀୟ ନାଗ ତାର ବିସ୍ମିତ ଚକ୍ଷୁରେ ଶ୍ରବଣ କରୁଚି ମୋର ଏ ପରିବର୍ତ୍ତନର କାହାଣୀ । ଆଜିକାଲି ଏ ସମାଜରେ ଅସଂଖ୍ୟ ନାଗ ଭ୍ରମଣ କରୁଛନ୍ତି । ସତର୍କ ନହେଲେ ସର୍ପାଘାତରେ ସହସା ମୃତ୍ୟୁ ହେବ । ଆପଣଙ୍କର ଏ ସାବଧାନର ବାଣୀ କେବଳ ମୁଁ ନୁହେଁ–ଏ ଯୁଗର ଶତ ସହସ୍ର କୁମାରୀ ପୁରନାରୀଙ୍କ ପାଇଁ ନୀତିବାଣୀ । ମହୁମାଛି ପରି ନାରୀର ତନୁଲତା ପାଖରେ ଗୁଣୁଗୁଣୁ ହେବା ପୁରୁଷସିଂହର କ’ଣ ଉଚିତ ?

 

ଆପଣଙ୍କ ଅଭିନନ୍ଦନ ପାଇଁ ଧନ୍ୟବାଦ । ଆପଣଙ୍କ ଆଶୀର୍ବାଦରେ ମୁଁ କଳାର ଏକ ଦୀନ ପୂଜାରିଣୀ ହୋଇ ରହିବି । ଦରକାର ନାହିଁ ମୋର ଗୌରବର ଯଶବାନା । ମୁଁ ସ୍ୱୀକାର କରୁଚି ସେ ମୋର ସନ୍ଦେହ ଆପଣଙ୍କ ପ୍ରତି ଥିଲା । ମୁଁ ଚିନ୍ତା କରୁଥିଲି ଏ ଦୁନିଆର ନିୟୁତ ପୁରୁଷ ଯେତେବେଳେ ନାରୀର ଟିକେ ହସ, ଟିକେ ସାନ୍ନିଧ୍ୟ ପାଇଁ ପାଗଳ, ଆପଣ ସେଥିରୁ ବର୍ହିଭୂତ ହେବେ କିପରି ? ମୋର ଏ ଚିନ୍ତାରେ ଇନ୍ଧନ ଯୋଗାଇ ସନ୍ଦେହର ହୁତାଶନ ଜାଳିଦେଇଥିଲା ହତଭାଗିନୀ ଗୀତା । ସେ ବଂଶଖାଇ ଡାହୁକ, ମୋର ସତ୍ୟାନାଶ ପାଇଁ ଷଡ଼ଯନ୍ତ୍ର କରିଥିଲା । ମୋର ଦୋଷ କ’ଣ ? ଅଧ୍ୟାପକ ଜୟକାନ୍ତଙ୍କ କଥା ତ ଶୁଣିଥିବେ ! ସାମାନ୍ୟ ଦେହ ଭୋଗ ପାଇଁ ସେ ଏତେ ନୀଚ ହୋଇପାରିଲେ । ଶିକ୍ଷା ତାଙ୍କର ଚରିତ୍ରକୁ ଏପର୍ଯ୍ୟନ୍ତ ମାର୍ଜିତ କରିପାରି ନାହିଁ । ମୋର ତୀବ୍ର ଭର୍ତ୍ସନା ପରେ ସେ ଏବେ କୁତ୍ସାପ୍ରଚାର କରୁଛନ୍ତି । ମୁଁ ଶୁଣିଚି, ସେ ଆପଣଙ୍କୁ ଶତ୍ରୁ ଜ୍ଞାନକରି ଷଡ଼ଯନ୍ତ୍ର କରୁଛନ୍ତି । ଆପଣ ତ ନିର୍ଭୀକ, ଏ ଷଡ଼ଯନ୍ତ୍ରକୁ ଡରିବେ କାହିଁକି ? ସେ ଆପଣଙ୍କର କ’ଣ ବା କରିବେ ?

 

ମୁଁ ନାରୀ, ଅମଡ଼ାବାଟର ଗୌରବ ପୁରୁଷର । ପରାଜୟର ଗ୍ଳାନି ବରଦାସ୍ତ କରି ପୁରୁଷ-ସିଂହ ନବ ବିକ୍ରମରେ ତାର ଜୟଯାତ୍ରାର ଆୟୋଜନ କରେ । ମୋର ଲୋଡ଼ା ନାହିଁ ସେ ସ୍ଵାଧୀନତା-କ’ଣ ହେବ ସେ ରୋମାଞ୍ଚ ମୋର ? ମୁଁ ଚାହେଁ ମୋର ମନର ମନୁଷ୍ୟ । ଯାହାର ବାହୁ ଫାଶରେ ମୁଁ ଶାନ୍ତିରେ ସଙ୍ଗୀତ ଗାନ କରିବି । ହେ ସଂପାଦକ ! ଆପଣ ଏଡ଼େ ନିଷ୍ଠୁର, ମୋତେ ସମ୍ଭାଷଣ କରିବେ– କୁମାରୀ କନକ ମିଶ୍ରର ଅର୍ଚ୍ଚନା କରିବେ–ପକ୍ୱକେଶା, ଗଳିତନଖଦନ୍ତ କନକ କଅଣ ଆପଣଙ୍କର ଶାନ୍ତିବିଧାନ କରିବ ? କପାଳରେ ନଥିବ ତାର ସିନ୍ଦୂର ବିନ୍ଦୁ ! ! ଏ କଳ୍ପନା ଆପଣ କରିପାରିଲେ !

 

ମୋତେ କ୍ଷମା କର, ହେ ମୋର ଜୀବନ-ତଟିନୀର ବରୁଣ ! ମୁଁ ତମର । ମୋର ମଧୁର ଜଳରାଶି ତମ ଜୀବନ ସଂଗ୍ରାମର ଲବଣ ଜଳଭଣ୍ଡାରରେ ତମେ ଗ୍ରହଣ କର !

 

ଇଞ୍ଜିନିଅରିଂ ଆଭିନିଉ-କଟକ

ଡିସେମ୍ବର ୧୯୫୬

 

(ସବୁଜ ବନ୍ଧୁମହଲ, ସମ୍ବଲପୁରଙ୍କ ଆନୁକୂଲ୍ୟରେ ଆୟୋଜିତ ସାହିତ୍ୟ-ସନ୍ଧ୍ୟାରେ ପଠିତ)

Image

 

ଶତଦଳ

 

ଆଶାପଲ୍ଲୀ ବସ୍ତିରେ ଏକ ମଧ୍ୟବିତ୍ତ ଦ୍ୱିତଳଭବନ । ଆଚ୍ଛାଦନ କରିଚି ତାକୁ ରାତ୍ରିର ତମସା । ବେଳେବେଳେ ମୁନିସ୍‌ପାଲର କେରୋସିନ୍ ଲ୍ୟାମ୍ପ ନିଷ୍ପନ୍ଦ ଭାବରେ ଜଳି ଉଠେ । ସହରାଞ୍ଚଳର ଜଳଯୋଗାଣ ପାଇଁ ଯାଇଥିବା ପାଇପ୍ ଡ୍ରେନ୍ ଭିତରୁ ଦିଶେ । ପତାକା ସ୍ତମ୍ଭ ପରି ସମ୍ମୁଖରେ ବିଦ୍ୟୁତ୍ ଖୁଣ୍ଟି । କିନ୍ତୁ ବିଦ୍ୟୁତ୍ ଆଲୋକ ଉଦ୍ଭାସିତ କରେନା ସେ ବସ୍ତିର ମୋରମ୍ ରାସ୍ତାକୁ । ଦୁଇଟି ସାଇକଲ୍ କ୍ଷିପ୍ର ଗତିରେ ଆଗେଇଗଲେ ।

 

ହୃଦୟହୀନ ? କିଏ ତା’ହେଲେ ହୃଦୟବାନ୍ ? ଜଣଙ୍କ ଜୀବନ ସହିତ ଖେଳି, ଯିଏ ନିର୍ବିକାର ଚିତ୍ତରେ ଦ୍ୱିତୀୟାର ସନ୍ଧାନ କରେ ସେ କ’ଣ ତା’ହେଲେ ହୃଦୟବାନ୍ ? ତା’ହେଲେ ବର୍ତ୍ତମାନ ସର୍ବସ୍ୱ କୁମାର ? ଶ୍ରୀମାନ୍ କୁମାର ଦାସ ନହେଲେ ହୃଦୟ ବିଷୟରେ ବକ୍ତୃତା କରିବ କିଏ ? ହୁଇସ୍କି ବୋତଲ କାଖରେ ଜାକି ପ୍ରୋହିବିସନର ମହତ୍ତ୍ୱ ପ୍ରଚାର କରିବ କିଏ ? ଇଡ଼ିଅଟ୍‌-ଯଦି ସୁଯୋଗ ମିଳନ୍ତା–ତା ଖପୁରୀକୁ ଉଡ଼ାଇ ଦିଅନ୍ତି । ଉଡ଼ାଇ ଦିଅନ୍ତି ତାର କଲ୍ଲୋଳମୟୀ ବକ୍ତୃତା–

 

ଭାସି ଆସୁଚି ସଙ୍ଗୀତର ମୂର୍ଚ୍ଛନା । ସଙ୍ଗୀତର ତାଳେ ତାଳେ ଝଙ୍କାରି ଉଠୁଚି ଓଡ଼ିଶୀ ନୃତ୍ୟର ଲାସ୍ୟ । ତମସାର ବୁକୁ ବିଦୀର୍ଣ୍ଣ କରି ଅଳିତ କଳାର ଏ ଚମ୍ପକ ଆଘାତ ବେପଥୁ କରେ । ଏହି ସନ୍ଧ୍ୟାର ଅବଦାନ । ଏହି କର୍ମମୁଖର ଲଗ୍ନକୁ ପାଶୋରି ଯିବାକୁ ଧନ୍ୱନ୍ତରୀ । ସହରର ପ୍ରଧାନ ରାଜପଥରୁ ପ୍ରବହମାନ ସ୍ରୋତ ଭାସିଆସୁଚି । ବୋଧହୁଏ ସାଢ଼େ ଆଠଟା ହେଲାଣି । ଲକ୍ଷ୍ମୀ ଟକିଜ୍‌ର ଫାଷ୍ଟ ସୋ ଶେଷ ହୋଇଚି । ସନ୍ଧ୍ୟାର ଯୌବନ, ଶାନ୍ତାରାମର ଡିରେକ୍‌ସନ୍ ଉପରେ ଟିପ୍‌ପଣୀ ବାଢ଼ି ଗତିକରୁଚି, ଏ ଜନତା । ଆଉ କିଛି ସମୟ ପରେ ହୁଏତ ଗେଇଟିସିନେମାର ଫାଷ୍ଟ ସୋ ସରିବ । ନାଁ–ସମୟ ହୋଇଯାଇଚି । ହୋଟେଲ ବନ୍ଦ ହୋଇଯିବ । ଆଗେଇ ଚାଲିବାକୁ ହେବ । ସାଇକେଲ୍‌ରେ ଗୋଡ଼ ଦେଲା ଜତିନ୍ । ସହରର ପ୍ରଧାନ ରାଜପଥ-ଯେପରି ତମସା ଓ ବିଦ୍ୟୁତ୍ ଆଲୋକର ଏକ ଚୁକ୍ତି ହୋଇଚି । ସାମ୍‌ନାରେ କଂଗ୍ରେସ ଅଫିସ୍, ଏ ଦେଶର ବୃହତ୍ ରାଜନୈତିକ ପ୍ରତିଷ୍ଠାନ । ଜନମଙ୍ଗଳ ରାଷ୍ଟ୍ରର ପୁଲିସବାହିନୀଙ୍କ ଆବାସ ଡାହାଣ କଡ଼ରେ । ଟିକିଏ ଆଗକୁ ଲକ୍ଷ୍ମୀ ଟକିଜ୍‌ । ଦୋ’ ଆଖେଁ ବାରାହାତ, ଛାୟା ରେଷ୍ଟୁରାଣ୍ଟ୍‌ରୁ ବାହାରି ଆସୁଛନ୍ତି ଦଳଦଳ ଲୋକ–ନାନା ରଙ୍ଗର ଡ୍ରେସ୍ । ସାମ୍‌ସନ୍ ତା’ର ପ୍ରଦର୍ଶନୀ ଆରମ୍ଭ କରି ଦେଇଚି ବୋଧହୁଏ ।

 

ଗଡ଼ିଚାଲିଚି ଅର୍ଥନୀତି ସହିତ ସାଲିସ୍ କରି ଜତିନ୍‌ର ସାଇକଲ୍ । କର୍ମକ୍ଳାନ୍ତ ଦିନର ଅବସାନ ପରେ ଅବସାଦର ଛାୟା ଖେଳି ଯାଇଛି । ଦେହ ଚାହୁଁଚି–ହୁଇସ୍କି–ପୂରାପ୍ଳେଟ ମଟନ୍ ବା କେତୋଟି କିମାଚପ୍‌ । ଦୁଇଟି ଡିଫିକଲ୍‌ଟ ପାନ ଓ କେତୋଟି ଗୋଲ୍‌ଡ଼ିଫ୍ଳେକ । ଏପରି ଏକ ଅବସାଦ ମୁହୂର୍ତ୍ତରେ ମନ ଚାହୁଁଚି–ଆଉ କିଛି ! ନୀଳର ସାନ୍ନିଧ୍ୟ, ତାର ସ୍ପର୍ଶ ।

 

ଗୋଲ୍‌ବଜାର ଛକରୁ ମୋଡ଼ି ଘୂରି ସାଇକଲ୍ ଆଗେଇ ଚାଲିଲା, ଟାଉନ୍ ହୋଟେଲ । ସହରର ବଡ଼ ହୋଟେଲ । ମାଲିକ ଷଡ଼ଙ୍ଗୀଙ୍କଠାରୁ ଆରମ୍ଭ କରି ୱ୍ୱେଟର ପର୍ଯ୍ୟନ୍ତ ସମସ୍ତେ ଭଦ୍ର । ଫ୍ଳୋରସେଣ୍ଟ ଲାଇଟ୍‌ରେ ଉଭାସିତ ହୋଟେଲ୍‌ର ବୁକୁ । ପ୍ୟାଣ୍ଟରୁ କ୍ଳିପ୍‌ଟା କାଢ଼ି ଗୋଟିଏ ଚଉକିରେ ବସିପଡ଼ିଲା ଜତିନ୍‌ । ହାତରେ ଜଳି ଜଳି ଆସୁଚି–ଗୋଲ୍‌ଡ଼ଫ୍ଳେକର ଶେଷାଂଶ ।

 

‘‘ନମସ୍କାର’’– ତରୁଣ ଇଞ୍ଜିନିଅର ମୋହନ । ଦେହରେ ତାର ସାନଫ୍ରାଇଜ୍ କନାର ଚମ୍ପକ ହାୱାଇ । ରୋଲଡ଼ଗୋଲ୍‌ଡ ଫେମ୍‌ର ଗୋଟିଏ ସୁନ୍ଦର ଚଷମା । ସୁନ୍ଦର ମାନୁଚି । ମଣିବନ୍ଧରେ ତାର ରିଷ୍ଟଓ୍ୟାଚ୍‌-ଓମେଗା–ଶଶୁର ଘରୁ ଡାଉରୀ ମିଳିଚି । ଆଖିରେ ତାର ତାଜମହଲି ନିଶା । କେତେ ପରିବର୍ତ୍ତନ ହୋଇଚି ଏ ମୋହନର । ମୁହଁରୁ ତାର ମାକ୍ରୋପୋଲର ଧୂମ୍ର କୁଣ୍ଡଳୀ– ମିଳେଇ ଯାଉଚି ଆସ୍ତେ ଆସ୍ତେ । ୱେଟର ଦୁଇଟି ମିଲ୍ ଆଣି ସର୍ତ୍ତ କଲା– ।

 

ନାଁ ନେଇଯାଅ ଏ ମିଲ୍– ଆଣ କିମାଚପ୍‌– ମଟନ୍‌ । ମୋହନର ନିର୍ଦ୍ଦେଶ । ପକେଟ୍‌ରୁ ବୋତଲ କାଢ଼ି ଦୁଇଟି ପେଗ୍‌ ଉଦରସ୍ଥ କଲା । ବେଦନାସିକ୍ତ ପ୍ରାଣକୁ ବିଶ୍ରାମ ଦେବାପାଇଁ– ଦୁଇଟି ପେଗ୍‍ର ମଧ୍ୟ ସଦ୍‌ବ୍ୟବହାର କଲା ଜତିନ୍‌, ରେଡ଼ିଓରୁ ଭାସି ଆସୁଚି–ତୋଫାନ ଅଉର ଦିୟାର ସଙ୍ଗୀତ । ସିଲୋନ୍‌ର ଫରମାସୀ । ଆମ ପାଖ ସିଟ୍‌ରେ ଆମେରିକାନ୍ ଫ୍ରେଣ୍ଡସ୍‌ର କେତେକ ଯୁବକ ଯୁବତୀ । ପରଦେଶୀ ହେଲେ ବି–ସ୍ପଷ୍ଟ ଓଡ଼ିଆରେ କଥା ହେଉଛନ୍ତି । ଡୁଏଟ୍‌ ଭାଇ ନମସ୍କାର–

 

ଆରେ ତମେ, ନମସ୍କାର, ନମସ୍କାର-ବହୁଦିନ ପରେ ଦେଖା– ଏ ଲାବନ୍ ମୋର ସ୍ତ୍ରୀ– ଏମାନେ ମୋର ବନ୍ଧୁଗଣ– ବରପାଲ୍ଲୀ କଲୋନିର ସହକର୍ମୀଗଣ, ଏଥର ଖ୍ରୀଷ୍ଟମାସ୍‍କୁ ବରପାଲ୍ଲୀ ଆସିବ । ବନ୍ଧୁପତ୍ନୀ ଲାବନ ଭଉଣୀଙ୍କ ନିବେଦନ । ସ୍ନେହର ଚିହ୍ନ ସ୍ୱରୂପ– ହ୍ୟାଣ୍ଡବ୍ୟାଗରୁ ସେ ଦେଲେ ଗୋଟିଏ ରୁମାଲ– ଆଇଭିଲତାର ତଳେ ଡେଜି ଫୁଲଟିଏ ଅଙ୍କା ହୋଇଚି । ମୋହନ ପାଇଲା ଇଭିନିଂ-ଇନ୍-ପାରିସ୍‌ର ଗୋଟିଏ ଛୋଟ ଶିଶି ।

 

ଦୁଇଟି ଓଭାଲଟିନ୍‌ର ସଦ୍‌ବ୍ୟବହାର ପରେ ଆମେ ହୋଟେଲ, ଛାଡ଼ିଲୁ । ପାନ ଦୁଇଟି ପାଖ ଦୋକାନରୁ ଆଣି ଆଗେଇଲୁ । ମୁନିସ୍‌ପାଲ୍ ମାର୍କେଟ୍‌ରୁ ଭାସି ଆସୁଚି ଏକ ଅପୂର୍ବ ଚିତ୍କାର– ଫେରିବାଲାର ହରେକ ଜିନିଷ ଛ’ଅଣା ଦୁଇପଇସାର ଆର୍ତ୍ତନାଦ । ଡିସେମ୍ବରର ଏ ସନ୍ଧ୍ୟା ସରଗରମ ହୋଇ ଉଠିଚି ।

 

ସକ୍‌ସ୍‌ ଦୁଇଟି ଦରକାର । ପାଖ ସାମ୍‌ସନ୍ ଦୋକାନକୁ ପଶିଗଲା ଜତିନ୍‌ । ମୋହନ ତା ଜିପ୍‌ରେ ଚାଲିଗଲା । ଦୋକାନରେ ଅପୂର୍ବ ଯୁଗଳ–ନାନା ରଙ୍ଗର ଶାଢ଼ି-ଚୋଲି । ନୀଳକୁ ମୋର କଳାରଙ୍ଗର ଶାଢ଼ି ସହିତ ଗାଢ଼ସବୁଜ ରଙ୍ଗର ଚୋଲି ଭଲ ମାନେ । ମର୍‌କରି ପରି ତରଳ ଆଖି ଦୁଇଟି ମୋତେ ହେମହରିଣୀର ଭ୍ରମ କରାଏ । ଯମୁନା କବରୀ ତାର ମୋତେ ଦ୍ୱାପରର ଇତିହାସ ସ୍ମରଣ କରାଏ । ଅନାବୃତ କଟୀଦେଶକୁ ମୁଁ ନଅଙ୍କର ବୁଭୁକ୍ଷୁ ପରି ଚାହିଁ ରହେ । ତାର ବକ୍ଷଦେଶରେ ବାନ୍ଧିହୋଇ ଡିସେମ୍ବର ଓ ଜାନୁଏରୀର କେତୋଟି ଶୀତରାତି କଟାଇବାକୁ ମୁଁ ବ୍ୟାକୁଳ ହୁଏ । ଚମ୍ପାଗୋରୀର ପରଶରେ ମୋର ଗ୍ଳାନି, ଅବସାଦ ମୁଁ ଭୁଲିଯାଏ ।

 

ସେ ବହୁଦିନ ତଳର କଥା– ସରକାରୀ ଚାକିରିରେ ରାଜଧାନୀ ଛାଡ଼ି ବଦଳି ହୋଇ ଆସିଚି ଜତିନ୍‌ ଏ କ୍ଷୁଦ୍ର ସହରକୁ । ନିଃସଙ୍ଗ ଜୀବନକୁ ସରସ କରି ତୋଳିବା ପାଇଁ, ଅବସାଦମୟ ଜୀବନର ଗ୍ଳାନିକୁ ଦୂର କରିବା ପାଇଁ, ସବୁଜ ବନ୍ଧୁମହଲର ସଭ୍ୟ ସେ ହୋଇଚି । ହଜାଇ ଦେଇଚି ନିଜକୁ ସେ ସମୟର କଲ୍ଲୋଳ ପ୍ରବାହରେ । ଆହ୍ଲାଦରେ ସେ ଗ୍ରହଣ କରିଚି– ପରିସ୍ଥିତିକୁ । ପ୍ରକୃତରେ କୁମାର ହିଁ ଏକ ନୈରାଶ୍ୟର ପ୍ରତିମୂର୍ତ୍ତି । ତାର ପ୍ରଣୟିନୀ ପ୍ରେମ ଆଜି ଇଞ୍ଜିନିଅର ମୋହନର, ବିଂଶ ଶତାବ୍ଦୀ ପ୍ରେମର ଏ ଏକ ନିଶ୍ଚିତ ଯବନିକା । ଆଉ ବା କଣ ଆଶା କରନ୍ତା–ହୃଦୟବାନ୍ ! କୁମାର–ଇଡ଼ିଅଟ୍‌-ହତାଶ ଜୀବନର ପୃଷ୍ଠା ଓଲଟି ଯାଉଚି– ଏକ ମାସିକ ପତ୍ରିକାର ପୃଷ୍ଠାପରି । ସୃତିପଥରେ ନାଚି ଉଠୁଛନ୍ତି ବୃଦ୍ଧ କିରାନୀ ବନମାଳୀ ସାହୁ । ଅଭାବର ଦାରୁଣ ଅଙ୍କୁଶରେ ଜର୍ଜରିତ ସେ । ମଶାଣି ଉପରେ ଗୋଟିଏ ପାଦଥୋଇ ଦୁନିଆକୁ ସେ ଚାହୁଁଛନ୍ତି-ପଲକହୀନ ଦୃଷ୍ଟିରେ । ନାଚି ଉଠୁଛନ୍ତି ସଞ୍ଚୟ ଅପିସର ମିସ୍ ଶୈଳ । ଜୀବନ-ମହାନଦୀରେ ତାଙ୍କର ଲୁକ୍‌କାୟିତ କେତୋଟି ଶୈଳ । ବର୍ତ୍ତମାନ-ସର୍ବସ୍ୱା ସେ– ଭୁଲିଯାନ୍ତି ବିଗତ ବର୍ଷର ମାତୃମଙ୍ଗଳ କେନ୍ଦ୍ରର ଇତିହାସ ।

 

ସାବାସ୍– ମନେ ମନେ ସମ୍ମାନ ଶୈଳକୁ । ଅତୀତ ନିରାଶାର ଉତ୍ସ । ଇତିହାସ ବିଫଳତାର ବାଣୀ । ତେଣୁ ଚାର୍ବାକ ! ତମେ ବନ୍ଦନୀୟ ! ବନ୍ଦନୀୟ ଚାର୍ବାକ୍ ! ତମର ପୂଜା ହେଉ ମାନବିକତାର ଉତ୍ତୁଙ୍ଗ ନୀଳାଚଳରେ, ପଲାଳ-ପୀଠକର ପରିସ୍ଥିତି ତମକୁ ବିଚଳିତ କରିନାହିଁ– ଚାର୍ବାକ୍‌, ସମସ୍ୟାର ସମାଧାନ କରିଚ ତମେ ବୁଦ୍ଧିର ମନ୍ତ୍ରରେ । ଅପେକ୍ଷା କରିଥିବ ଗଣ୍ଡା କୁମାରୀ ଜବିନ୍ । ମହାନଦୀର ବାଲୁକାରାଶି ଉପରେ ତାର ଚିର ଚଞ୍ଚଳ ତନୁଲତାକୁ ଲୋଟାଇ ଦେଇ । ଚାହିଁ ରହିଥିବ ସେ, ଯେମିତି ନର୍ମଦା ଚାହିଁ ରହେ ତାର ପ୍ରିୟତମକୁ । ଯଦି ଇଡ଼ିଅଟ୍‌ କୁମାର ଆସନ୍ତା– ଆଉ ଆକଣ୍ଠ ପାନ କରନ୍ତା ଜବିନ୍‌ର ଯୌବନ–ବିନାଶ ହୁଅନ୍ତା ତାର ନିରାଶର ଜୀବନ । ଅତୀତର ଇତହାସ ! ତାକୁ ଭୁଲିଯିବାକୁ ଦରକାର-ଜବିନ୍ ଓ ମହୁଲିନିଶା । ଶୂନ୍ୟ ଦୃଷ୍ଟିରେ ଚାହିଁଲେ ଲାଭ ନାହିଁ । ଦ୍ରାକ୍ଷାଲତାକୁ ନିରୀକ୍ଷଣ କରି କି ଲାଭ ଶୃଗାଳର ? ନୀଳକଣ୍ଠର ଗରଳ ପାନ ହିଁ ରୋମାଞ୍ଚ । ଈଶାନ୍–ବନ୍ଧୁ ! ତମେ ହେଲେ ଏତିକି ବୁଝନ୍ତ ! ଶାନ୍ତ ହୁଅନ୍ତା ତେବେ ତମର ଏଇ ଛିନ୍ନଛଡ଼ା ଜୀବନ– ତମେଇ ଗାଆନ୍ତ ଅନୁଷ୍ଟୁପ ଛନ୍ଦରେ ଜୀବନର କବିତା– ବୁକୁର ପରଶ ଦେଇ ।

 

ପୁଣି ଅପେକ୍ଷା କରିଥିବ–ମାନସୀ । ସଙ୍ଗୀତର ମୂର୍ଚ୍ଛନା ଛୁଟାଇ ଯେ ସ୍ଵାଗତ କରେ–ଏ ସହରର ବୃଦ୍ଧିଜୀବୀମାନଙ୍କୁ–ନେତା ରତ୍ନପାଣି, ପୁଲିସ ସାହେବ ସୁରେନ୍ଦ୍ର ତାହାର ଅତିଥି । ବେଳେ ବେଳେ ଇଡ଼ିଅଟ୍‌ କୁମାର ଦାସ–ବୃଦ୍ଧ ବନମାଳୀ ସାହୁ–ଅଧ୍ୟାପକ ଚିନ୍ତାମଣି, ଇଞ୍ଜିନିଅର ମୋହନ ତାର ଅତିଥି ହୁଅନ୍ତି । ସମସ୍ତଙ୍କୁ ଲଳିତ କଳାରେ ମୁଗ୍‌ଧ କଲେ ବି ସେ ଯୌବନ ଦାନ କରେନି । ସେ ଅପେକ୍ଷା କରୁଚି କାହିଁକି ? କୁଲାୟ ରଚନା କରିବ ? ଅଭିଶପ୍ତ ପାଣ୍ଡୁରାଜା ଏ ଜତିନ୍ । ଏଇ ଯୋଜନାରେ ତାର ଅଂଶ ଗ୍ରହଣ କରିପାରିବ ତ ?

 

ଏଇ ଆଶା ନେଇ ବେଳେ ବେଳେ ଅପେକ୍ଷା କରେ ନୀଳ ! ଧର୍ମାନ୍ତର ପାଇଁ ସେ ପ୍ରକାରାନ୍ତରେ ବାଧ୍ୟ କରେ । ମଥାରେ ସିନ୍ଦୁର, ପାଦରେ ଅଳତା–ସେ ଚାହେଁନା–ସେ ଚାହେଁନା ଦେବାଳୟର ସାକ୍ଷ୍ୟ ଗୀତି–ପ୍ରାର୍ଥନାର ମୂର୍ଚ୍ଛନା–ସେ ଚାହେଁ ଛନ୍ଦହୀନ ଜୀବନ ! ଈଶ୍ୱରଙ୍କ ପୁତ୍ରର ଆରାଧନା–ଯେ ବିଶ୍ୱପାଇଁ ହସି ହସି ପ୍ରତିହିଂସାର ବେଦୀରେ ନିଜକୁ ବଳିଦେଲେ । କୁମାରୀ ମାତାର କଳ୍ପନାକୁ ପ୍ରତିହତ କରି । ମାତୃହୃଦୟ ଧରି–ଗୁରୁଣ୍ଡି ଗୋପାଳର ଲଳିତ, କାନ୍ତ ମଧୂରମୂର୍ତ୍ତି ତାକୁ ଲୋଲୁପ କରେନା–ଈଶାନ ଏ ଆହ୍ୱାନର ଶିକାର । ଧର୍ମାନ୍ତରର ବିନିମୟରେ ସେ ଚାହେଁ ନୀଳ–ନୀଳର ତନୁ–କିନ୍ତୁ ନୀଳ !

 

ବଲଙ୍ଗୀର ହାଉସ୍ ପାଖରେ ରାସ୍ତାର ଗୋଟିଏ କଡ଼ରେ ଛିଡ଼ାହୋଇ ଗୋଲ୍‌ଡ଼ଫ୍ଳେକରେ ନିଆଁ ଧରାଇଲା ଜତିନ୍ । ଇଡିଅଟ୍‌ କୁମାର ଭାଷାରେ ମାନସୀ ତ ତାର ମନୋପଲି । ସେଦିନ ସାବଧାନୀ ଶୁଣାଇ ସେ କହିଲା–‘‘ମାନସୀଠାରୁ ଶତ ଯୋଜନ ଦୂରରେ ଦୁରେଇ ରହ ଜତିନ୍–ସେ ମୋର ବାକ୍‍ଦତ୍ତା । ତା ଅଙ୍ଗନ ତୋପାଇଁ ନିଷିଦ୍ଧ’’–ଗଣିକା ଯଦି ବାକ୍‍ଦତ୍ତା ହୁଏ– କହିବାର କାହାର କଅଣ ଅଛି ? ହୁଇସ୍କି ତାର ପ୍ରତିକ୍ରିୟା ଆରମ୍ଭ କରିଚି ମାତ୍ର । ମୁଁ ଚାହେଁ ମାନସୀ–‘‘ମାନସୀ ଥରେ ତମେ ଆସ ଏଇ ହତଭାଗା ଜତିନ୍‌ର ବାହୁବନ୍ଧନକୁ । –ଥରେ –ଥରେ ମାତ୍ର । ଜୀବନର କେତୋଟି ମୁହୂର୍ତ୍ତ ପାଇଁ ଶାନ୍ତି ଶିଖା ଜଳିଉଠୁ । ମାନସୀର ଉତ୍‌ଥଳ ଯୌବନ । ପଶୁରାଜ ଅନ୍ତରରୁ ଗର୍ଜନ ଆରମ୍ଭକରି ଦେଇଚି ।

 

ଦୁର ପଲ୍ଲୀ ଗାଁରେ ପଲ୍ଲୀଶ୍ରୀ–ନମିତା । କରାଣ୍ଡିଆ ତଟିନୀର ପାଣି ଯାହାର ଅଙ୍ଗକୁ ମାର୍ଜିତ କରଚି–ସେଇ ଝିଅଟି ! ଆଖିରେ ପାଣି ନେଇ ଚାହିଁ ରହିଚି କେବେ ଫେରିବ ତାର ପ୍ରାଣ-ଦୋଳ-ମୁକୁଟ ପିନ୍ଧି । ପୁରୀର ଏକ ତମାଳ ତାଳ ବନରାଜି ଶୋଭିତ ପଲ୍ଲୀରେ ପ୍ରତୀକ୍ଷା କରୁଚି ବନାନୀ । ସମସ୍ତଙ୍କର ଯୋଜନା– ଆଖିରେ ନୀଡ଼ ରଚନାର ସ୍ୱପ୍ନ । ଏପରି ଏକ ନିଃସଙ୍ଗ ରଜନୀରେ ସେ ବିଦଳିତ କରନ୍ତା–ଜବିନ୍ ବା ବନାନୀର ଯୌବନ ! ବୁକୁ ତାର ଚିତ୍କାର କରି ଉଠୁଚି-। ସେ ଅସହାୟ । ପ୍ରାଣର ନବତଳ ଗଜପତିପ୍ରାସାଦ ଭୁଲୁଣ୍ଠିତ ହୋଇଚି ମାତ୍ର । ସହାନୁଭୂତିରେ ତମ ପାଇଁ ମୁଁ ଦୁଃଖିତ ହୁଏ ନୀଳ ! ଜୀବନର ଅଭିଳାଷ ପଥରେ କଣ୍ଟକାବୃତ–ସହୀଦ୍‌ ମୁଁ ଚାହେଁନା– ଶିଶୁ ଗୁରୁଣ୍ଡିଗୋପାଳର ଲୋଭନୀୟ ମୂର୍ତ୍ତିରେ ମୁଁ ବେପଥୁ । ମୋତେ କ୍ଷମା କରିବ–ନୀଳ ! ମୁଁ ତମର ଅଶ୍ରୁର ପ୍ଳାବନରେ ଭୁଲି ରହି ପାରେନା । ତମେ କାନ୍ଦ ନାହିଁ ନୀଳ ! କାନ୍ଦିଲେ ମୁଁ କ’ଣ କରିବି ? କ୍ଷଣିକା ତମେ ! କ୍ଷଣକପାଇଁ ତମର ହୁଏତ ମୂଲ୍ୟ ଅଛି ।

 

ଦ୍ୱାର ଫିଟିଲା –ଆସନ୍ତୁ–ଆସନ୍ତୁ ! ନମସ୍କାର, ନମସ୍କାର ! କେତେ ସମୟ ହେବ ।

 

ନଅଟା ପଇଁଚାଳିଶ ବୋଧେ, ରିଷ୍ଟଓ୍ୟାଚଟିଏ କିଣୁ ନାହାନ୍ତି ? ଦୁହେଁ ଯାଇ ଦଉଡ଼ିଆ ଖଟରେ ବସିଲେ ! ଜତିନ୍ ଆଉ ସୁନ୍ଦରୀ ନୀଳ !

 

ତାସ ଖେଳିବା ଚାଲ । ଆଜି ଆମ ଘରେ ଗଣ୍ଡେ ଖାଆ–ଗରିବ ଆମେ–

 

ଥାଉ, ଏ କରୁଣ କାହାଣୀ ଆଉ କହନି–ଦି ଜଣ କେମିତି ଖେଳିବା ମ ?

 

ନାଁ’ମ–ମା, ନାନା ପରା ଅଛନ୍ତି । ଏ ମା, ତମେ ଆଜି ଏମିତି କଅଣ ଦିଶୁଚ ମ ? କଅଣ ଦେହ ଭଲ ନାହିଁକି ? ହଁ ଶୁଣ ମ–କ’ଣ ସ୍ଥିର କଲ ?

 

ଆଖି ଆଗରେ ଭାସିଆସିଲା ନିର୍ବାଚନର କୋଳାହଳ । କ୍ଷେତ୍ରପାଳ ମନ୍ଦିରରେ ଦୁଇଟି ଚରୁଣ ତରୁଣୀ । ଆକାଶର ଅୟୁତ ତାରା । କରାଣ୍ଡିଆର ବୁକୁ ଓ ଗ୍ରାମଦେବତା କ୍ଷେତ୍ରପାଳ ସାକ୍ଷୀ ଅଛନ୍ତି । ସାକ୍ଷୀ ଅଛି ତଳର ପୃଥିବୀ ଓ ଦୁଇଟି ଆତ୍ମା–ଯଦି କେବେ ବନ୍ଧନକୁ ସ୍ଵାଗତ କରେ ଜତିନ୍ ଦାସ–ସେ ହେବ ନମିତାର କନକ ଅଙ୍କରେ । ଶୀର୍ଣ୍ଣ ପଲାକୁ ତା’ର ଫେରଯିବ–ଅଭିଶପ୍ତ ଶିଶିର । ବସନ୍ତର ମହୁଆ ନିଶା ତାର ନାହିଁ । ନୀଳର ପରଶରେ ତନୁ ତାର ପୁଲକିତ, ଠିକ୍‌ ଯେପରି ଜବିନ୍‌ ବା ମାନସୀର ସାନ୍ନିଧ୍ୟରେ ସେ ହୁଏ ମତ୍ତ । ଭବିଷ୍ୟତର ଅନନ୍ତ କାଳ ଯଦି ନୀଳର ବିକଶିତ ତନୁ ପଲଙ୍କରେ ସେ ଅନନ୍ତଶୟନ କରନ୍ତା । –କି ଆନନ୍ଦ ! କି ଉପଭୋଗ କରନ୍ତା ସେ । ଗାଢ଼ ଆଶ୍ଳେଷରେ ଆଲିଙ୍ଗନ ସେ କଲା ନୀଳକୁ । ସ୍ଥିତ ପ୍ରଣୟକୁ ଚାଳିତ କରିବାକୁ ହେଲେ–ମାଳବିକା ମାନସୀର ପଣତ ତଳେ ଆତ୍ମସମର୍ପଣ କରିବା ଉଚିତ । ତାର ଚୂର୍ଣ୍ଣକୁନ୍ତଳର ମଞ୍ଜୁଳ ଗତିରେ–ଶତ ଉର୍ବଶୀର ପରିଚୟ ମିଳେ । ବନ୍ଧନହୀନ ଏ ଜୀବନରେ କ’ଣ ତନ୍ୱୀ ନୀଳ ଏକମାତ୍ର ପାଥେୟ ?

 

ମୁଁ ଯାଉଚି ନୀଳ ! ରାତ୍ରି ଅନେକ । ତମ ଅନୁରୋଧ ରକ୍ଷା କରି ମୁଁ ଆଉ ରହି ପାରେନା–ଶୀତ ଭୀଷଣ ପଡ଼ିଲାଣି ।

 

ଉତ୍ତରକୁ ଅପେକ୍ଷା ନ କରି ମିଷ୍ଟର ଜତିନ୍ ଦାସର ସାଇକଲ୍ ପରିତ୍ୟାଗ କଲା ଆଶାପଲ୍ଲୀର ବୁକୁ । ଦୂରରେ ବାଦୁଡ଼ିଟାଏ ଫଡ଼ ଫଡ଼ କର ଉଡ଼ି ଯାଉଚି । ଚିକିତ୍ସକ ସାନ୍ତରା କାର୍‌ରେ ଫେରୁଛନ୍ତି । ନମସ୍କାର ! ନମସ୍କାର ନମିତା, ତମର ପ୍ରଣୟକୁ । ସେ ମୋତେ ମୁକ୍ତି ଦେଇଚି–ପରିତ୍ରାଣ କରିଚି–କେତେ ତନ୍ୱୀ ଯଉବନ ଚପଳାଙ୍କ ବନ୍ଧନର ନାଗଫାଶରୁ । ତମ ମଥାରେ ସିନ୍ଦୁର ବିନ୍ଦୁ ଜଳିଉଠୁ ।

 

ସେଇମାତ୍ର ଆକାଶରେ ଚନ୍ଦ୍ରଉଦୟ ହୋଇଚି ।

 

ସାକ୍ଷୀପଡ଼ା–ସମ୍ବଲପୁର ।

ମାର୍ଚ୍ଚ ୧୯୫୮

 

(ସାହିତ୍ୟ ସଂସଦରେ ପଠିତ ଓ ଆଲୋଚିତ)

Image

 

ସତ୍ୟାନନ୍ଦର ଚିଠି

 

ସନ୍ଧାନୀ କାର୍ଯ୍ୟାଳୟ

କଟକ ମହାନଗରୀ

ତା ୧୩ । ୧ । ୫୪

 

ପ୍ରିୟ ରାଜେଶ୍ୱରୀ–

 

ତମ ସହିତ ମୋର ବହୁତ କଥାବାର୍ତ୍ତା ଥିଲା । କିନ୍ତୁ ତମେ ଜାଣିଥିବ ଯେ ମୋର ବର୍ତ୍ତମାନ ସମୟ ନାଇଁ । ତମେ ପଛେ ତାକୁ ହସରେ ଉଡ଼ାଇ ଦେବ–ମାତ୍ର ଓଡ଼ିଶାରେ ଯେ କଲମ ଧରିଚି–ସେ, ସେ କଥା ଜାଣୁଚି–ଅଙ୍ଗେ ଲିଭାଉଚି । ସତରେ ଅନେକ ସମୟରେ ମୋର ମନେ ହୁଏ ଯେ କଲମ ଧରିବା ଓଡ଼ିଶାରେ ବୋଧହୁଏ ପାପ । କ’ଣ କରିବି ? ପ୍ରବୃତ୍ତିର ତାଡ଼ନା ମୋତେ ଏ ପଥର ପଥିକ କରିଚି ।

 

ଏବେ କେତେ ବର୍ଷ ହେଲା । ଗୋଟାଏ ସୁନ୍ଦର ଅନୁଷ୍ଠାନ ହେଉଚି । ଆଗରୁ ଅନେକେ ମନେ କରିଥିଲେ ଯେ ହରେକୃଷ୍ଣ ଓଡ଼ିଶାରେ ରାଜନୀତିର ‘ଚେସ୍’ କେବଳ ଖେଳନ୍ତି । କିନ୍ତୁ ଏବେ ଜଣାଯାଉଛି ସେ– ପ୍ରକୃତରେ ରାଜନୀତିର ଚେସ୍ ଖେଳରେ ସେ କିସ୍ତିମାତ୍ କରନ୍ତି ସତ–ତଥାପି ସାହିତ୍ୟର ଦୁର୍ଗମ ସର୍ପିଳ ରାସ୍ତାରେ ତାଙ୍କର ଡିଜେଲ କାର୍ ଖଣ୍ଡକ ସେ ବେଳେବେଳେ ଛୁଟାଇ ଚାଲନ୍ତି । ଏବେ ସେ କେତେ ବର୍ଷଧରି ପଶା ସାହିତ୍ୟ ସମ୍ମିଳନୀ କରୁଛନ୍ତି । ଏ ସମ୍ମିଳନୀରେ ଓଡ଼ିଶାର ପ୍ରାୟ ସବୁ ଲେଖକ-ଲେଖିକାମାନେ ଯୋଗ ଦେଉଛନ୍ତି । ପ୍ରଧାନ ଅତିଥି ରୂପେ ବରଣ ହେଉଛନ୍ତି– ପ୍ରଦେଶ ବାହାରର ବିଶିଷ୍ଟ ସାହିତ୍ୟିକମାନେ । ଗୋଟିଏ ପତ୍ରିକାର ସଂପାଦକ ରୂପେ ମୁଁ ମଧ୍ୟ ନିମନ୍ତ୍ରିତ ହୋଇଚି । ତେଣୁ ସେଇ ହେଉଚି ମୋର ବର୍ଷକର ସାହିତ୍ୟ ସାଧନାର ଇପ୍‌ସିତ ।

 

ତଥାପି ବ୍ୟସ୍ତ ଅଛି ବୋଲି ତମକୁ ମୁଁ ତ ଭୁଲିଯାଇନି । ତମେଇ ମୋର ପ୍ରେରଣାର ପଟ୍ଟଭୂମିକା । ତମର ରୂପକୁ ମୁଁ ମୋର କଲମରେ ରୂପ ଦିଏ, ଭାଷା ଦିଏ । ତମରି ପ୍ରାଣକୁ–ଦରଦୀ ସୁରରେ ମୁଁ ଗାଏ । ତେଣୁ ମୋ କବିତାକୁ ଯଦି ସମାଲୋଚନା କନାରେ ଛଣାଯାଏ, ତମେଇ ଦ୍ରବ ପ୍ରେସିପିଟେଟ୍‌ । ତେଣୁ ତମକୁ ମୁଁ ସାମୟିକ ଭାବେ ଭୁଲିଯାଇଚି ସିନା କିନ୍ତୁ ତମେ ସେ ଚିରନ୍ତନୀ–ମୋ ବାଣୀ ସାଧନାର ଶକ୍ତି ଦେବୀ ।

 

ଅନେକ ସମୟରେ ତମେ ପ୍ରଶ୍ନ କରିଚ, ମୁଁ ଯେ ତାହାର ଉତ୍ତର ନ ଦେଇଛି–ତା ନୁହେଁ-। କିନ୍ତୁ ତମର ପ୍ରଶ୍ନ ଏବେବି ଚିର ଅମୀମାଂସିତ । ତମେ ପ୍ରଶ୍ନ କରିଚ, ମୋର ଗୃହିଣୀର କଥା-। ବେଦୀରେ ତାର ହାତଧରି ଅନଳ ଦେବଙ୍କୁ ସାକ୍ଷୀରଖି ତାଙ୍କୁ ମୁଁ ବିବାହ କରିଛି । ସେ ମୋର-। ତେଣୁ ତମ ମନରେ ସନ୍ଦେହ ଆସିଛି, ଆସିବାର କଥା । ସେ ମୋର ଗୃହିଣୀ । ମୋର ଅନାଗତ ବଂଶମାଳାର ଗାୟତ୍ରୀ-ମାତା, ତାର ସେବା ମତେ ବଞ୍ଚେଇ ରଖିବ । ସେ ମୋର ଘର ସଂସାରର ମ୍ୟାନେଜର୍ । କିନ୍ତୁ ତମେ ?

 

ତମେ ମୋର ମାନସୀ–ମୋର କବିତା–ମୋର ମନର ସାଥୀ । ତେଣୁ ମୁଁ ତମକୁ ଚାହେଁ । ତମେ ମୋର ଯୁଗ ଯୁଗାନ୍ତର ପରିଚିତା । ତମ ପାଇଁ ମୁଁ ଅମର । ତମର ଶକ୍ତି ମୋର ଉତ୍ସାହ, ତମର ନିର୍ଦ୍ଦେଶ ମୋର ଉନ୍ମାଦନା–ତମରି ତନୁ ମୋର ଗୀତା । ତମର ମୃଣାଳ ବାହୁ ମୋର ପରିଧି–ତମେ ମୋର ଜୀବନର ଯମୁନା– ମୋ ଗୃହିଣୀ ଗଙ୍ଗା ସହିତ ମୋଠାରେ ତମେଇ ରଚିଛ ତୀର୍ଥରାଜ ପ୍ରୟାଗ । ଏହି ସଙ୍ଗମରେ ମୁଁ ପବିତ୍ର । ତେଣୁ ମୁଁ ଆଶା କରେ–ଏ ଦରଦୀଠାରୁ ତମ ପ୍ରଶ୍ନର ଉତ୍ତର କଡ଼ାକ୍ରାନ୍ତିରେ ଆଦାୟ କରିନେଲ ।

 

ତମେ ଜି.ବି.ଏସ୍.ଙ୍କ ଜୀବନର ଗୋଟିଏ କାହାଣୀ ଶୁଣିଚ ? ଶୁଣିଲେ ତୁମକୁ ଆଶ୍ଚର୍ଯ୍ୟ ଲାଗିବ । ଅମର ମନୀଷୀ ଜି.ବି.ଏସ୍ ଙ୍କ ବିଶ୍ୱବ୍ୟାପୀ ସୁନାମର ମଞ୍ଜି କ’ଣ ? ଶୁଣ ତେବେ । ଆଜିର ପ୍ରକାଶକମାନେ ଯେପରି ଜାଣନ୍ତି–କଳାକୁ-କଳାକାରକୁ ଅର୍ଥର ବିନମୟରେ ସେମାନେ କିଣି ପାରନ୍ତି । ସେପରି ମଧ୍ୟ ପୃଥିବୀରେ ଅନ୍ୟ ଅଞ୍ଚଳର ଅବସ୍ଥା । ବାହାର ଚାକଚକ୍ୟ, ନାଁର ମାଧୁର୍ଯ୍ୟ ଶୁଣି ଆମେ ଅନ୍ୟ ଦେଶକୁ ବୁଝୁ ପୃଥିବୀର ନନ୍ଦନକାନନ । କିନ୍ତୁ ସୀମାହୀନ ଆକାଶର ତଳେ ଏଇ ମାଟିର ସଭ୍ୟତା ସମୁଦାୟ ବିଶ୍ୱରେ ସମଭାବରେ ବିକୀର୍ଣ୍ଣ ।

 

ସେହିପରି ଜଣେ ପ୍ରକାଶକଙ୍କ ନିକଟକୁ ଯାଇଥିଲେ ତରୁଣ ମସୀକାର ଜି.ବି.ଏସ୍ . । ସାହିତ୍ୟିକ ଜଗତରେ ତାଙ୍କର ସେତେବେଳେ ପଞ୍ଚୁଆତି ହୋଇନଥାଏ । ପ୍ରକାଶକ କହିଲେ ଯେ ସେ କଳାକାର ପୁସ୍ତକର ଚାହିଦା ହେବ ନାଇଁ, ଫେରିଯାଅ । ବିଶ୍ୱର ପ୍ରତିଭାଶାଳୀ ଅପମାନରେ ଫେରି ଆସିଲା । କିନ୍ତୁ ପ୍ରତିଶୋଧ ନେବାପାଇଁ ସେ ସଂକଳ୍ପ କଲା–ସେଦିନ ଟେମସ୍ ନଦୀ କୂଳରେ-। ବନ୍ଧୁମାନଙ୍କ ସହଯୋଗରେ ସେଇ ପାଣ୍ଡୁଲିପିକୁ ଛପାଇ ଆଣିଲା । ନିଜ ବାସଭବନରେ ଗଦାମାରି ରଖିଦେଲା, ସେ ଛାପାବହି । ଶ’ଙ୍କ ବ୍ୟକ୍ତିଗତ ଅନୁରୋଧରେ ତାଙ୍କର ବିଭିନ୍ନ ବନ୍ଧୁ–ବିଭିନ୍ନ ବହୁ ସମୟରେ ବହି ଦୋକାନରେ କିଣିବାକୁ ମାଗିଲେ–ସେଇ ବହିଖଣ୍ଡିକ ? କାହିଁ ବହି ବଜାରରେ ? ପ୍ରକାଶକମାନେ ଭାବିଲେ ଏଇ ଜି.ବି.ଏସ୍. ଜଣେ ବିଖ୍ୟାତ ସାହିତ୍ୟିକ, ଦଳବାନ୍ଧି ତାଙ୍କ ବାସଭବନରୁ ଅନୁରୋଧ କରି ନେଇଗଲେ ସେ ବହି । ବହିର କାଟ୍‌ତି ପ୍ରଚାର ବଳରେ ବଢ଼ି ଚାଲିଲା । ଶ’ ହେଲେ ବିଶ୍ୱ ବିଖ୍ୟାତ ।

 

ଏଇ ତ ଦୁନିଆ ! ବିଜ୍ଞାପନରେ ସଢ଼ା ପରିବା ବିକାଯାଏ । ବେଶ୍ୟାର ରୋଜଗାର ବଢ଼ିଯାଏ । କିନ୍ତୁ ଭଲ ପରିବା ରହିଯାଏ । କୁଳବଧୂର ଜୀବନରେ ଟ୍ରାଜେଡ଼ି ଆସେ । ଲୁହ ଗଡ଼ାଇବା ତାର ଧରମ ହୁଏ । ପାପ ପୁଣ୍ୟର ସଂଜ୍ଞା ଘୋଷି ଘୋଷି ସେ ମରେ । ଏଇ ସତ୍ୟ, ଜୀବନର ପ୍ରତ୍ୟେକ ବିଭାଗରେ ଚିରନ୍ତନ । ଭଲ ନାମରେ ମନ୍ଦର ପ୍ରସାର ଏ ଯୁଗର ନୀତି । ଏପରି ମିଥ୍ୟା ହିଁ ପ୍ରାଗୈତିହାସିକ ସତ୍ୟ ।

 

ତେଣୁ ମୁଁ ଆଶା କରେ ଯେ ଏଇ ଉପାଖ୍ୟାନଟି ତମକୁ ଶ୍ରୁତିମଧୁର ହେବ । ତମେ ମତେ କଲମ ଧରାଇଚ । ତମେ ମୋତେ କବିରେ ରୂପାନ୍ତରିତ କରିଚ । ତମେଇ ଏ କବିର କବିତା-। କବିତା ବୁଝିଚି ତାର କବିକୁ । କବିତା ଦେଇଚି ସମ୍ମାନ । କିନ୍ତୁ ଦୁନିଆ–ଦୁନିଆ ବୁଝେ–କଲମ ଓ କାଳିର ସମବାୟ ଚାଷ । ବେକାରର ପ୍ରଳାପ । ଦୁନିଆ ଚାହେଁ ଠିଆ-କବିତା । ଚା ପିଉପିଉ ଆରାମ ଚେଆରରେ ସେ ପଢ଼ିବ କବିତା । ଛନ୍ଦର ଶୃଙ୍ଖଳା ସେ ଚାହେଁନା । ପଦର ମାଧୁର୍ଯ୍ୟ ବି ତା’ର ଦରକାର ନାଇଁ । ସେ ଚାହେଁ ଅକ୍ଷରର ମିଳନ । ଯାହାହେଉ– ଛନ୍ଦବଦ୍ଧ ଏ ଅକ୍ଷର, ଦୁନିଆ ପକ୍ଷରେ ପାଗଳର ଡାଏରୀ ହେଲେ ବି, ତମେ, ହେ ମୋର କବିତା ! ତମେ ତ ଜାଣ–ସେ ଡାଏରୀ କେତେ ରୋମାଣ୍ଟିକ୍‌–କେତେ ମଧୁର !

 

ତମେ ଯେଉଁ ପ୍ରତିଭାର ଉନ୍ମେଷ କରିଚ–ସେଇ ପ୍ରତିଭା ପ୍ରଣୟର କାହାଣୀ ମୁଁ ତମକୁ ଶୁଣାଇବି । ଏଇ ମୋର ଇଚ୍ଛା । କିନ୍ତୁ କହ–ନିଜର ବିଜ୍ଞାପନର ଢୋଲ ପିଟି, ପୋଷ୍ଟରମାରି ମୁଁ କିମିତି କରିବି ମୋର ପ୍ରଚାର ? ତମେ’ଇ ନିଅ ସେଇ ଦାୟିତ୍ୱ । ତମରି କଣ୍ଠରେ ମୋର ପ୍ରତିଭାର ଜୟଜୟକାର ଏ ଦୁନିଆ କରୁ । କାରଣ ବିଜ୍ଞାପନରେ ନାରୀର ମାଧ୍ୟମ ଏକ ପ୍ରତିଷ୍ଠିତ ସୁଗମ ପନ୍ଥା-। ବିଜୁଳିମଲମଠାରୁ ଆହୁରି କ୍ଷିପ୍ର । ମିସ୍ ଇଣ୍ଡିଆ ୧୯୫୨ଙ୍କ ଫଟୋ–ଚାରିଆଡ଼େ ଲିପଟନ୍ ଚା ପୁଡ଼ିଆରେ ତମେ ଦେଖୁଥିବ ତ ? ତେଣୁ ମୋର ଏ ପ୍ରସ୍ତାବରେ ତମେ ଅନ୍ୟ କିଛି ଭାବିବ ନାହିଁ-

 

କବି ଯେପରି ତାର କବିତାକୁ ସମ୍ମାନିତ କରିବ–ଏ ବିନିମୟ ଦୁନିଆରେ କବିତା ମଧ୍ୟ କବିଙ୍କୁ ସେପରି ସମ୍ମାନିତ କରିବ ନିଶ୍ଚୟ । ସେଇଥିପାଇଁ ମଡ଼ାର ଚିତ୍କାର, ମୁମୂର୍ଷୁର ଆର୍ତ୍ତନାଦ, ରୋଗୀର ଔଷଧ, ଆତ୍ମୀୟସ୍ୱଜନଙ୍କର ବିକଳ କ୍ରନ୍ଦନର ପଟୁଆରରେ ତମର କଲମ ଧରିବାର ନିଶା ବୋଧହୁଏ । ହଉ–ଉତ୍ତମ କଥା–ତମେ କଲମ ଧର–ମୁଁ ଶୁଭେଚ୍ଛା ଜ୍ଞାପନ କରୁଛି ।

 

ମୁଁ ଜଣେ ସଂପାଦକ । ଆଜିକାଲି ତ ସଂପାଦକମାନେ ନିଜର ଗୋଷ୍ଠୀ ନେଇ ପାଗଳ । କଳାର ସମ୍ମାନ ସେ ଜାଣନ୍ତି ନାହିଁ । ‘‘ଝଞ୍ଜା’’ ରେ ଅଧ୍ୟାପକ ମଣ୍ଡଳୀଙ୍କ ସମ୍ମିଳନୀ ‘‘କାନ୍ତକବି’’ ରେ ତାଙ୍କର ପାରିଷଦବୃନ୍ଦ । ‘‘ପ୍ରବାସୀ’’ ରେ ଏଜେଣ୍ଟଗଣ–ଏମାନେ ପ୍ରତିଷ୍ଠିତ ପତ୍ରିକା, କାହିଁକି ଅନ୍ୟମାନଙ୍କ କଥା କହିବା ? ଭାତହାଣ୍ଡିରୁ ଗୋଟାଏ ଚିପିବା ଭଲ ।

 

ତମେ କ’ଣ ଜାଣିନ ? ନଳିନୀ, ବିଦୁଲତା ପ୍ରଭୃତି ଜଣେ ଜଣେ ପୁରୁଷଙ୍କ ପାଇଁ– ଆମର ଏଇ ସଂସ୍କୃତି ଜାତିକୁ– ତାଙ୍କ ଲେଖନୀରେ ଉପହାସ କରିଛନ୍ତି । ଏ ସୁଯୋଗ, ଏ ପ୍ରଚାର ସେମାନେ ପାଇଲେ କେମିତି ?

 

ତେଣୁ ମୁଁ ଜଣେ ସଂପାଦକ । ତମ ଲେଖାକୁ କ’ଣ ପ୍ରକାଶିତ କରିବି ନାଇଁ ? ପ୍ରକାଶିତ ହେଲେ ତମର ଲେଖକପଣିଆ ନଥାଉ ପଛକେ ତମେ ଜଣେ ଲେଖକ ହୋଇପାରିବ । ସାହିତ୍ୟିକ ଜଗତରେ ଜଣେ ବୋଲି ପରିଚିତ ହୋଇପାରିବ । ସଭା ସମିତିରେ ସଭାପତିର ଆସନ ଗ୍ରହଣ କରିପାରିବ । ସାହିତ୍ୟ ନାଁରେ କେତେଗୁଡ଼ିଏ ଉପଦେଶ ବିନାମୂଲ୍ୟରେ ବଣ୍ଟନ କରିପାରିବ । ତମର ଗ୍ରନ୍ଥାବଳି ପ୍ରକାଶ ହୋଇପାରିବ । ତମର ଜୟନ୍ତି ନିଶ୍ଚୟ ପାଳିତ ହେବ ।

 

ତମେ ମୋର ପ୍ରେୟସୀ । ତମର ଲେଖା ଅତି ଚମତ୍କାର । ଅକ୍ଷରଗୁଡ଼ିକ ଦେଖିଲେ ମୁଁ ବିଭୋର ହୁଏ । ସ୍ଵପ୍ନ ପୃଥିବୀ ଆଖିରେ ମୋର ନଇଁ ଆସେ । ତମେ ମୋତେ ଭଲପାଅ । ତମେ ଲେଖା ପଠାଅ–ମୁଁ ଛାପିବି । ସପ୍ତାହରେ ଛାପିବି । ମାସରେ ଛାପିବି । ସେ ଦିନ ସେ କବିତାଟି ଦେଖି ଚମକି ପଡ଼ିଥିବ । ସେଇଟା ମୋ କବିତା–ତମ ନାମରେ ଛାପିଚି । ପ୍ରତି ସଂଖ୍ୟାରେ ଲେଖ–ମୁଁ ଛାପିବି ।

 

ସେଦିନ ତମେ ମେଡ଼ିକାଲ୍‌ରୁ ଫୋନ୍‌ କରୁଥିଲ । ମୁଁ କହିଥିଲି, ‘‘ତମ ଫଟୋ ପଠାଅ–ମୋ ରାଣ, ମୁଁ ଛାପିବି–ଲାଜ କାହିଁକି ମ ! ନାଁ, ନାଁ ପଠାଅ–ମୁଁ ଛାପିବି । ମୁଁ ଛାପିବି । ହଁ, ଆଜି ଦେଖା ହବ ତ– । ବେଶ୍ ବେଶ୍, ଆଜି ଯେପରି ତମର ଆପତ୍ତି ନଥାଏ ।’’ ସେଇକଥା ଗୁଡ଼ା ଗୀତାର ବାଣୀ ପରି ମୁଁ ଘୋଷି ରଖିଚି । କିନ୍ତୁ ତମର ଆପତ୍ତିର ମାତ୍ରା ବୋଧହୁଏ ଚକ୍ରବାଳ ସ୍ପର୍ଶ କରିବ ।

 

କିନ୍ତୁ–ତମେ କବିର କବିତା । ଏ ଜୀବନ ବିନିମୟରେ ବି ମୁଁ ତମକୁ ସମ୍ମାନ ଦେଖାଇବି-। ଚିଠି ଦେବ । ଖୁବ୍ ଶୀଘ୍ର । ଆଜିକାଲି ମେଘଦୂତର ପ୍ରୟୋଜନ ତ ନାଇଁ । ତେଣୁ ରାମଗିରି ଆଶ୍ରମରେ ଯକ୍ଷର ଭୂମିକା ପାଇଁ ମୁଁ ପ୍ରସ୍ତୁତ ନୁହଁ । ମୁଁ ଆସେ–

 

ମୋର ସ୍ନେହସିକ୍ତ ଚୁମ୍ବନ ନେବ–

 

ତମର ତନୁ ତନିମାର ସ୍ୱପ୍ନରେ ମୁଁ ରହିଲି ।

 

ତମର

ମୁଁ

 

ଇଞ୍ଜିନିଅରିଂ ଆଭିନିଉ–କଟକ

ଜୁଲଇ ୧୯୫୪

 

(ସାହିତ୍ୟ ସଂସଦରେ ପଠିତ ଓ ଆଲୋଚିତ)

Image

 

ଅମାବାସ୍ୟାର ଜହ୍ନ

 

ଫାଲ୍‌ଗୁନର ରମଣୀୟ ସନ୍ଧ୍ୟା । କିଲି କିଲି ହୋଇ ବୋହି ଆସୁଚି ମଳୟ । ଶୀତର ଦାରୁଣ ପ୍ରଲେପ ଚାଲିଯାଇଚି । ଚୂତଡ଼ାଳରୁ ଭାସି ଆସୁଚି ଗୀତ, କୁ-କୁ, ଯୌବନର ସ୍ପନ୍ଦନ ବୁକୁରେ ଥରି ଉଠୁଚି । ଅଦୂରରେ ଚତୁର୍ଥୀ ଚାନ୍ଦ ଆକାଶର ମେଘମାଳ ଭିତରୁ ଉଙ୍କିମାରି ଲୁଚକାଳି ଖେଳୁଚି-। ସେଇ ଆକାଶର ତଳେ ଓ ମାଟିର ଏ ପୃଥିବୀ ଉପରେ ବସି ଭାବୁଚି ନମିତା । ସମ୍ମୁଖରେ ଛୋଟ ଝରଣାଟିଏ । ସେ ପାଖରେ ବନ୍‌ଶୀ ଧରି ବସିଚି ଅବିନାଶ । ମୁହଁରେ ତାର ଆନନ୍ଦର ହୋରି,ଏତେଦିନ ପରେ ମୁକ୍ତ ଆକାଶର ବାୟୁ ସେବନ କରିପାରୁଚି ସେ । ସେଦିନ ରଣଜିତ୍‌ ସହିତ ଭଞ୍ଜଜୟନ୍ତୀ ଦେଖି ଯିବାକୁ ବାହାରିଥିଲା । ଭଞ୍ଜଜୟନ୍ତୀର ନୃତ୍ୟ ଓ ଗୀତ ତାର ଥିଲା ଆକର୍ଷଣୀୟ । କିନ୍ତୁ ଅଧ୍ୟକ୍ଷଙ୍କ ଅନୁରୋଧରେ ସେ ଫେରି ଆସିଥିଲା ଅଫିସ୍‌କୁ । ସୁଦୂର ମାଳ ଅଞ୍ଚଳରୁ ଗୋଟିଏ ସଂକ୍ରାମକ ରୋଗୀ ଧରା ହୋଇ ଆସିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଦେଶ ତାର ଚିକିତ୍ସା ହେବ । ଅଧ୍ୟକ୍ଷ ଚାହିଛନ୍ତି ତାର ସହଯୋଗ–ସେ ହଁ କରିଚି । ଆଉ ରଣଜିତ୍‌–ମେଡ଼ିକାଲ୍ କଲେଜର ବେଷ୍ଟ ଗ୍ରାଜୁଏଟ୍‌ ରଣଜିତ୍‌– ସେ ଡରି ଯାଇଚି । ଦୂରେଇ ଯାଇଚି । କିନ୍ତୁ ସାହସର ପରିଚୟ ଦେଇ ଆଗେଇ ଆସିଛନ୍ତି ଅବିନାଶ । ଅବିନାଶ ଆଉ ସେ–ଗୋଟିଏ ନିର୍ଜନ ପ୍ରକୋଷ୍ଠରେ ବନ୍ଦୀର ଜୀବନ ଯାପନ କରି ଆରୋଗ୍ୟ କରିଛନ୍ତି ସେଇ ରୋଗୀକୁ । କିନ୍ତୁ ସଂକ୍ରାମକର ଆଶଙ୍କା ଥିବାରୁ ପ୍ରତିଷେଧକ ନେଇ ବର୍ତ୍ତମାନ ଅବିନାଶ ଓ ସେ ଏହି ନିର୍ଜନ ପ୍ରାନ୍ତରରେ ।

ଅବିନାଶ ଜଣେ କୃତବିଦ୍ୟ ଡାକ୍ତର । ଅସ୍ତ୍ର–ଚିକିତ୍ସାରେ ତାଙ୍କର ପାରଦର୍ଶିତା ବେଶୀ–ଅତି ଗରିବ ଅବସ୍ଥାରୁ ଭାଗ୍ୟ ସହିତ ସେ ବାଜି ପକାଇ ପକାଇ ଆସିଛନ୍ତି । ଭାଗ୍ୟର ଦାସତ୍ୱ ସେ କେବେ ସ୍ୱୀକାର କରି ନାହାନ୍ତି । ଅକ୍ଳାନ୍ତ ପରିଶ୍ରମ ତାଙ୍କୁ ଆଜି ଉନ୍ନତିର ଚରମସୀମାରେ ପ୍ରତିଷ୍ଠିତ କରିଚି । ଦେଶର ଜନନାୟକ ତାଙ୍କର ଚରଣ ବନ୍ଦନା କରେ । କିନ୍ତୁ ଡାକ୍ତର ଅବିନାଶ ପ୍ରଶାନ୍ତ ଓ ଗମ୍ଭୀର । କର୍ତ୍ତବ୍ୟର ଖୁରଧାରରେ ତାଙ୍କର ଗତି । ଡାକ୍ତର ରଣଜିତ୍–ତାଙ୍କୁ ନିନ୍ଦା କରି ‘ନାରୀ ନିନ୍ଦୁକ’ ବୋଲି ଆକ୍ଷେପ କରନ୍ତି । ପ୍ରକୃତରେ ନାରୀ–ଏଇ ଶବ୍ଦର ଉଚ୍ଚାରଣରେ ତାଙ୍କର ରୋମାଞ୍ଚନ ହୁଏ । ମୁଖମଣ୍ଡଳ ଗମ୍ଭୀର ହୋଇ ଆସେ । ବଡ଼ ଅଦ୍ଭୁତ ଏଇ ଅବିନାଶ !

ଡାକ୍ତର ରଣଜିତ୍‌ ତାର ପ୍ରେମିକ । ରଣଜିତ୍‌ ତାର ସ୍ଵପ୍ନର ରାଜକୁମାର । ସ୍ୱପ୍ନ ସେ ଅହରହ ଦେଖେ–ରଣଜିତ୍‌ କୋଳରେ ଜୀବନ–କିନ୍ତୁ ଅବିନାଶ ? -ନାଁ ଅବିନାଶ ତାର କେହି ନୁହଁ-। ମାଳ-ରୋଗୀର ଚିକିତ୍ସା ପାଇଁ–କାପୁରୁଷ ରଣଜିତ୍‌ ପଛେଇ ଯାଏ । ମରଣକୁ ତାର ଡର-। କିନ୍ତୁ ଅବିନାଶ ଆଗେଇ ଆସେ । ଦୀର୍ଘ ଏକମାସର ନିର୍ଜନ ଅଧିବାସ–ସେ ପରିଚିତ ହୁଏ–ଅବିନାଶର ହୃଦୟ ସହିତ–କି ମଧୁର–କି କୋମଳ ! ଏଇ ଝରଣାର ପ୍ରଖର ସ୍ରୋତରେ ସେ ଦିନ ଅସହାୟର କବର ରଚୁଥିଲାବେଳେ–ଉଦ୍ଧାର କରିଥିଲେ ଅବିନାଶ । ଦେହର ସାନ୍ନିଧ୍ୟରେ ସୁପ୍ତ ପ୍ରଣୟର ନିଦ୍ରାଭଙ୍ଗ ହେଲା । ସେ ଆଙ୍କିଦେଲେ ରମଣୀର ଗଣ୍ଡଦେଶରେ ଚୁମ୍ବନ, ପ୍ରଣୟର ମୋହର-। ଶିହରି ଉଠିଲା ନମିତାର ତନୁଲତା । ସେ ପଚାରିଲା–ମୋତେ ଭଲପାଅ ‘ଡାକ୍ତର-’ ଲଜ୍ଜାସିକ୍ତ ବଦନରେ ଉଇଁଆସୁଥିଲା ଅରୁଣ ରଙ୍ଗ, ଅବିନାଶ–ଅବିନାଶ ହେବ ତାର ପ୍ରେମିକ ?

ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି ପାରିନି ସେ । କିନ୍ତୁ କାହିଁକି–ଅବିନାଶ ଅନୁରୋଧ କରେ–ସେଦିନର ସେଇ ସ୍ମୃତିକୁ ଦିବାସ୍ଵପ୍ନ ପରି ଭୁଲିଯିବାକୁ । ନମିତାର ସୌନ୍ଦର୍ଯ୍ୟ କ’ଣ ତାର ନାରୀ–ନିନ୍ଦୁକ ପ୍ରାଣକୁ ଆନ୍ଦୋଳିତ କରେନା । ସେଦିନ ତା’ହେଲେ ଛଳନା କରି ଶିଖୁଥିଲା–ଅବିନାଶ । ଯେଉଁ ଅବିନାଶ ପାଇଁ ସେ ତା ଜୀବନର ସୌଭାଗ୍ୟ ରଣଜିତ୍‌କୁ ମନରୁ ଆଡ଼େଇ ଦେଇଚି–ସେ ଆଜି ତାକୁ ଆଡ଼େଇଦେବ । ସମସ୍ତ ଚେଷ୍ଟା ତା’ର ବ୍ୟର୍ଥ ହୋଇଚି । ଅବିନାଶକୁ ପ୍ରଶ୍ନବାଣରେ ଜର୍ଜରିତ କରି ସେ ପାଇଚି ତାର ମନୋଭାବର ପରିଚୟ । ନାରୀମାନଙ୍କୁ ଡରେ ଅବନାଶ । କାରଣସ୍ୱରୂପ ସେଦିନ ତାକୁ ଆଶ୍ଚର୍ଯ୍ୟ କରି ସେ କହିଥିଲା ସୁନ୍ଦର କାହାଣୀ । ଆତ୍ମ ପରିଚୟ ।

ଅବିନାଶ କୁଆଡ଼େ ବିବାହିତ । ଯୌବନର ପ୍ରଥମ ପ୍ରହରରେ ସେ ଥିଲା ଅଭାବର କଷାଘାତରେ ନିଷ୍ପେଷିତ–ଜର୍ଜରିତ । ତାର ଅଜ୍ଞାନତାର ସୁଯୋଗ ନେଇ ତା ଜୀବନ ପଥରେ ଶନିଗ୍ରହ ହୋଇ ଉଦୟ ହୁଏ ମୀରା । ତାର ମାୟା ଜାଲରେ ସେ ଏକ ଶିକାର । ଏଇ ନିରୀହ ଯୁବକ ସହିତ ମୀରା ବିବାହ କରେ କଚେରୀରେ । ଅବଶ୍ୟ ଦୀର୍ଘ ଦଶବର୍ଷର ଚାକିରି ଜୀବନରେ ଅବିନାଶର ତା ସହିତ ସମ୍ପର୍କ ନାହିଁ । ପ୍ରଦେଶର କେଉଁ ଏକ ନିର୍ଜନ କୋଣରେ ମୀରା ହୁଏତ ତା ଜୀବନ କାଟେ । କେବଳ ସେଇ ଜାଣେ–ସେ ଏ ଜଗତରେ ଅଛି କି ନାହିଁ । ନିଷ୍କପଟ ହୃଦୟରେ ଏତକ କହି ଅବିନାଶ କ୍ଷମା ପ୍ରାର୍ଥନା କରେ–‘‘ନମିତା, ମୋତେ ଭୁଲ୍‌ ବୁଝନି ନମିତା–ମୁଁ ନାଚାର–ବନ୍ଦୀ–ଜୀବନରେ ଯଦି କେବେ ପ୍ରଣୟିନୀ ରୂପେ ମୁଁ କାହାକୁ ଦୃଷ୍ଟିପାତ କରିଚି–ସେ ହେଉଚି ମୋର ଅଧିନସ୍ଥା ନର୍ସ–ନମିତା–କିନ୍ତୁ ମୀରା–ସେ ମୋର ବିବାହିତା ସ୍ତ୍ରୀ–ତମର ମୋର ଜୀବନପଥରେ ଏକ ମେଘନାଦ ପାଚେରୀ । କାଲି ହୁଏତ ମୋର ସମ୍ମାନରେ ଆଞ୍ଚ ଆଣି ସେ ବୁଣି ବସିବ ହଳାହଳ ।’’

ସ୍ଥାନୀୟ ଡାକ୍ତରଖାନାରେ ଆସି ଯୋଗଦେଲେ ଅବିନାଶ ଓ ନମିତା । ପୂର୍ବ ସ୍ମୃତିକୁ ନମିତାର ନାରୀପଣ ଭୁଲି ପାରେନି । ସେ ସଙ୍କୋଚଶୂନ୍ୟହୋଇ ଅବିନାଶ ସହିତ କାମ କରିବ କିପରି ? ଛାତ୍ର ତଥା କର୍ମଚାରୀଙ୍କର ବିରାଟ ଆତଙ୍କ–ଡାକ୍ତର ଅବିନାଶ– ତାର ପରିଚିତ– ପ୍ରିୟତମ-। ଏଇ ନିଷ୍ଠୁର ସତ୍ୟ ସେ ପ୍ରକାଶ କରିବ କିପରି ? ତାର ସହକର୍ମୀମାନେ ଏ ସମ୍ବାଦକୁ ଗ୍ରହଣ କରିବେ କିପରି ? ହତାଶ ପ୍ରେମିକ ରଣଜିତ କରିବ କଅଣ ? ସେ ବୋଧହୁଏ କବିତା ଲେଖିବ–ବିରହ ତାକୁ ବ୍ୟସ୍ତ କରିବ । ପ୍ରଣୟ ତାର ଆର୍ତ୍ତନାଦ କରିବ । ମଦନର ଭସ୍ମରେ ରତି ଗାଇଥିଲେ ବିରହ କବିତା । କାଳିଦାସଙ୍କ ଲେଖନୀରୁ ଝରି ଆସିଥିଲା ରତି–ବିଳାପ । ଆଧୁନିକ କାଳିଦାସ ରଣଜିତ ରତିର ଭସ୍ମରେ ଗାଇଉଠିବ ମଦନ ବିଳାପ–

ଖବର ଆସିଚି, ଫୁଲନଖରା ଗ୍ରାମରେ ବାସ କରୁଚି ମୀରା । ସେ ବର୍ତ୍ତମାନ ରୋଗୀ । ମରଣର ବରଣ ପାଇଁ ସେ ପ୍ରସ୍ତୁତ । ଏକ ଶିହରା ମନରେ ସେଦିନ ଭୁବନେଶ୍ୱର ବସ୍‌ରେ ଯାଏ ନମିତା । ପରିଧାନ ତାର ନର୍ସର ପୋଷାକ । ମୀରାର କୋଠରୀକୁ ପ୍ରବେଶ କରି ସେ ଦେଖେ–ଜଣେ ଶୀର୍ଣ୍ଣା–ବିଗତ ଯୌବନା । ଚିତ୍କାର କରି ଉଠେ ସେଇ ବିଗତ ଯୌବନା–‘‘କାହିଁକି, କାହିଁକି ଆସିଚ ତମେ ନର୍ସ ? ମୁଁ ହାତଯୋଡ଼ି କହୁଚି–ଚାଲିଯାଅ, ତମେ ଚାଲିଯାଅ । କୌଣସି ଡାକ୍ତର ବା ନର୍ସକୁ ମୋର ବିଶ୍ୱାସ ନାଇଁ ଏ ଜୀବନରେ । ସେମାନେ ରୋଗୀକୁ କଂସେଇ ପରି କାଟି ପକାନ୍ତି ପରା । ଆଉ– ଯାଉନା କାହିଁକି ? କିଏ ତମକୁ ଡାକିଚି । ଯାଅନା କହୁଛି । ମୋର ଦରିଦ୍ର ଜୀବନ ନେଇ ଏଇ ରୋଗର ଚରମ କଷ୍ଟ ମୁଁ ଭୋଗ କରୁଚି ।’’

ଭଉଣୀ ! କୋମଳ କଣ୍ଠରେ କହି ଉଠିଲା ନମିତା–ମୁଁ ତମକୁ ଦେଖିବାକୁ ଆସିଚି ଭଉଣୀ । ରୋଗୀର ସେବା କରିବା ଡାକ୍ତରର ଧର୍ମ । ସେ ଧନ୍ୱନ୍ତରୀ । ନର୍ସ ହୋଇ ଜୀବନକୁ ପରସେବାରେ ବିନିଯୋଗ କରିବା ମୋର ବ୍ରତ ।

କେତେ ଆଶା କରିଥିଲା ମୋ ବୋଉ । କିନ୍ତୁ ସମାଜର ଆଦେଶରେ–ଆଜିକୁ ବାରବର୍ଷ ତଳେ ମୋ ମଥାରୁ ସିନ୍ଦୁର ପୋଛି ଦିଆଗଲା । ମୋର ମୁଁହକୁ ଚାହିଁ ଚାହିଁ ମା ମୋର ଦୁଃଖରେ ଚାଲିଗଲା । ହତଭାଗିନୀ ମୁଁ–ମା’ କୁ ଖାଇ ଏକା ରହିଲି । କେତେ କେତେ ପ୍ରଲୋଭନ ମୋ ଜୀବନ ଆଗରେ ଆସିଚି । କିନ୍ତୁ ମାନବର ସେବା କରି କରି ଜୀବନ ଯାପନ କରିବାକୁ ମୁଁ ପଣ କରିଚି, ସମାଜର ବାଲ୍ୟ ବିଧବା ମୁଁ–ମୁଁ ଆସିଚି ଭଉଣୀ–ତମରି ସେବା ପାଇଁ–ତମ ନାଁ ମୋତେ କହିବନି ! ତମ ସେବା କରିବାକୁ ମୋତେ ଅନୁମତି ଦେବନି ?

ଏଇ ଆକୁଳ ନିବେଦନରେ ମୀରାର ନାରୀପ୍ରାଣ ଚହଲି ଯାଇଚି । ନମିତା ତା ଅଭିଜ୍ଞତାରୁ ଜାଣୁଚି–ମୀରା ମରଣର ଦ୍ୱାରଦେଶରେ, ଆଉ ବଞ୍ଜିବନି ସେ । ତେବେ କଣ ଆଶା ତାର ସଫଳ ହେବ । ଅବିନାଶ ହେବ ତାର ମନୋପଲି । କିନ୍ତୁ ଅପରେସନ୍ ହେଲେ ବଞ୍ଚିଯାଇ ପାରେ ମୀରା । ବିବେକ ତାର ଦଂଶନ କଲା । ନାଁ ମୀରାକୁ ବଞ୍ଚିବାକୁ ହେବ । ହେଉ ପଛେ ସେ ତାର ସ୍ୱପ୍ନ ପଥରେ ହିମାଳୟ । ଅସ୍ତ୍ର ଚିକିତ୍ସାରେ ପ୍ରବୀଣ ଡାକ୍ତର ଅବିନାଶ । ଫୋନ୍ କଲା ସେ । ଅବିନାଶ ରୋଗୀକୁ ପରୀକ୍ଷା କଲେ, ଆଶୁ ଅସ୍ତ୍ରଚିକିତ୍ସା ଆବଶ୍ୟକ । ସ୍ଥାନାନ୍ତର ପାଇଁ ରୋଗିଣୀର ସ୍ଵାସ୍ଥ୍ୟ ଅନୁକୂଳ ନୁହେଁ । ତେଣୁ ସେଇଠି ସେଇ ଶଯ୍ୟାରେ ତାକୁ କ୍ଳୋରଫର୍ମ ଦିଆଗଲା ।

ନମିତାର ନାରୀ ପ୍ରାଣ ଶିହରି ଉଠିଛି । ମୀରା ବଞ୍ଚିଯିବ । ଡାକ୍ତର ଅବିନାଶ ଜୀବନର ବିରାଟ ପ୍ରଶ୍ନବାଚକ ଏଇ ମୀରା । ଅବିନାଶ, ଆଉ କ’ଣ ? ତମରି ଧର୍ମପତ୍ନୀ ସହିତ ତମେ ରଚିବ ଜୀବନର ସ୍ଵପ୍ନ, ଆଉ ମୁଁ ଆଖିରୁ ଲୁହ ଝରାଇ ବୁକୁର କୋହରେ ଆବୃତ୍ତି କରିବି ବିରହର ଏଲିଜି । ଉତ୍ତରରେ କହେ ଅବିନାଶ ମୋତେ ଭୁଲ ବୁଝନି ନମିତା–ମୋର ଅନ୍ତର ମୁଁ ତମକୁ ଖୋଲି କହିସାରିଚି । କିନ୍ତୁ–କଣ କରିବି, ମୁଁ ନାଚାର । ଏଇ ଅସ୍ତ୍ରଚିକିତ୍ସା ନ ହୋଇଥଲେ ମୀରା ଆଉ ବାଧା ରଚିବାକୁ ଆସନ୍ତା ନାହିଁ । କିନ୍ତୁ ଶାସ୍ତ୍ରର ଅବମାନନା କରିଥାନ୍ତି କିପରି ? ତମେ କହ–ତମର ମୁହଁ ଫିଟାଇ ତମେ କହ– ନମିତା, ମୋର ଉପାୟ ଆଉ କ’ଣ ଥିଲା ? ମୁଁ ପ୍ରଥମେ ଅସ୍ତ୍ରଚିକିତ୍ସା ବିଶାରଦ, ତା’ପରେ ପ୍ରେମିକ । ମୋତେ ଭୁଲ ବୁଝିବନି ନମିତା–କଇଁ କଇଁ କାନ୍ଦିଉଠି କହି ଚାଲିଲା ନମିତା–ହଉ ଅବିନାଶ–ଜୀବନର ଏଇ ବିୟୋଗାନ୍ତକ ନାଟକରେ ଅଂଶଗ୍ରହଣ କରିବାକୁ ଷଠୀର ନିର୍ଦ୍ଦେଶ ଥିଲା । ଏଇ ଜୀବନ ପାଇଁ–ଭାବିବାର ଆଉ କିଛି ନାହିଁ । ଆସ ଆମେ ଭୁଲଯିବା ଯେ–ଆମେ ଦିନେ ଘନିଷ୍ଠ ପରିଚିତ ଥିଲେ । ବିଦାୟ–ଚିରଦିନ ପାଇଁ ବିଦାୟ–ବିଦାୟ ଅବିନାଶ–ରୋଗିଣୀ ଚେତା ଫେରି ପାଇଚି ।

‘‘ଅବିନାଶ’’ ! –ଯାହାକୁ ମୁଁ ବହୁତ ଦିନ ତଳେ ବିବାହ କରିଥିଲି, ନମିତା ସହିତ ଅବିନାଶର ପ୍ରଣୟ ଅଛି ବୋଧହୁଏ । ମୁଁ ଶୁଣିଚି–ତମର କଥୋପକଥନ । ତୁ ଅବିନାଶକୁ ଚିରଦିନ ପାଇଁ ବିଦାୟ ଦେଲୁନା–କିନ୍ତୁ କହ–ଅବିନାଶର ଦୋଷ କେଉଁଠି ? ଦୀର୍ଘ ବହୁବର୍ଷ ତଳେ–ମୁଁ ଥିଲି ସହରର ଶ୍ରେଷ୍ଠସୁନ୍ଦରୀ । ଏଇ ସୌନ୍ଦର୍ଯ୍ୟରେ ବଶ କରିଥିଲି ଅବିନାଶକୁ । ଆଶା ଥିଲା–ଅବିନାଶର ଉନ୍ନତ ଜୀବନରେ–ମୁଁ ପାଇବି–ପ୍ରଚୁର ଧନ । ଏଇ ଧନ ଥିଲା ମୋର ବାସନା, କାମନା । ଏଇ ଧନକୁ ମୁଁ ବିବାହ କରିଚି !

ପ୍ରଳାପ କରିଚାଲିଚି ମୀରା । ସେ କହୁଚି–ତୋର ଓ ଅବିନାଶର ପ୍ରଣୟ ପଥରେ ମୁଁ ବାଧା । କାରଣ ଧର୍ମତଃ ଓ ଆଇନତଃ ସେ ମୋର ସ୍ଵାମୀ । କିନ୍ତୁ ତମେଇ ଦେଇଚ ଜୀବନ । ଇଚ୍ଛା କରିଥିଲେ–ଆଜି ମୋ ଜୀବନ ପୃଷ୍ଠାରେ ସମାପ୍ତ ବୋଲି ଲେଖିଦେଇ ପାରିଥାନ୍ତ–କହ, କହ ନମିତା ମୋତେ ବଞ୍ଚାଇ ତମେ ହନ୍ତସନ୍ତ ହେବାକୁ ଗଲ କାହିଁକି ?’’ ଡାକ୍ତର ଓ ନର୍ସ–ଆହତ ମନୁଷ୍ୟର ସେବାକାରୀ । ସେବକର ଦାୟିତ୍ୱ ଆମେ ତୁଲାଇଚୁ ମାତ୍ର–ସେଥିରେ ଲାଭକ୍ଷତିର ପ୍ରଶ୍ନ କାହିଁ ?’’

ମୀରାର ନିର୍ଦ୍ଦେଶରେ ଗୋଟିଏ ଛୋଟ ବାକ୍‌ସ ଉଠାଇ ଆଣିଚି ନମିତା । ସେଇ ବାକ୍‌ସ ଖୋଲି– କାଗଜ ଉପରେ କାଗଜ ପରୀକ୍ଷା କରୁଚି ମୀରା । ଶେଷରେ ଆନନ୍ଦରେ ହସିଉଠି–ସେ ନମିତାକୁ ଦେଇଚି ଖଣ୍ଡିଏ କାଗଜ । ହସି କହିଚି ମୋତେ ବଞ୍ଚାଇଲୁ ଭଉଣୀ । କିନ୍ତୁ ମୁଁ କ’ଣ କୃତଘ୍ନ-? ନେ, ହସି ହସି ଏଇ ପୁରସ୍କାର, ତତେ ଗ୍ରହଣ କରିବାକୁ ହବ । ଜୀବନସାରା ତୁ ମତେ ମନ ପକାଇବୁ ନିଶ୍ଚୟ । ବିସ୍ମୟରେ ନମିତା ପଢ଼ୁଚି ଏକ ବିବାହ ଦଲିଲ୍‌ । ଉଣେଇଶ ପଇଁତିରିଶ ମସିହାରେ ମୀରାର ବିବାହ । ଏଁ, ଏ ତ ଅବିନାଶ ନୁଁହେଁ–ଶ୍ରୀନାଥ । ଆଶ୍ଚର୍ଯ୍ୟ ! ‘‘ଆଶ୍ଚର୍ଯ୍ୟ କିଛି ନାହିଁ ଭଉଣୀ ! ବୁଭୁକ୍ଷାର ପ୍ରତିଧ୍ୱନିରେ ଯୌବନରେ ଏପରି ଅନେକ ଅପକର୍ମ କରିଚି–ତାର ପ୍ରାୟଶ୍ଚିତ୍ତର ତିଥି ସମାଗତ ।

ପାରାଦ୍ୱୀପ ବନ୍ଦର । ଓଡ଼ିଶାର ସମୃଦ୍ଧିର ଏକ ମାଇଲ ଖୁଣ୍ଟ ରୂପେ-ହସି ଉଠୁଚି–ମାନଚିତ୍ର ଉପରେ । ଇତିହାସ ନେଇ କେବଳ ଗର୍ବକରି ଜାଣେ ଯେଉଁ ଜାତି-ସେଇ ଜାତିର ମୋହ-ନିଦ୍ରା ଅପସରି ଯାଇଚି । ସୀମା କମିଶନର ନିଷ୍ପତ୍ତିରେ-ସମଗ୍ର ବିଚ୍ଛିନ୍ନାଞ୍ଚଳର ସମଷ୍ଟି–ବିଶାଳ ଉତ୍କଳର ମାନଚିତ୍ରରେ ଆଜି ପ୍ରଗତିର ଆଲୋକ ସୁସ୍ପଷ୍ଟ । ଇତିହାସର ପୁନରାବୃତ୍ତି ପାଇଁ ‘ଭାଷାନୟ’ ଓଡ଼ିଆ ଭାଷାର ଆହ୍ୱାନରେ–ଆଜି ସମସ୍ତେ ମତ୍ତ । ଏହି ବନ୍ଦରରେ ସହସା ପହଞ୍ଚିଲା–ଗୋଟିଏ ବୁଇକ୍‌ କାର ।

ସମୁଦ୍ରର ଉତ୍ତାଳ ତରଙ୍ଗରେ ଦଣ୍ଡାୟମାନ ଜଳ-ମହତାବ । ଓଡ଼ିଶାର କାରିଗରମାନଙ୍କ ନିର୍ମିତ ପ୍ରଥମ ଜଳଜାହାଜ । ଏହି ଜାହାଜ ସୁଦୂର ବିଦେଶକୁ ସମୁଦ୍ରର ଢେଉ କାଟି କାଟି ଯାତାୟାତ କରେ ନୀଳଚକ୍ରର ପତାକା ବୁକୁରେ ଧରି । କାର୍‌ରୁ ଓହ୍ଲାଇ ପଡ଼ିଛି ମୀରା । ନମିତା–ଅବିନାଶ ମଧ୍ୟ ଆସିଛନ୍ତି । ସେଇ ବେଳାଭୂମିରେ ବହୁ କୃତଜ୍ଞତା ଜ୍ଞାପନକରି କହିଚି ମୀରା–ଅତୀତରେ ତମକୁ ବିବାହ କରିଥିଲି ଅବିନାଶ–ତାହା ଛଳନା–ତମେ ମୋର ଜୀବନ୍ୟାସ କରିଚ । ମରଣ ବାଟରୁ ଫେରାଇ ଆଣିଚ । ତମରି ପ୍ରଣୟିନୀ ହାତରେ ତମକୁ ଆଜି ସମର୍ପି ଦେଉଚି, ଅବିନାଶ ! ମୋର ଛଳନାର ଏହା କଣ ଉପଯୁକ୍ତ ପ୍ରାୟଶ୍ଚିତ ନୁହେଁ, ନମିତା–ତୁ ମଥାରେ ସିନ୍ଦୂର ନେଇ ଆଜୀବନ ଅବିନାଶର ପ୍ରତିଭା ହେବୁ–ଏଇ ମୋର ବିଶ୍ୱାସ । ବିମଳାଙ୍କ ସିନ୍ଦୂର ନମିତାର କପାଳରେ ବୋଳି ଦେଲା ମୀରା–

ଘଣ୍ଟି ବାଜି ଉଠିଲା । ଜାହାଜରେ ନିରୂପିତ ସ୍ଥାନକୁ ଚାଲିଗଲା ମୀରା । ମହୋଦଧିର ଢେଉ କାଟି କାଟି ଆଗେଇ ଚାଲିଲା ଜଳ-ମହତାବ–ଓଡ଼ିଶାର ହୃତ ଗୌରବକୁ ସତେ ଯେପରି ସମୁଦ୍ର ପାଣିରୁ ଛାଣିଆଣିବ । ଆଉ ସେଇ ଜାହାଜ ବୁକୁରେ ଦୂରକୁ ଚାଲିଲା ମୀରା–ନିଜର ଭବିଷ୍ୟତ ଜୀବନ–ସୁଦୂର ଆଣ୍ଡାମାନ୍ ଦ୍ୱୀପରେ କଟାଇବା ପାଇଁ । ସେଇଠି ସେ ପ୍ରଚାର କରିବ–ଜଗନ୍ନାଥଙ୍କର ସତ୍ୟ ଓ ଅହିଂସାର ବାଣୀ । ସେଇଠି ଜନତାକୁ ଶିଖାଇବ–ତ୍ୟାଗର ପରାକାଷ୍ଠା । ସେଇଠି ତାର ସ୍ୱପ୍ନର–ଅବହେଳିତ ଦ୍ୱୀପ ଆଣ୍ଡାମାନ୍ ଉଜ୍ଜ୍ୱଳ ହୋଇ ଉଠି ସାରା ପୃଥିବୀକୁ ସଙ୍କେତ ଓ ନିର୍ଦ୍ଦେଶ ଦେବ । ଜାହାଜର ଡେକ୍ ଉପରୁ ରୁମାଲ ହଲାଇ ବିଦାୟ ନେଉଥାଏ, ଜଗନ୍ନାଥ ଧର୍ମର ସଂଘମିତ୍ରା–ମୀରା । ଉପକୂଳର ପ୍ରଣୟୀ ଯୁଗଳ ଅବିନାଶ ଓ ନମିତା–ଦେଉଥିଲେ ପ୍ରତ୍ୟୁତ୍ତର । ଚକ୍ରବାଳ ଉପରେ ସୂର୍ଯ୍ୟଙ୍କର ଅସ୍ତଗାମୀ କିରଣ ଆକାଶରେ ସୃଷ୍ଟି କରିଥିଲା ବିଚିତ୍ର ଶୋଭା ।

(ଇଂରାଜୀ ଉପନ୍ୟାସ Dilemma of Dr Hilary ର ସଂକ୍ଷିପ୍ତ ବିଷୟବସ୍ତୁକୁ ଆଧାର କରି–ଓଡ଼ିଶାର ପଟ୍ଟଭୂମିରେ ଏ କାହାଣୀ) ।

ଇଞ୍ଜିନିଅରିଂ ଛାତ୍ରବାସ–କଟକ

ମେ,୧୯୫୩

(ସାହିତ୍ୟ ସଂସଦର ପଠିତ ଓ ଆଲୋଚିତ)

Image

 

ପାଞ୍ଚାଳୀ

 

ପାଞ୍ଚାଳୀର ରାଜମୁକୁଟ ଦ୍ରୁପଦଙ୍କ କନ୍ୟା ଆଜି ପତି ବାଛିବେ । ସ୍ଵୟମ୍ବରର ଆୟୋଜନ-। ରାଜଦରବାରରେ ନିମନ୍ତ୍ରିତ ଭାରତର ଅସଂଖ୍ୟ ରାଜମୁକୁଟ–ଦାୟାଦଙ୍କ ସମ୍ମିଳନୀ । ସଭାପତିର ସ୍ଥାନ ଗ୍ରହଣ କରିଛନ୍ତି -ଦ୍ରୁପଦ । ବାମ ପାଶରେ ସ୍ୱୟମ୍ବରା ଦୌପଦୀ । ପଣ ତାଙ୍କର ଦିବାକର ତେଜରେ ପ୍ରଜ୍ଜ୍ୱଳିତ ବିକ୍ରମଶାଳୀ, ପୁରୁଷସିଂହ ଗଳାରେ ପତ୍ନୀତ୍ୱର ନିଦର୍ଶନ ବରଣମାଳା ସେ ଦେବେ । ଏହି ଦିବାକର ତେଜା ଜଳକୁଣ୍ଡରେ ପ୍ରତିଚ୍ଛାୟା ଦର୍ଶନ କରି ଅଧୋବଦନରେ ବିଦ୍ଧକରିବେ ଘୂର୍ଣ୍ଣିତ ଚିତ୍ର ଅନ୍ତରାଳରେ ଥିବା ମତ୍ସ୍ୟକୁ । କିଏ ? କିଏ ଏ ଦ୍ୱିଜ–ରାଜକନ୍ୟା ଦ୍ରୌପଦୀଙ୍କ ବାହୁ-ମୃଣାଳରୁ ଗ୍ରହଣ କରୁଛି ବରଣମାଳା । ଚାରୁଶୀଳା ହସର ଅରୁଣ ରାଜଜେମାର ମୁଖ ମଣ୍ଡଳରେ ଛାଇଗଲା । ଗଭାରୁ ମଲ୍ଲୀ ଖସି ପଡ଼ିଲା । ବକ୍ଷ ଉନ୍ନତ ହୋଇ ଉଠିଲା–ରୂପେଲି ପର୍ଦ୍ଦାରେ ଭାସି ଉଠିଲା–ଇଣ୍ଟରଭାଲ୍.....

କିଏ ଏହି ବୃହନ୍ନଳା ! ବିରାଟ ରାଜମୁକୁଟର ଅଲିଅଳ ଉତ୍ତରାକୁ ନୃତ୍ୟ ଓ ସଙ୍ଗୀତର ଶିକ୍ଷାଦିଏ । ଏ କ’ଣ ସେଇ ଦିବାକର ? ଯେ ପାଞ୍ଚାଳୀ ସ୍ଵୟମ୍ବରରେ ପତିତ୍ୱରର ଦାବି ଜାହିର କରିଥିଲା । ସେହି କନ୍ୟା–ପଞ୍ଚଭ୍ରାତାଙ୍କ ଶକ୍ତି ଓ ପ୍ରେମର ଉତ୍ସ । ଇନ୍ଦ୍ରପ୍ରସ୍ଥର ରାଜନଗରରେ–ରାଜରାଣୀ ? କୀଚକର ଭୀମ ଦୁର୍ବାର ଆଶାରୁ–ସତୀତ୍ୱର ପରିତ୍ରାଣ ପାଇଁ କଣ ଏଇ ରାଜକନ୍ୟାର ଅନ୍ୟତମ ସ୍ଵାମୀ–ବୃକୋଦର ଆତତାୟୀରେ ପର୍ଯ୍ୟବସିତ ହେଲେ–ବୁଲିଗଲା ଚିତ୍ରପଟ ।

ଗୌରୀଶଙ୍କର ଶୃଙ୍ଗ-ପଞ୍ଚଭ୍ରାତା–ବାନପ୍ରସ୍ଥରେ ହିମାଳୟ ଅଭିଯାନ କରୁଅଛନ୍ତି । ତୁଷାରର ଶୀତଳ, ବକ୍ଷରେ–ମାନବର ପଦାରୋହଣ–ଏ କଣ ମହାଯାତ୍ରା–ନାଁ ହିମସିକ୍ତ ନଗାଧିରାଜ ହିମାଳୟ ଚୂଡ଼ାରୁ ପୃଥିବୀ ସନ୍ଦର୍ଶନ । କିନ୍ତୁ ରାଜକନ୍ୟା ପଡ଼ିଗଲେ । ଆରୋହଣର ଶକ୍ତି ଆଉ ନାହିଁ । ବୃକୋଦରଙ୍କ ଆପତ୍ତିର ସୁନ୍ଦର ସମାଧାନ । ସେ ପଞ୍ଚଭ୍ରାତାର ଅଙ୍କଶାୟିନୀ ହେଲେ ମଧ୍ୟ ପକ୍ଷପାତିନୀ–ମାଦ୍ରୀସୁତ ନକୁଳଙ୍କୁ ପ୍ରଗାଢ଼ ପ୍ରେମ କରନ୍ତି–

ବକ୍ତୃତା ବନ୍ଦ କର ମିହିର । ତୋର ବକ୍ତୃତାର ବାଣାଘାତରେ ଆମର ଏଇ ସମ୍ମିଳନୀ ଭାରାକ୍ରାନ୍ତ ।

ପ୍ରେମର କାହାଣୀ–ଖୁସି ପିକଚର୍‍ସର ପ୍ରଥମ ଅବଦାନ । ଏଇ ପାଞ୍ଚାଳୀ–ତାର ବିଷୟବସ୍ତୁ ତୋତେ ବିରକ୍ତିକର ଲାଗୁଚି ? କଳାକାର ହଁ ହିମତଳ୍ପ ହିମାଳୟରେ ରଜନୀଗନ୍ଧାର ମହକ ଅନୁଭବ କରେ ।

ବକ୍ତୃତା ସରିଲା ତ–ତୋର ଏଇ ଆଲୋଚନାରେ ଆମେ ପ୍ରୀତ-ମିହିର ! ଧୀର ଅଥଚ ଗମ୍ଭୀର ଗଳାରେ ଉତ୍ତର ଦେଲା ଶିବକୁମାର । ତେବେ ଏଇ ପ୍ରେମର ଅମରକାହାଣୀରେ ରୋମାଞ୍ଚ ଜମିଉଠେ–ତରୁଣ ମନରେ କେତେ ଅରୁଣ କଳ୍ପନା–ତାର ଗାଦି ଜମାଇ ବସେ–କିନ୍ତୁ ଏ ବାସନ୍ତୀମୁଖର ସନ୍ଧ୍ୟାରେ-କେବଳ ଆଲୋଚନା-ବକ୍ତୃତା କ’ଣ ଆନନ୍ଦ ଦେଇପାରେ ? ଉପଭୋଗ–ଉପଭୋଗ ହିଁ ଆନନ୍ଦ ବନ୍ଧୁ ।

ନାଁ ତା କୁଆଡ଼ୁ ହବ ? ଆନନ୍ଦ ଦେବ କେବଳ ଓମାରଖାୟାମ–ତାଙ୍କର କାନ୍ତି ମଧୁର ରୁବାଇ । ତରୁଣ–କବି ସୂର୍ଯ୍ୟକାନ୍ତଙ୍କର ରୁବାଇରୁ ପଦେ ଶୁଣ ।

‘‘ସହକାର ତଳେ ହେମନ୍ତ ସଞ୍ଜର ଛାଇ’’

ସୁରା ପିଇଯିବା ପ୍ରଣୟ ସଙ୍ଗୀତ ଗାଇ

ସୁରସାଥେ ତମେ, ହେ ମୋର ମାଳବିକା

ଜୀବନ ଖୋଜିବା ପ୍ରୀତିର ପସରା ବହି’’

ଏଇ–ଏଇ ତତେ ଆନନ୍ଦ ଦେବ ନା ? ଉତ୍ତର କଲା ମିତ୍ରଭାନୁ ।

ନାଁ ଆଉ କ’ଣ–ବକ୍ତୃତା ? ପାଞ୍ଚାଳୀ କଣ କଲେ ! ସୂର୍ଯ୍ୟପୁତ୍ର କର୍ଣ୍ଣଙ୍କ ଅପାନରେ ଆଶାୟୀ ହେଲେ । ଖୁସି ପିକଚର୍‌ସର ଅବଦାନ କ’ଣ ? ନିର୍ଦ୍ଦେଶକ ବନକୁମାରଙ୍କ ନିର୍ଦ୍ଦେଶ ତଥା ପ୍ରଯୋଜକ ବ୍ରଜଶଙ୍କରଙ୍କ ଉଦ୍ୟମ ଓଡ଼ିଶା ଛାୟା ଛବି ଜଗତରେ ନୂତନ ଅଧ୍ୟାୟ । –ଏଇସବୁ ବାଜେ କଥା–

ଆରେ ଶୁଣ୍‍ । ତୁ ଜାଣିଚୁ ଏଇ ବନକୁମାର ନିର୍ଦ୍ଦେଶ ଦେଇଥିଲେ–ଆଉ ଗୋଟିଏ–ଚିତ୍ର–‘‘ନିର୍ମଳ ଶୋଭା’’ । କି ଚମତ୍କାର ସେ ଚିତ୍ରଟି । ମୋର ମନେ ହେଲା–ଉତ୍କଳର କଥାଚିତ୍ରର ଚମତ୍କାରିତା–ଦିନେ ପୃଥିବୀର ଦ୍ୱିତୀୟ ହଲିଉଡ୍‌ ରୂପେ ପରିଚିତ କରିବ–ଏଇ ଓଡ଼ିଶାକୁ । ସେ ଛବି ଆକୁମାରୀ ହିମାଚଳ ଜନତାକୁ ଉଦ୍‍ବୁଦ୍ଧ କରିବ । ‘ଗଜପତି’ ପୁରସ୍କାର ସେଦିନ ପରା ନୂଆ ରାଜଧାନୀ ଶିଶିର ଉତ୍ସବରେ ମୁଖ୍ୟମନ୍ତ୍ରୀ–ବନକୁମାରଙ୍କୁ ପ୍ରଦାନ କଲେ ।

ଆଉ ତୁ ? ତୁ କଣ ଓଡ଼ିଶାର ଷ୍ଟୁଡ଼ିଓ ଖୋଲିବୁ ନୀଳାମ୍ବୁ ଚିଲିକାର ତଟ ଦେଶରେ ନାଁ ଖଣ୍ଡଗିରିର ଐତିହାସିକ ଗିରିଗୁମ୍ପା ନିକଟରେ–

ହଁ ହଁ–ମୁଁ ଷ୍ଟୁଡ଼ିଓ ଖୋଲିବି–କିନ୍ତୁ ବହୁକୁଦର ପ୍ରକୃତି କୋଳରେ । ତୁ ଜାଣିଚୁ ଶିବ–ଏଇ କଥାଚିତ୍ରର ନାୟକ ନାୟିକାଙ୍କ ବ୍ୟକ୍ତିଗତ ଜୀବନ -କିପର ଚିତ୍ରିତ ହୋଇଚି– ଖୋଲା ଖୋଲି ଭାବରେ -ସେଇ ମ, ‘ଚିତ୍ର– ଭାରତୀ’’ ପ୍ରତ୍ରିକାରେ ।

 

ମୁଁ ତ ସେଇକଥା କହି ଆସୁଥିଲି । ଉପକ୍ରମଣିକା ସାରି ନାହିଁ । ଶିବ ଏଇ ବିରାଟ ପ୍ରଶ୍ନବାଚୀ ରୂପେ ପୂର୍ଣ୍ଣଚ୍ଛେଦ ଟାଣିଦେଲା ।

 

ଏତେ ରବାଡ଼ମ୍ବର ବକ୍ତୃତା କରନାହିଁ ଭାଇ । ଚର୍ଚ୍ଚିଲଙ୍କ ପେଶା ମାରିଦବୁ ବୋଧେ । ସତେ ଯେପରି କାଳୀଙ୍କ ଅଭିସାର ରାଜପଥରେ ଶିବଶଙ୍କର । ହୁଁ–

 

ତୁ ଜାଣିନାହୁଁ ମିତ୍ରଭାନୁ ! ମିହିର ଗୋଟିଏ ପ୍ରଗତିଶୀଳ ସାହିତ୍ୟ ପତ୍ରିକାର ସଂପାଦକ । ସେ ଏହି ବିଷୟ ବହୁତ ଜାଣେ । ଆଉ ତା କଥା–ମୋ ମାନସିଂ ଢଙ୍ଗରେ ପ୍ରକାଶ ନକରି–ଆରମ୍ଭ କରୁଥିଲା ଭଞ୍ଜ ଢଙ୍ଗରେ । ତୁ ବାଧାଦେଲୁ । ମିଷ୍ଟର ମିହିର–ସେ ସବୁ ଉପମା ଉପମେୟ ଛାଡ଼ି, ଓହ୍ଲାଇ ଆସ ବନ୍ଧୁ–ବିଚ୍–ରାସ୍ତାକୁ । ସବୁକଥା ଠିକ୍ ଠିକ୍ କହିଯାଅ ବନ୍ଧୁ । ଧୈର୍ଯ୍ୟର ପରୀକ୍ଷକ ତମେ ନୁହଁ ।

 

କ୍ଷମାକର ଭାଇ । ତୁ ପରା ପତ୍ରିକାର ସଂପାଦକ । ସାହିତ୍ୟର ଦୁର୍ଗମ ପଥରେ ଯୁଗଯାତ୍ରୀ । ତୋରି କଲମର ବାଣୀ ଝଂକାରରେ ଜାଗିଉଠେ ଏଇ ମୋର ମାତୃଭୂମି–ଓଡ଼ିଶାର ସାରସ୍ୱତ ଯାତ୍ରୀ–ମୋର ଅଭିନନ୍ଦନ ନିଅ । ବର୍ଣ୍ଣନା କର ତମର କଥା କଳ୍ପନା–

 

ସ୍ପର୍ଦ୍ଧିତ ଗଳାରେ ଆରମ୍ଭ କଲା ମିହିର । ହଁ, କଣ କହୁଥିଲି କି–ଯୁଧିଷ୍ଠିର, ବୃକୋଦରଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲେ–ପାଞ୍ଚାଳୀ-ସୁନ୍ଦରୀ, ସୌନ୍ଦର୍ଯ୍ୟର ସୋମରସରେ ଗର୍ବିତା–ନକୁଳଙ୍କୁ ଅତ୍ୟଧିକ ପ୍ରେମକରି ଅନ୍ୟମାନଙ୍କୁ ହେୟ ଦୃଷ୍ଟିରେ ସେ ପକ୍ଷପାତ କରିଥିଲେ । ତେଣୁ ହିମାଳୟ ଆରୋହଣରେ ସେ ଅକ୍ଷମ । ତେବେ ବନ୍ଧୁଗଣ ! ଏ ବିଷୟବସ୍ତୁ ପୌରାଣିକ । ପୁରାଣ କବିଙ୍କ ଲେଖନୀରେ ଏକ ମନୋଜ୍ଞ କାହାଣୀ । କିନ୍ତୁ ଆଶ୍ଚର୍ଯ୍ୟର କଥା–ଏଇ ପରମାଣୁ ଯୁଗରେ ଏ କାହାଣୀର ପୁନରାବୃତ୍ତି ହୋଇଛି । ଇତିହାସର ପୁନରାବୃତ୍ତି !

 

ସତେ ? ଦୁଇଟି ଗଳାର ବିସ୍ମିତ ପ୍ରଶ୍ନବାଚୀ ।

 

ସୂର୍ଯ୍ୟକାନ୍ତ ଜଣେ ସ୍ଫୁଟନ୍ତ ଯୁବକ । ଚେହେରାରେ ତାଙ୍କର କମନୀୟତା ଅଛି । ସେ ରାଗିଗଲେ ମାରାତ୍ମକ । ସତେକି ବନାନୀରେ ଅଗ୍ନି ସଂଯୋଗ ହୋଇଚି । ଅନ୍ୟ ସମୟରେ ହିମ, ଶୀତଳ । ଏଇ ଯୁବକ ଜୀବନରେ ବହୁ ଉନ୍ନତି କରିଛନ୍ତି । ସାହିତ୍ୟରେ ଡକ୍ଟରେଟ ପାଇଛନ୍ତି–ବଶିଷ୍ଠ ଓ ବିଶ୍ୱାମିତ୍ରଙ୍କ ଉପରେ ଏକ ତୁଳନାତ୍ମକ ଥେସିସ୍ ଉପରେ । ସେ କହିଛନ୍ତି–ବଶିଷ୍ଠ ବ୍ରାହ୍ମଣ–ତପସ୍ୟାରେ ବ୍ରହ୍ମର୍ଷୀ । ଅସ୍ପୃଶ୍ୟତା ନିବାରଣ ପାଇଁ ସେ ବିବାହ କଲେ ଅରୁନ୍ଧତୀଙ୍କୁ । କିନ୍ତୁ ବିଶ୍ୱାମିତ୍ର କ୍ଷତ୍ରିୟ । ଅପୂର୍ବ ମନଶକ୍ତିରେ ଅନିନ୍ଦ୍ୟ ସୁନ୍ଦରୀ ରାଣୀମାନଙ୍କ କୋଳରୁ ଉଠି ଆସି ସେ ସାଧନା କରିଛନ୍ତି । ରାଜର୍ଷୀ–ବ୍ରାହ୍ମଣ–ବ୍ରହ୍ମର୍ଷୀ–ଏଇ ମହାତ୍ମା ସାଧନାର ମହିମାରେ ପ୍ରଜ୍ଜ୍ୱଳିତ, ମେନକା ବାଧା ଆଣିଚି । ବନ୍ଧୁର ଜୀବନରେ ବିଜୟୀ ଏଇ ମହାତ୍ମା–ନୂତନ ସୃଷ୍ଟି କରିଛନ୍ତି । ମ୍ଳେଚ୍ଛ କରିଚି–ସ୍ଵର୍ଗଲାଭ । ମେଘମାଳାର ହୋଇଚି ସୃଷ୍ଟି । ତେଣୁ ବିଶ୍ୱାମିତ୍ର–ବ୍ରାହ୍ମଣର ଅହମିକା ଚୁର୍ଣ୍ଣକରି ପ୍ରମାଣ କରିଛନ୍ତି–ସାଧନା ହିଁ ପଥରର ପଥୁକୀକୁ ରାଜମୁକୁଟର ସମ୍ମାନ ଦିଏ । ଏହି ସୂର୍ଯ୍ୟକାନ୍ତଙ୍କର ଦୁଇଜଣ ଅନ୍ତରଙ୍ଗ ବନ୍ଧୁ–ରୁଦ୍ରଜିତ ଓ ନୀଳମାଧବ । ତିନିଜଣଙ୍କର ବନ୍ଧୁତା ସୁନ୍ଦର ଓ ଘନିଷ୍ଠ । ରୁଦ୍ରଜିତ ଜଣେ ବିଶିଷ୍ଟ କାର୍ଯ୍ୟକ୍ଷମ ବ୍ୟକ୍ତି । ସେ ଭାରତର ଜଣେ ବିଶିଷ୍ଟ ବିଦ୍ୟୁତ୍ ବୈଜ୍ଞାନିକ । ଆଉ ନୀଳମାଧବ–ହସ ସବୁବେଳେ ଲାଗିରହିଥାଏ । ସ୍ଥିତ ପ୍ରଜ୍ଞପ୍ରତ୍ୟୁପନ୍ନମତି–ମାତୃସେବକ ଏଇ ଯୁବକ–ବାଣୀର ଆରଧନା କରନ୍ତି । ସେ ମଧ୍ୟ ଜଣେ ଇଞ୍ଜିନିଅର । ଯେଉଁ ଇଞ୍ଜିନିଅରମାନେ ଭାରତର ମାନଚିତ୍ର ବଦଳାଇବାର ଶପଥ ନେଇ ନବଭାରତ ମୂଳଦୁଆ ସ୍ଥାପନରେ–କର୍ମସ୍ରୋତରେ ଅସ୍ଥିର–ସେଇମାନଙ୍କ ମଧ୍ୟରେ ନୀଳମାଧବ ଅଗ୍ରଣୀ ।

 

ସୂର୍ଯ୍ୟକାନ୍ତ ଯୁବକ ବୟସରେ ଅନିନ୍ଦ୍ୟ ସୁନ୍ଦରୀ ଜଣେ ଯୁବତୀଙ୍କ ପ୍ରଣୟ ଫାଶରେ ଆବଦ୍ଧ ହେଲେ । ସେ ପ୍ରଣୟର ଗତି ଦାମ୍ପତ୍ୟରେ ପରିଣତ ନ ହୋଇ ଅନୁକମ୍ପାରେ ପର୍ଯ୍ୟବସିତ ହେଲା । ପାଷାଣ ଓ ଗମ୍ଭୀର ସୂର୍ଯ୍ୟକାନ୍ତଙ୍କ ହୃଦୟରେ ସ୍ପନ୍ଦନର ସୂତ୍ରପାତ ହେଲା । ତିଳୋତ୍ତମା ଏଇ ଯୁବତୀ–ନନ୍ଦିତାର ପ୍ରଣୟ ଫାଶରେ ଘଟଣାକ୍ରମେ ଆବଦ୍ଧ ହେଲେ ରୁଦ୍ରଜିତ ଓ ନୀଳମାଧବ । ବନ୍ଧୁତାର ପରିଧିରେ ପ୍ରଣୟ କାହାଣୀର ଆଲୋଚନାରେ ବନ୍ଧୁକ୍ରୟ ଦେଖିଲେ ଯେ ସେମାନଙ୍କ ମାନସୀ ଏକ ଓ ଅଭିନ୍ନ ! ନନ୍ଦିତା ରାୟ ! ସମୟର ସ୍ରୋତରେ ସେମାନେ ଆବିଷ୍କାର କଲେ–ଅଭିନବ ସାହୁ ଓ ହାସାନ୍ ମହମ୍ମଦଙ୍କୁ । ସେମାନେ ମଧ୍ୟ ନନ୍ଦିତାର ପ୍ରେମପ୍ରାର୍ଥୀ । ଖିଆଲରେ ବନ୍ଧୁତାର ଜାଲ ବିସ୍ତାର କରି ଏହି ବନ୍ଧୁକ୍ରୟଙ୍କ ସହିତ ଯୋଗଦେଲେ ଅଭିନବ ଓ ହାସାନ୍‌ ।

 

ପ୍ରଣୟନୀ ସେ ପାଞ୍ଚଜଣଙ୍କର ଏକ, ସମସ୍ତେ ଜାଣନ୍ତି । କିନ୍ତୁ ମତଭେଦର ପ୍ରଶ୍ନ ନାହିଁ । ତଥାପି ପ୍ରଣୟ ! ପ୍ରଣୟର ଆଘାତରେ ଅନ୍ତର ଶତଧା ବିଦୀର୍ଣ୍ଣ ହୋଇଗଲା । ସୂର୍ଯ୍ୟକାନ୍ତ ରହିଲେ ମୂକ । ‘‘ଚୁମ୍ବନ ଓ ପଳାୟନ’’ ଉପରେ ଲେଖନୀ ଚଳାଇବାକୁ ସେ ଚେଷ୍ଟିତ । ରୂଦ୍ରଜିତ୍‌ ପ୍ରେମର ଅଞ୍ଜନରେ ଅଭିସାର ଖୋଜିଲେ । ଆଉ ନୀଳମାଧବ–ପ୍ରଣୟକାବ୍ୟ ରଚନା କରି–କାଳିଦାସଙ୍କ ସମ୍ମାନ ଦାବି କଲେ । ପଢ଼ିଥିବୁ ଶିବ–ନୀଳମାଧବଙ୍କର ଅମର-କାହାଣୀ ‘‘ପ୍ରେମ ପତ୍ର’’ । ଏକ ଅନବଦ୍ୟ ଉପନ୍ୟାସ ।

 

କିନ୍ତୁ ନବାଗତ ବନ୍ଧୁ–ଅଭିନବ ଓ ହାସାନ୍–ପ୍ରଣୟକୁ ବ୍ୟଭିଚାର କଲେ । ସେମାନେ ଖୋଜିଲେ ଦେହର ଦାବି । ନନ୍ଦିତା–ନାରୀ ତନୁର ପାର୍ଥିବ ସୌନ୍ଦର୍ଯ୍ୟକୁ ଅଣୁ-ପରମାଣୁ ସମେତ ବାଣ୍ଟିଦେଲେ । ସେ ପ୍ରଚାର କଲେ–‘‘ନୀରବତା–ନିଶ୍ଚୟ ମହତ୍‌ । କିନ୍ତୁ ମଦନ ସାମ୍ରାଜ୍ୟରେ ପରାଜିତ ଭଗ୍ନଜାନୁର ଲକ୍ଷଣ–ଏଇ ନୀରବତା’’–

 

ସୂର୍ଯ୍ୟକାନ୍ତ–ଥେସିସ୍‌ରେ ବ୍ୟସ୍ତ । ରୁଦ୍ରଜିତ୍‌ ଅଭିସାର ଆଶାୟୀ–ନୀଳମାଧବ ପ୍ରେମପତ୍ରର ଛତ୍ରେ ଛତ୍ରେ ବୁଣିଚାଲିଲେ ନୈରାଶ୍ୟର ବାଣୀ । କିନ୍ତୁ ଅଭିନବ ଓ ହାସାନ୍ ପ୍ରେମର କଳ୍ପନା ବିଳାସ ନ କରି–ବାସ୍ତବତାରେ ଆନନ୍ଦିତ । ପଞ୍ଚବନ୍ଧୁର ପ୍ରଣୟିନୀ ନନ୍ଦିତା-ପ୍ରେମ ବଣ୍ଟନରେ ଆତୁରା । ଏଇ କଣ ସମାନ ନୁହେଁ–କଥାଚିତ୍ରର ପୌରାଣିକ ଛବି ପାଞ୍ଚାଳୀ ସହିତ । ସେଦିନୁ ବନ୍ଧୁ ମହଲାରେ ଏଇ ଯୁବତୀ–ନନ୍ଦିତା ବଦଳରେ ପାଞ୍ଚାଳୀ ନାମରେ ବନ୍ଦିତା ହେଲେ ।

 

ଓଡ଼ିଶା-ବିଶିଷ୍ଟ ଏଇ ପାଞ୍ଚଜଣଙ୍କ ଇତିହାସକୁ ରୂପଦେଲେ– ଖୁସି ପିକଚର୍‌ସ -ଏକ ଉନ୍ନତ ସଂସ୍କରଣରେ । ନିର୍ଦ୍ଦେଶକ ବନକୁମାରଙ୍କ ଜୀବନ୍ତ ନିର୍ଦ୍ଦେଶରେ ଏ ଛବି ପ୍ରକୃତରେ ହୃଦୟଗ୍ରାହୀ ହୋଇଛି । ଅକାତରରେ ଅର୍ଥ ବିନିଯୋଗ କରି ଅସମ୍ଭବକୁ ସମ୍ଭବ କଲେ ବ୍ରଜକାନ୍ତ । କଳାର ଭୂମି ଏଇ ଓଡ଼ିଶାରେ ଉନ୍ନତ ଯୁଗର ନୂତନ ଦିଗ୍‌ବଳୟରେ ଉଦୟ ହେଉଛି ଜବାକୁସୁମସଙ୍କାଶ ଦିବାକର । ବ୍ରାହ୍ମଣର ତପନ ଅର୍ଚ୍ଚନା, ପ୍ରଗତିର ସପ୍ତାଶ୍ୱ, ମହାକାଳର ରାଜପଥରେ ଜୟଯାତ୍ରା ଆରମ୍ଭ କରିଚି । ତାହାଙ୍କୁ ନମସ୍କାର କରି-ଓଡ଼ିଆର ଜୟଯାତ୍ରା ଆରମ୍ଭ ହେଉ ।

 

ସତେ ଓଡ଼ିଶାର ଗୌରବ–ବଂଧୁତ୍ରୟୀ–ସୂର୍ଯ୍ୟକାନ୍ତ–ରୁଦ୍ରଜିତ୍–ନୀଳମାଧବଙ୍କ ପ୍ରଣୟ ଇତିହାସ, ଏତେ ଜୀବନ୍ତ–ରୋମାଣ୍ଟିକ୍ । କହିଉଠିଲେ ଶିବକୁମାର ଓ ମିତ୍ରଭାନୁ ।

 

ପ୍ରଣୟର ଦୀପ୍ତ ପ୍ରେରଣାରେ ଉନ୍ନତିର ହିମାଚଳ ବୁକୁରେ ଦଣ୍ଡାୟମାନ ହୋଇ ସ୍ୱ ସ୍ୱ କର୍ମ ପରିଧିରେ ଉଜ୍ଜ୍ୱଳ ସ୍ଵାକ୍ଷରର ଅଧିକାରୀ ସେମାନେ । ଓଡ଼ିଶା ସେମାନଙ୍କର ପଦବନ୍ଦନା କରୁ । ପ୍ରତିଭା ଆମେ ତମର ବନ୍ଦନା କରୁଚୁ–ସୁକାନ୍ତିତନୟା ମହାନଦୀ କୂଳର ଏକ ପ୍ରକୋଷ୍ଠରେ । ଯୁଗେ ଯୁଗେ ତମରି ନିଷ୍ଠା ପ୍ରଭାବିତ କରୁ–ଅନୁପ୍ରାଣିତ କରୁ–ଏଇ ଚିରଉନ୍ନତ ଜାତିକୁ । ଆମର ଅଭିନନ୍ଦନ ନିଅ –ହେ ତ୍ରୟୀ–

 

ଇଞ୍ଜିନିଅରିଂ ଛାତ୍ରାବାସ

କଟକ

ଜୁଲାଇ ୧୯୫୪

 

(ସାହିତ୍ୟ ସଂସଦରେ ପଠିତ ଓ ଆଲୋଚିତ)

Image

 

ବସନ୍ତର ମୋହ

 

ସେଇ ମାତ୍ର ପାହାନ୍ତି ତାରା ଦିଗ୍‌ବଳୟ ତ୍ୟାଗ କରିଚି । ଘନ ପଲ୍ଲବ ରସାଳ କୁଞ୍ଜ ମଧ୍ୟରୁ ନବାଗତ କୋକିଳ ଏକ ଡାକି ଉଠିଲା ‘କୁଉ କୁଉ’ । ଏ ଅଭିନବ ସ୍ୱନରେ ପୁଲକିତ ହୋଇ ଉଠିଲେ ପ୍ରତ୍ୟେକ କିଶଳୟ । ନୀଡ଼ ଛାଡ଼ି ଉଠିଲା ଶୁକ । କୋକିଳ ଆସିଚି । କ୍ଷେତ୍ରରୁ ସମସ୍ତ ଧାନ୍ୟ ଚାଷୀ ତାର ଗୃହକୁ ଘେନିଯାଇଚି । ଏଥର ଶାବକଗୁଡ଼ିକୁ ଘେନି ଖାଦ୍ୟାନ୍ୱେଷଣରେ ବାହାରି ପଡ଼ିବାକୁ ହେବ ।

 

କୋଇଲି ଡାକିଲା ‘କୁଉ-କୁଉ-କୁଉ’ । ବନ୍ଦୀ ମଳୟ ଶୃଙ୍ଖଳ ମୋଚନ କରି ଛୁଟି ଆସିଲା ତାର ଆବାହନୀ ଉତ୍ସବର ପୁରୋଧା ହେବାକୁ । ଆମ୍ର କାନନ ନବ ମୁକୁଳିତ । ନୀଡ଼ ଛାଡ଼ି ଶୁକ ବାହାରି ଆସିଲା । ଯିବା ଆଗରୁ ସେ ଥରେ ସାକ୍ଷାତ କରିବ ବସନ୍ତ ଦୂତକୁ ।

 

ନିକଟରେ–ଅତି ନିକଟରେ କୁଉ-କୁଉ, ଲକ୍ଷ ପକ୍ଷାଘାତରେ ଆକାଶ ବିଦୀର୍ଣ୍ଣ କରି ଉଡ଼ିଗଲେ ଦଳେ ବାଦୁଡ଼ି । କେଉଁ ଦୂର ଦେଶକୁ ଯାଇଥିଲେ ସେମାନେ । ଫେରିଯିବେ ପୁଣି ଆଉ କେଉଁ ଦୂର ଦେଶକୁ । ଖାଦ୍ୟ–ଆଉ ‘ଖାଦ୍ୟ’, ଶୁକ ହସିଲା । ପେଚକ ଗୋଟାଏ ତାର ବିରାଟ ବର୍ତ୍ତୁଳାକାର ଚକ୍ଷୁ ଦୁଇଟି ବିସ୍ଫାରିତ କରି ନୀଡ଼ ଦିଗକୁ ଚାହିଁ ରହିଥିଲା–ବୋଧହୁଏ ଶାବକ ଆଶାରେ । ଶୁକ ଉଠିବାର ଦେଖି ଫଡ଼ ଫଡ଼ ହୋଇ ଉଡ଼ିଗଲା । କୋକିଳ ଫେରି ଚାହିଁଲା । ବନ୍ଦ ହୋଇଗଲା ପଞ୍ଚମସ୍ୱର ।

 

ଶୁକ ପ୍ରାତଃ ପ୍ରଣାମ ଜଣାଇଲା । ଆଶ୍ଚର୍ଯ୍ୟ ନ ହୋଇ କୋକିଳ ପ୍ରତିପ୍ରଣାମ ଜଣାଇ କହଲା, ଆସିଗଲି । ଏଥର ତୁମର ଯିବାର ପାଲା, କ’ଣ କରିବ ? ଏ ବସନ୍ତର ମୋହ... ! ସେ ହସିଲା । ଶୁକ ମଧ୍ୟ ହସିଲା । କହିଲା ଠିକ୍ କହିଚ–ମୋହ ! ମୋହ ତ ଖାଲି ବସନ୍ତର ନୁହେଁ କୋକିଳ । ମୁଖ୍ୟତଃ ଖାଦ୍ୟର । କୋକିଳ ଏ କଥାରେ ଅପମାନିତ ବୋଧକଲା । ସତେ କଣ ସେ ଖାଦ୍ୟର ଅନ୍ୱେଷଣରେ ଛୁଟିଚାଲେ ବସନ୍ତ ପଛରେ । ଅତି ସ୍ନେହରେ ଅଣ୍ଡା ତିନୋଟିକୁ ରୁକ୍ଷକଣ୍ଠ, ବକ୍ରଚକ୍ଷୁ, କଦାକାର କାକର ଅନୁଗ୍ରହ ଉପରେ ଛାଡ଼ିଦେଇ ଚୋରପରି ସେ ଛୁଟି ଆସିଚି ବସନ୍ତ ପଛରେ କ’ଣ ଖାଲି ଖାଦ୍ୟଲାଗି ? ଖାଦ୍ୟ କ’ଣ ତାକୁ ସେ ଦେଶରେ ମିଳି ନଥାନ୍ତା ? କୀଟ, ପତଙ୍ଗ ଏ କ’ଣ ବସନ୍ତର ନିଜସ୍ୱ ? ସେ ଚୁପ୍‌ ରହିଲା । ତାର ଏ ପ୍ରକାର ଅବସ୍ଥାରେ ଉତ୍ସାହିତ ହୋଇ ଶୁକ କହି ଚାଲିଲା, ‘ସତେ ଜୀବନ ଆଉ ଖାଦ୍ୟର କି ଅଭେଦ୍ୟ ସମ୍ପର୍କ ! ପ୍ରାଣ ବଞ୍ଚିଚି କେବଳ ଖାଦ୍ୟ ସାହାଯ୍ୟରେ । ଯେଉଁ ଟିକକ ନୈସର୍ଗିକ ଶକ୍ତିଲାଗି ଏ ଜଡ଼ ଶରୀର ଆଜି ଗର୍ବିତ ହୋଇ ନିଜକୁ ପ୍ରାଣୀନାମରେ ନାମିତ କରି ଏତେ ବଡ଼ ଆସ୍ଫାଳନ କରୁଛି, ତା’କେବଳ ସମ୍ଭବ ହୋଇଚି ଖାଦ୍ୟଦ୍ଵାରା । ତେଣୁ ପ୍ରାଣର ମୋହ ତ ଏକ ପ୍ରକାର ଖାଦ୍ୟର ମୋହ କୋକିଳ । ଏଇଥିଲାଗି ସିନା ଏତେ ଛୁଟାଛୁଟି । ତୁମେ ଛୁଟିଚାଲିଚ ବସନ୍ତ ପଛରେ, ଆଉ ମୁଁ... ।’ ସେ ଚାହିଁଲା କୋକିଳକୁ ଗର୍ବିତ ଦୃଷ୍ଟିରେ । କୋକିଳ ବ୍ୟଥାଭରା ଚାହାଣୀରେ ଶୂନ୍ୟକୁ ଚାହିଁ କ’ଣ ଭାବି ଯାଉଥିଲା । ହଠାତ୍ କଥା ବନ୍ଦ ହେବାର ଶୁଣି କହିଲା, ବଡ଼ ଭୁଲ ଧାରଣା ତୁମର ଶୁକ । ତୁମେ ଭୁଲିଯାଉଚ ଯେ ଏ ପିଣ୍ଡରେ ଯେଉଁ ଶକ୍ତି ନିଜର ଉଦ୍ଦୀପନ ବଳରେ ଜଡ଼କୁ ପ୍ରାଣୀ ପାଲଟାଇ ପାରୁଚି, ତା କେବଳ ଜୀବନ ନୁହେଁ । ଆହୁରି କିଛି ଅଛି ଯାହାର ସ୍ଥିତି ବିହୀନରେ ପିଣ୍ଡ ଜଡ଼ହିଁ ରହିଯିବ । ପ୍ରାଣୀ ହୋଇ ପାରିବନି -ତା’ ହେଉଚି ମନ । ଜୀବନକୁ ନିଜର କରି ରଖିବାକୁ ହେଲେ ମନର ବଞ୍ଚିରହିବା ଯେ ଏକାନ୍ତ ଆବଶ୍ୟକ–ସେଥିଲାଗି ମଧ୍ୟ କିଛି ଲୋଡ଼ା । ଜଡ଼ିଭୁତ ମନର ସାନ୍ନିଧ୍ୟରେ ଜୀବନୀ ଶକ୍ତି ମଧ୍ୟ ଲୁପ୍ତ ହୁଏ–ଏହା ଯେ ତୁମେ ଭୁଲି ଯାଉଚ ଏକାବେଳକେ । ଚିର ଆହ୍ଲାଦିତ ମନର ସଂସ୍ପର୍ଶରେ ପ୍ରାଣ ହୋଇଉଠେ ଉଜ୍ଜ୍ୱଳ, ଦୀପ୍ତିମନ୍ତ । ମାତ୍ର ଖାଦ୍ୟ ଅନ୍ୱେଷଣ କେବଳ ମୁମୂର୍ଷ ପ୍ରାଣକୁ ବନ୍ଦୀକରି ରଖିବାର ଏକ ବିଭୀଷିକାମୟ ପ୍ରଚେଷ୍ଟା ! ଆନନ୍ଦିତ ମନର ଆକର୍ଷଣରେ ଖାଦ୍ୟ ଚାଲିଆସେ ପାଖକୁ ଯେପରି ମଣିଚୂଡ଼ର ନିଶ୍ୱାସରେ ଛୁଟିଆସେ ଶିକାର । ଖାଦ୍ୟ ପଛରେ ଛୁଟି ଯିବାକୁ ପଡ଼େନି ଆଉ ।

 

ଶୁକ ଟିକିଏ ହସିଲା । କହିଲା-ମନର ଏ ଅର୍ଚ୍ଚନା ତୁମର ଏକ ବିଳାସ କୋକିଳ–ଏକ ଖିୟାଲ । ହୁଏତ ଏ ରଙ୍ଗିନ ଖିୟାଲ ତୁମକୁ ଟାଣିନେଉଥିବ ନୀଳ ଆକାଶରେ ସେ ଇଥର ସ୍ତରକୁ । ମାତ୍ର ବାସ୍ତବତାର ତୀବ୍ର ପରଶରେ ତୁମେ ପୁଣି ଖସି ଆସ ଏ ନବକୁମୁଦିତ ଆମ୍ର କାନନ ମଧ୍ୟକୁ । ଭୂପୃଷ୍ଠର ପତଙ୍ଗ ଉପରକୁ । ଜାଣିଚ, ତୁମେ ଜାଣିଚ ଏ ଖାଦ୍ୟ ମୋହରେ ତୁମେ କଣ କରି ଆସିଚ-। ତୁମର କୋମଳ, ନିରୀହ ଶାବକ ଗୁଡ଼ିକୁ ନିଷ୍ଣୁର ଭାବରେ ଫୋପାଡ଼ି ଦେଇ ଆସିଚ କେଉଁ ଦୂର ଦେଶରେ–ଏକ ଅଜ୍ଞାତକୁଳଶୀଳ ବିଜାତୀୟର ଅନୁଗ୍ରହ ଉପରେ । ଭାବି ପାରୁଚ ତୁମେ ଯେତେବେଳେ ପ୍ରତିପାଳନକର୍ତ୍ତ୍ରୀ ମା’ର ଚଞ୍ଚୁରେ ଦୁଇ କଣା ତଣ୍ଡୁଳ ଦେଖି କ୍ଷୁଧାପିଷ୍ଟ ଶାବକ ଦୁଇଟି ଆନନ୍ଦରେ ଚିତ୍‌କାରୀ ଉଠିବେ କୁଉ କୁଉ, କା’ କା’ କହିନପାରି । ଭାବିପାରୁଚ କ’ଣ ପାଇବେ ସେମାନେ ଏ ସ୍ନେହର ପ୍ରତି ବଦଳରେ ? କଣାଏ ତଣ୍ଡୁଳ କି ତୀକ୍ଷ୍ଣ ଚଞ୍ଚୁର କଟାଳ ? କୋମଳ ପକ୍ଷ ହୁଏତ ଉଡ଼ି ଶିଖି ନ ଥିବ । ତଥାପି ଛାଡ଼ିବ ସେ ତାର ନୀଡ଼ । କ୍ଳାନ୍ତ, ଅବଶ ଶାବକ ଗୁଡ଼ିକ ଖସି ପଡ଼ିବେ ଭୂମି ଉପରେ ପିପୀଲିକାର କରୁଣା ଭିକ୍ଷା କରିବା ଲାଗି । ବିମ୍ୱ ଚଞ୍ଚୁ ତାର ଥରି ଉଠିଲା, ନବ ଜାଗ୍ରତ ମୁକୁଳ । କୋକିଳ ବ୍ୟଙ୍ଗ କରି ଡାକି ଉଠିଲା କୁଉ କୁଉ କୁଉ । ଶୁକ କ୍ଷଣିକ ଲାଗି ସ୍ଥିର ରହି କହିଲା–ଇଏତ ତୁମର ବିଳାସ, ବନ୍ଧୁ ଏଇ ତୁମର ଉଜ୍ଜ୍ୱଳ ପ୍ରାଣର ନିଶାନୀ, ଯାହାକୁ ମୁଁ କୁହେ ସ୍ୱାର୍ଥପରତା । ଭୟଙ୍କର ସ୍ୱାର୍ଥାନ୍ଧତା । ଯାହାର ନିଜର ଶାବକ କେଇଟିକୁ ବଞ୍ଚାଇ ରଖିବାର ଶକ୍ତି ନାହିଁ ସେ ପୁଣି କରିବ ନିଜର ପ୍ରାଣକୁ ଉଜ୍ଜ୍ୱଳ ? ଆଉ ତା ଦେଇ ଗର୍ବ ! ଏହା ଏକ ନିରାଟ ଶଠତା-। ସେ କ୍ଳାନ୍ତ ହୋଇ ପଡ଼ିଲା ଉତ୍ତେଜନାର ଉଷ୍ଣତାରେ ।

 

କୋକିଳ ହସି ଉଠିଲା, ମନ ଖୋଲା ହସ । କହିଲା ‘ହସେଇଲ ତୁମେ ମତେ’ ଶାବକକୁ ପୋଷିବାର ବ୍ୟଗ୍ରତା ? କାହିଁକି ? କୁ-ଉ କୁ-ଉ ଡାକିପାରେ ଯେ ଶାବକ, ସେ କ’ଣ ନିଜର ବିଷୟ ଭାବିବନି । ତାର ବ୍ୟକ୍ତିତ୍ୱ । ତାର ଅସ୍ଥିତ୍ୱ ଫୁଟି ଉଠିବ ଯେଉଁ କୁ-ଉ ମଧ୍ୟ ଦେଇ । ସେଇ ଅଭିନବ ଝଙ୍କାର ଜାଗ୍ରତ କରିବ ତା’ର ମନକୁ ଆଉ ନବୀନ ପକ୍ଷେ ତାର ଶକ୍ତିମାନ ହୋଇ ଉଠିବ ମୁହୂର୍ତ୍ତ ମଧ୍ୟରେ । ସପ୍ତ ସମୁଦ୍ର ଲଙ୍ଘନ କରି ସେ ଖୋଜି ବୁଲିବ ତାର ବସନ୍ତକୁ । ତଣ୍ଡୁଳ ? ତଣ୍ଡୁଳ ଅଉ କଣ ହେବ ତାର । ତୁମେ ଭୁଲି ଯାଉଚ ଶୁକ-ମା ଅଶ୍ୱତରୀର ଗର୍ଭ ବିଦାରଣ କରି ଯେତେବେଳେ ବାହାରି ଆସେ ଶାବକ–କିଏ ତା’ ପାଇଁ ଖାଦ୍ୟ ଆହରଣ କରି ବୁଲେ ? କିଏ ତାକୁ ସ୍ପର୍ଶ ମାତ୍ରେ କୁଣ୍ଡଳୀ ଦେବାକୁ ଶିଖାଏ । କିଏ ତାକୁ ବର୍ଷାର ଅନ୍ୱେଷଣରେ ମାଟି ଭିତରୁ ପୁଣି ଉଠି ଆସିବାକୁ ପ୍ରେରଣା ଦିଏ ? କମଠ ଯେତେବେଳେ କୋଷ ତ୍ୟାଗ କରି ଚାଲିଯାଏ ସ୍ରୋତ ମୁଖରେ ଉନ୍ମତ୍ତ ହୋଇ କିଏ ଫୁଟାଏ ସେଇ କୋଷଗୁଡ଼ିକୁ ? କିଏ ଶିଖାଏ ଶାବକଗୁଡ଼ିକୁ ସ୍ରୋତ ମୁଖରେ ଭାସି ଚାଲିଯିବାକୁ ? ଏହା କ’ଣ କମଠର ଶଠତା ? ବସନ୍ତ ପରେ ଗ୍ରୀଷ୍ମ ଆସି ପହଞ୍ଚେ । ଏକ ଚିରାଚରିତ ନିୟମର ନିର୍ଦ୍ଦେଶ ଅନୁଯାୟୀ । ପ୍ରାଣୀ ଦୁନିଆ ଉପରେ ରଖି ଦିଏ ତାର ବଂଶର ନିଶାନୀ । ସେଇଠି ତାର କର୍ତ୍ତବ୍ୟର ଶେଷ । ସେ ନିଶାନୀ ବଞ୍ଚି ରହିବା ବା ମରିଯିବା ସେଇ ନିୟମର ନିର୍ଦ୍ଦେଶ ଉପରେ ନିର୍ଭର କରେ । ସେଥିଲାଗି ପ୍ରାଣୀର ମୁଣ୍ଡବ୍ୟଥା ଅଳୀକ । ଅଧିକ କିଛି ନୁହେଁ । ଲୋଭୀ ଜୀବ ଅଧିକ ଭୋଜନ କରି ଯେପରି ହାସ୍ୟାସ୍ପଦ ଦୃଏ । ନିଜର ଶାବକଙ୍କ ପ୍ରତି କର୍ତ୍ତବ୍ୟ ଭାବି ଖାଦ୍ୟାନ୍ୱେଷଣରେ ଚିରଚିନ୍ତିତ ରହି ପ୍ରାଣୀ ମଧ୍ୟ ସେହିପରି ହାସ୍ୟାସ୍ପଦ ହୋଇ ପଡ଼େ-। ମାତ୍ର ଏ ସାର୍ବଜନୀନ ତ୍ରୁଟି ଲାଗି କେହି କାହାକୁ ଚେତାଇ ଦେବାକୁ ସାହସ କରିପାରେ କି-? ଦେଖିଚ ତୁମେ ବୃକ୍ଷ ମୂଳରେ ବୀଜ ପତିତ ହୋଇ ଯେ ଅଙ୍କୁରୋଦ୍‌ମ ହୁଏ, ତାକୁ ବଞ୍ଚେଇ ରଖିବାକୁ ତାକୁ ଖାଦ୍ୟ ଯୋଗାଇବାକୁ କେବେ କ’ଣ ବୃକ୍ଷ ବିକଳ ହୋଇପଡ଼େ ? କେବେ ନୁହେଁ-। ଏ ତ ପ୍ରକୃତିର ନିୟମ । ସ୍ରଷ୍ଟାର ଇଙ୍ଗିତ !

 

କୋକିଳର ଆରକ୍ତ ଚକ୍ଷୁ ଦୁଇଟା ଉଜ୍ଜ୍ୱଳ ହୋଇ ଉଠିଲା । ସେ କ୍ଷୁବ୍‌ଧ ଦୃଷ୍ଟିରେ ଚାହିଁ ଦେଖିଲା ଚଞ୍ଚଳ ଶୁକ ପ୍ରତି । ସେତେବେଳକୁ ପୂର୍ବ ଦିଗରେ ପିକ ଚକ୍ଷୁର ଅପରୂପ ଆଭା ମୂର୍ତ୍ତିମନ୍ତ ହୋଇ ଉଠିଥିଲା । ପାଗଲ ମଳୟ ଚଞ୍ଚଳ ହୋଇ ଉଠିଥିଲା । ହଳଦୀବସନ୍ତ, ପ୍ରସ୍ଫୁଟିତ ଅଶୋକ କଳୀକା ମଧ୍ୟରେ ଲୋଟି ପଡ଼ି ଏକ ବେସୁରା ରାଗର ତାନ୍‌ପୁରା ଛୁଟାଇ ଦେଇ ସାରିଥିଲା । ଶୁକ ଚଞ୍ଚଳ ହୋଇ ଉଠିଥିଲା ଦୂର ଦେଶର ଆହ୍ୱାନରେ । ନିଦାଘର ଜ୍ୱାଳାମୟୀ ଉତ୍ତାପରୁ ଶାବକଗୁଡ଼ିଙ୍କୁ ରକ୍ଷା କରିବାର ଚିନ୍ତାରେ । ସେ ବେଖାତିର କଟାକ୍ଷପାତରେ ଏକ ଇଙ୍ଗିତ କଲା କୋକିଳକୁ । କୋକିଳ ଚାହିଁ ଦେଖିଲା । ଏକ କାକ ଶାବକ ତାର ଶୀର୍ଣ୍ଣ ପକ୍ଷ ଦୁଇଟି ସାହାଯ୍ୟରେ ବ୍ୟର୍ଥ ଚେଷ୍ଟା କରୁଚି ଉଡ଼ିବାକୁ ତାର ମା ଓ ବାପ ସାଥୀରେ । ମା ବାପା କାକ ଦୁଇଟି ତାର ଦୁଇ ପାଖରେ ଉଡ଼ି ଉଡ଼ି ତାକୁ ସାହାଯ୍ୟ କରୁଥିଲେ ।

 

ଶୁକ କହିଲା–ହୁଁ,ଏଇଥିପାଇଁ ତୁମେ ଛାଡ଼ି ଆସିବ ତୁମର ଅଣ୍ଡାଗୁଡ଼ିକୁ କାକର ନୀଡ଼ରେ-? କାହିଁକି ତୁମେ ରଖି ନ ଆସିଲ ସେଗୁଡ଼ିକ ଭୂମି ଉପରେ ଯେଉଁଠି ବର୍ଷାଦିନେ ଛତୁ ଫୁଟେ–ଗୁଣ୍ଡୁଚିମୂଷା ତାର ଆହରିତ ପକ୍ୱଫଳ ଲୁଚେଇ ରଖେ । ଅଣ୍ଡାଗୁଡ଼ିକ କଣ ଫୁଟି ନ ଥାନ୍ତା-। କୁହ-ନୀରବ କାହିଁକି ? ଯାଉଚି ଆଉ ସମୟ ନାହିଁ । କିନ୍ତୁ ମନେ ରଖିବ-ଖିଆଲିମନ ଦ୍ୱାରା ତୁମେ ପ୍ରତାରିତ ହୋଇଥିଲେ ସୁଦ୍ଧା ମାତୃ ହୃଦୟ ତୁମର ଭୁଲି ପାରିନି । ସେଥିଲାଗି ତୁମେ ରଖିଆସିଚ ତୁମର ଅଣ୍ଡାଗୁଡ଼ିକୁ କାକର ନୀଡ଼ରେ–ତୁମେ ନିଶ୍ଚୟ ବୁଝିବ ଯେ ଅଣ୍ଡାଗୁଡ଼ିକ ଛାଏଁ ଫୁଟିବ ନାହିଁ । ସେଥିଲାଗି ଲୋଡ଼ା ଆଶ୍ରୟ ଆଉ ମାତୃ ବକ୍ଷର ଉତ୍ତାପ ।

 

ସେ ଟିକିଏ ହସି କ୍ଷୁଦ୍ର ପ୍ରଣାମ ଜଣାଇ ଯିବାକୁ ବାହାରିଲା । ପିକ ଉନ୍ମତ୍ତ ପ୍ରାୟ ଚିତ୍‌କାରୀ ଉଠିଲା । ଶୁଣ-ଶୁଣ-ଯାଅ ନାହିଁ ମୋର ଯେ ଆହୁରି ଅନେକ କିଛି କହିବାର ଅଛି । ମୋ ସପକ୍ଷରେ ମୋର ଯଥେଷ୍ଟ ଯୁକ୍ତି ରହିଚି । ତୁମେ ଥରେ ଶୁଣ–ଯାଅ ନାହିଁ ।

 

ଫେରି ଚାହିଁଲା ଶୁକ । କହିଲା ତା ଜାଣେ–ଯୁକ୍ତି ଯେ ଅସରନ୍ତି । କିନ୍ତୁ ହୃଦୟ ବୁଝେନି ଭାଇ । ଯେଉଁ ମା ନିଜର ଶାବକଗୁଡ଼ିକ ପର ଦୟା ଉପରେ ଛାଡ଼ିଦେଇ ରଙ୍ଗୀନ୍‌ ଖିଆଲରେ ଦୁନିଆ ବକ୍ଷରେ ଜାଲ ବୁଣି ବସେ ସେ ମା’ର ସୃଷ୍ଟିର ଦରବାରରେ ବିଚାର ହେବା ଉଚିତ୍‌ । ଆଉ ଶିଶୁ-ହତ୍ୟା ଅପରାଧରେ ଫାଶୀ ଖୁଣ୍ଟରେ ଲଟକାଇ ଦେବା ଆବଶ୍ୟକ । ଆଚ୍ଛା ଥାଉ-ପୁଣି ବସନ୍ତ ଆସିବ, ସେତେବେଳେ ଦେଖା ହେବ । ବର୍ତ୍ତମାନ ସୁଦୂରର ଆହ୍ୱାନ ଏଡ଼ାଇବାର ନୁହେଁ । ପ୍ରମାଣ.... !

 

କଲେଜ ହଷ୍ଟେଲ-ବାରିପଦା

୧୯୫୧

 

(ଆକାଶବାଣୀ–କଟକ କେନ୍ଦ୍ରରୁ ସେପ୍‌ଟେମ୍ୱର ୧୯୫୪ରେ ପ୍ରଚାରିତ)

Image

 

Unknown

ଖଣ୍ଡେ ଗୋଲ୍‌ଡ଼ଫ୍ଳେକ

 

ଗୋଲ୍ଡ଼ଫ୍ଳେକ–ହଁ–ହଁ–ଗୋଲ୍‌ଡ଼ଫ୍ଳେକ ଖଣ୍ଡେ । ମ୍ୟାଚିସ୍‌–

 

ଓଃ ପାଗଳ କରିଦବ ତମେ–ପାଗଳ କରିଦବ । ଟିକିଏ ଶାନ୍ତି ନାଇଁ । ଶୀତଦିନର ଏ ମଧୁର ସନ୍ଧ୍ୟା–ନାଁ–ଏ ଜୀବନ ନିରର୍ଥକ ହୋଇଗଲା । ବ୍ୟର୍ଥ ହୋଇଗଲା । ବ୍ୟର୍ଥ କରିଦେଲ ।

 

ଏଁ କଅଣ ହେଲା–ସିଗ୍‌ରେଟ୍‌ ଚାଇ–ଚା’କପେ ଆଣିଥିବ । ଚା ! ଚିନି ଦବନାଇଁ–ସାକାରିନ୍‌–ହଁ-, ହଁ ସାକାରିନ୍‌ ଆଣ, ଶୀଘ୍ର ଆଣ ।

 

ସିଗରେଟ୍‌–ଓଃ କେଡ଼େ ଚଞ୍ଚଳ ପୋଡ଼ି ପାଉଁଶ ହୋଇଯାଉଛି । ସିଗରେଟ୍‌ କି ସୁନ୍ଦର ନାଲିହୁଳା । ହାୟ–କାହିଁ ରଙ୍ଗ ରଙ୍ଗ ପରିଚ୍ଛଦ ? କାହିଁ ଛବିଳ ସେଣ୍ଟ୍‌ଭରା ଖାଣ୍ଡବବନ । ଗୁଲଟି ମାରି ଅଗ୍ନି ସଂଯୋଗ କରିବି । ପୋଡ଼ିଦେବି–ଅର୍ଜୁନ ମୁଁ ସବ୍ୟସାଚୀ ।

 

ହଁ-ହଁ-ଚା ଆଣିଲ ? ଦିଅ-ଦିଅ-ଧନ୍ୟବାଦ ।

 

ସିଗରେଟ୍‌–ହଁ–ହଁ–ଓଃ ଶାନ୍ତି ! ଶାନ୍ତି !

 

‘‘ଆଚ୍ଛା ଏତେ ସିଗରେଟ୍‌ ଖାଉଛ କାହିଁକି ? ଦେହ ଦୁର୍ବଳ ହେବ । ସିଗରେଟ୍‌ ବଦଳରେ ଅନ୍ୟ କିଛି ସାରବାନ– !’’

 

ଉପଦେଶ ବନ୍ଦ କର ବନ୍ଧୁ । ଦେହ ଦୁର୍ବଳ ହେଉ । ଧ୍ୱଂସ ହୋଇ ଯାଉ, ସେଥିରେ ଅଛି କ’ଣ ? ଏହି କ୍ଷଣପ୍ରାୟ ଜୀବନ, କ୍ଷଣପ୍ରଭା ଜୀବନରେ ଅଣୁପ୍ରାୟ ଯୌବନ, ତା ପୁଣି ଅନିଶ୍ଚିତ । ସେଥିପାଇଁ ବିରାଟ ଅଭିପ୍‌ସା ବା କାହିଁକି ? ତମର ସୁବିଶାଳ ରୁଦ୍ଧିମନ୍ତ ବପୁ–ଆଉ ଯଦି ତମର କଥା ସତ ହୁଏ–ରୋଗଗ୍ରସ୍ତ ଧୂମାୟିତ ମୋର ଏ ପାତଳତନୁ–ସମସ୍ତେ ତ ଏକାଠି ଭେଟିବା -ଆଉ କ’ଣ ? କୃଚ୍ଛ୍ର ସାଧନା କରି, ଦେହକୁ କଷ୍ଟ ଦେବା–ଅନ୍ଧକାର ଭବିଷ୍ୟତ ପାଇଁ ସୁଖ ସଞ୍ଚୟ କରିବାର ହେତୁ କ’ଣ ? ଏ କ୍ଷଣିକ ଜୀବନରେ ଏଇ ବିଲକ୍ଷଣ ବା କାହିଁକି ? ତା’ପରେ ନିଜ ମନର ଭାବକୁ ସର୍ବଦା ଚାପିଚାପି ମାରିଦେଲେ–ମଣିଷ ବଞ୍ଚିବ ବା କିପରି ? ତା ଅପେକ୍ଷା–ନାଁ–ଯଦି ତମ କଥା ସତ–ମୃତ୍ୟୁ ପରେ ଜୀବନ ଅଛି–ଥାଉ ସେ ଜୀବନର କଥା-ମୁଁ ଆଗ ସୁଖ କରିନିଏ । ବୃହନ୍ନଳାର ଜୀବନଠାରୁ ଅର୍ଜ୍ଜୁନର ଜୀବନ ଲୋଭନୀୟ ।

 

ସିଗରେଟ୍‌–ହାୟ–ସିଗରେଟ୍‌ ଆଣିଦିଅ ମୋ ବୁକୁରେ ଅପୂର୍ବ ଉଲ୍ଲାସ । ଶାନ୍ତି ଯିଏ ଦେଲା ସେ ଶାନ୍ତି ଦାୟିନୀ–ସର୍ପ କ’ଣ ତା ଶାବକର ଯତ୍ନ ନିଏନି ? ସର୍ପର ବାହୁଛାୟାରେ କଣ ତାର ସନ୍ତାନ ଶାନ୍ତିଦାୟିନୀକୁ ଗୋଇଠା ମାରିବ । ନାଁ-ନାଁ ତା ହୋଇ ପାରେନା–କବିଙ୍କ ଭାଷାରେ ନିଆଁ ଗିଳା ମୁଁ–ନିଆଁ ଗିଳିଯିବି ।
 

କ’ଣ ? କାହାକୁ କହୁଛ ସୁଖ ? ସୁଖ ମାନେ ଯାହା ବୁଝ ସେହି ଅର୍ଥ ଦୁଃଖପାଇଁ ଥୋଇଲେ-ଚଳିବନି ? ହଁ–ହଁ ଚଳିବ । ସୁଖ ଯାହା-ଦୁଃଖ ତାହା । କେବଳ ସଂଜ୍ଞା ପ୍ରକରଣର ବିଭେଦ । ସୁଖରେ ମଣିଷର ବୁକୁ ଉଲୁସେ-ଅଶ୍ରୁ ଆସେ । ଦୁଃଖରେ ବି ବୁକୁ ଥରେ–ଅଶ୍ରୁ ଆସେ । ଦୁଃଖ ପାଇଁ ସମସ୍ତେ ଦୁଃଖିତ । କିନ୍ତୁ ସବୁ ସମାନ । ଦୁଃଖରେ ଲୁହ ଗଡ଼ାଇବା ଯେମିତି ପାର୍ଥିବ ମଣିଷର ଏକ ଅବସ୍ଥା–ଆନନ୍ଦରେ ହସିବା ମଧ୍ୟ ସେଇଆ-ସୃଷ୍ଟିର ମାନେ ମୁଁ ସେଇଆ ବୁଝେ ।

 

ଏ ସୃଷ୍ଟି ବିଚିତ୍ର । ତେଣୁ ଅନୁତାପ, ଦୁଃଖ, ଲୁହର ସ୍ଥାନ ଏ ଦୁନିଆ ନୁହେଁ । ଜୀବନ କ୍ଷଣକ–ନିର୍ଘାତ କ୍ଷଣିକ । ସେଥିରେ ରବାଡ଼ମ୍ୱର ବା ଭାବାଡ଼ମ୍ୱରର ସ୍ଥାନ ନାଇଁ । ପ୍ରେମ ବିରହ ଯାହାପାଇଁ ତମେ ଦୁଃଖିତ ସେ ସବୁ ଲୁକ୍‌କାୟିତ । ସୃଷ୍ଟିର ବୈଚିତ୍ର୍ୟ ଅଦୃଶ୍ୟ ହାତରେ ସ୍ରଷ୍ଟାର କାରସାଦି ବୁଝି–ଜୀବନକୁ ଶୋକାନ୍ତରେ ବିଧୁରିତ କରିବା କଣ ଧର୍ମର ଅନୁଜ୍ଞା ? ନାଁ ଚାଲୁଚାଲୁ ଏ ଜୀବନ ତୋଫାନ ମେଲ୍‌ ଗତିରେ-ଯେଉଁଠି ସିଗ୍‌ନାଲ-ଲାଲବତୀର ସଙ୍କେତ ଦେଉଚି ସେଇଯାଏ । ସେଇଠି ସବୁ ଶେଷ–ଦି ଏଣ୍ଡ–ତେଣିକି ? ଇତି ପରେ ଯଦି ପୁନରାୟ ମୁଖବନ୍ଧର ପ୍ରଶ୍ନ–ତେବେ ହେଉ । ଆଟଲାଣ୍ଟାର ଲକ୍ଷ–ଉଷାର ଆବେଗର–ଦ୍ୱନ୍ଦ୍ୱର ସମାହାର ଦୁନିଆ ଜାଣୁ ।

ତେଣୁ ଶାନ୍ତି ଦାୟିନୀ-ନାଁ-ନାଁ–କାହିଁ ମୋର ଟିଣଟା–ଖଣ୍ଡେ-ଖଣ୍ଡେମାତ୍ର ! କି ସୁନ୍ଦର ତାର ସେଇ ବହଳିଆ ଧୂଆଁ–ଭବିଷ୍ୟତ ! କିଏ ଜାଣେ ଚୋରା ବାଲି ନୁହେଁ–ଗୋଡ଼ ଖସିଯିବ । ମୃତ୍ୟୃଞ୍ଜୟ ଲାଳସୀ ମନୁର ସନ୍ତାନ ଚିଲିକା ମାଛର ଦଶା ଭଜିବ । ଆକାଶ କଇଁଆ ସହିତ ତାର ଭେଟ ହେବାର କି ସ୍ଥିରତା ? –ହଁ, ତମେ କହୁଚ ତମ ଜୀବନର ପଥ ନିର୍ଦ୍ଦେଶ କରୁଚ, ନୀତିର ବୟାନ କରୁଚ, କ୍ଷତି ନାଇଁ । ତମେ ସେଥିରୁ ଆନନ୍ଦ ପାଉଛ ବା ପାଇବାର ବୈତରଣୀ ଆଶା କରୁଛ, ନୁହଁ ? କିନ୍ତୁ ମୁଁ ! ଆନନ୍ଦ, ଅଭିପ୍‌ସ ସୁଖ, ଦୁଃଖ ସବୁ ଭୁଲିଯାଇଛି, ନିର୍ଲିପ୍ତ ଭାବରେ ଚାଲିଛି-। ଯାହାକୁ ତମେ ଦୁଃଖ କହୁଛ, ଯେଉଁ ଦୁଃଖର ଜ୍ୱାଳାରେ ତମେ ବ୍ୟଥିତ, ଯେଉଁ ଦୁଃଖର କଷାଘାତକୁ ଦୂର କରିବାପାଇଁ ଜୋତିଷୀ ଶାସ୍ତ୍ର ଅନୁଯାୟୀ ଗ୍ରହଦୋଷ ବୋଲି ଗ୍ରହଶାନ୍ତି କରୁଚ, ଦାନ ଯଜ୍ଞ କରୁଛ, ହୋମ କରୁଛ–ମାଡ଼ି ଆସୁ ସେଇ ଦୁଃଖର ଜୁଆର । ଧରି ଆଣୁ ତାର ସାଥି ସହଚର । ସ୍ଥବିର ମୁଁ–ଜରଦ୍‌ଗବ ମୁଁ । ହଲ୍‌ଚଲ୍‌ ହେବିନାଇଁ । ଦୁନିଆର ସବୁ ଦୁଃଖ, ସବୁ ପାପ ମୋ ଠାଇଁ ବସା ବାନ୍ଧିଲେ ବି ମୁଁ ବିଚଳିତ ହେବି ନାଇଁ–

ମୋ ସୁଖର ଉଦଜାନକୁ ଉତ୍ତପ୍ତ ପାଲାଡ଼ିଅମ୍‌ ପରି ଶୋଷି ନିଅ । ଏହି ଦୁଃଖ ଭିତରେ ମୁଁ ବଞ୍ଚି ରହିବି । ସବୁ ପାପ ଠୁଳ ହୋଇଗଲେ ବି ମୁଁ ରହିବି, ମୁଁ ରହିବି । ତେବେ ତମର କ’ଣ କହିବାର ଅଛି ? ତମ ବାଟରେ ତମେ ମାଡ଼ିଚାଲ ମୋ ବାଟରେ–ମୁଁ ତମ ବାଟ ନନ୍ଦନକାନନକୁ–ଚଲାପଥର ଦୁଇଆଡ଼େ ଅଶୋକ କଳିର ସୁମୋହିତ ଗନ୍ଧ ବୋଲି ଆସ୍ପର୍ଦ୍ଧା କରିପାର–ହେଉ ପଛେ ମୋର ବାଟ ନରକକୁ, ମୋ ଚଲାପଥର ଦୁଇ ଆଡ଼େ ପ୍ରତିଗନ୍ଧର ଦୁର୍ବିସହ ଯାତନା । ଏପରି ସମାଲୋଚନାରେ କଅଣ ତମର ଲାଭ ? ତମର ମନୋନୀତ ନହେଲେ ତମେ ସମାଲୋଚନା କରିବ–ନାଁ ଦୁନିଆରେ ଏଇ କ୍ଷମତାର ମୋହ ଶାନ୍ତି ନାଶ କରୁଛି । ଜଣଙ୍କ ପାଇଁ ଅଲୋଡ଼ା ଚିନ୍ତା କରି କୁମ୍ଭୀର କାନ୍ଦଣା କାନ୍ଦି ଅନ୍ୟ ଜଣେ ସଂଘର୍ଷ କରୁଛି ପ୍ରତିକ୍ରିୟାର ଜୀବନ ଯାପନ କରୁଛି ।

ତେଣୁ ମୋ ଜୀବନରେ ମୋ ପରିଧିରେ ମୁଁ ମସଗୁଲ୍‌ ରହିବାକୁ ଚାହିଁଲି ଖଣ୍ଡେ ସିଗ୍‌ରେଟ୍‌–ଆଉ–କିଏ ଚାହୁଁଥିବ ସୁରା ସେଥିରେ କ୍ଷତି ବା କ’ଣ ଅଛି ? କିଏ ଯେବେ ଚାହିଁବ ନାରୀର ରୂପ-ସୁରା-ପାନ କରିବ ଆକଣ୍ଠ-କ୍ଷତି ବା କଣ ? ନାରୀର ସୁଛବିଳ ରୂପ ଯେତେବେଳେ କ୍ଷଣଭଙ୍ଗୁର ନରର ପ୍ରାଣରେ ଆଣେ ଶାନ୍ତି–ତମେ–ତମେ କାହିଁକି ବିଶେଷଣ ବାଛି ବସିବ ଲଂପଟ-। ରୂପଛାୟାର ନିର୍ଘାତ ପରଶ ନାରୀର ସୁଲଳିତ ତନୁଲତା-ଯଦି ତାର ଆରାଧ୍ୟ ତମର କ’ଣ ଯାଏ-? ନାରୀର ଫେନିଳ ଯୌବନ ଆଗରେ ଯାହାର ସ୍ପନ୍ଦନ ନାହିଁ ସେ ଶୀଖଣ୍ଡୀ । ତମେ କହ ଆଦିମାନବର ବଂଶ ଆଦିମାନବୀର କୋଳରେ । ତେଣୁ ମାନବ ସନ୍ତାନ ମୃତ୍ୟୁଞ୍ଜୟ । ନାରୀକୁ ସାହାଯ୍ୟ କର, ନାରୀକୁ ପରିପୂରକ ବୋଲି ମାନ । ନାରୀ ଧରିତ୍ରୀ । ବସୁମତୀ–ପୁରୁଷର ପ୍ରେମବାରି ତାକୁ ରଜସ୍ୱଳା କରିବ । ଉପଭୋଗର ବୀଜ ଫଳବତୀ କରିବ । ନହେଲେ ମୃତ୍ୟୁଞ୍ଜୟ ମାନବ ଗଳାରେ ମହାକାଳର ନାଗଫାଶ ପଡ଼ିଯିବ । ତେଣୁ ନାରୀ–ହାୟ ତାର ସୁଲଳିତ ଯୌବନ-ମୃଦୁହାସ୍ୟ ଯଦି ମୋର କାମ୍ୟ ମୁଁ ସେଇଆ କରିବି । ଭାଙ୍ଗିଦେବି ବାଧାର ହିମାଳୟ ଗିରି-। ସିଗ୍‌ରେଟ୍‌ ଯଦି ବା ସିଗ୍‌ରେଟ୍‌ ମୋର–ପ୍ରକୃତି–ମୁଁ ପୁରୁଷ ସିଂହ-ତମର କଣ ଅଛି ବାବୁ–ମୋ ବାଟରେ ମୋତେ ଯିବାକୁ ଦିଅ । ମହାକାଳର ମହାପଥରେ ବାଧାବିଘ୍ନର କଳ୍ପନା କର ନାହିଁ-। ନାରୀର ପ୍ରେମ ସୀମାହୀନ-ସୌଜନ୍ୟର ପରିଧିରେ ନାରୀ ଓ ନରର ବନ୍ଧନ ଏହି ପରିଧି ଡେଇଁଲେ କକ୍ଷଚ୍ୟୁତ ତାରକା ହେବା ସାରହେବ ସିନା–ବଂଶ ରକ୍ଷାପାଇଁ ବିବାହ ତ କରିବାକୁ ହେବ-? କୌଣସି ସୀମାରେଖାର ଶୃଙ୍ଖଳା ନରଖିଲେ ଚଳିବ କି ?

ତମର ଯୁକ୍ତି ଶୁଣିଲି । ଚଳିବ, ସବୁ ଚଳିବ ! ତମେ କହ ଯେଉଁ ଶାସ୍ତ୍ର ପୁରାଣ ତାକୁ ଗଢ଼ିଛି କିଏ ? ମଣିଷ ତାର ଏଇ ଦୁଇହାତରେ ସୀମାବଦ୍ଧ ମସ୍ତିଷ୍କରେ ସେଇ ଶାସ୍ତ୍ରର ଜୀବନ୍ୟାସ କରିଚି, ତେବେ….. ତେବେ... ମାନେ... ମାନେ ତମେ କଣ ଏ ଇଙ୍ଗିତ ବୁଝିପାରୁନାହଁ.....ସେଇ ହାତ ଦୁଇଟିରେ କାହିଁକି ମଣିଷ ମନୁର ସନ୍ତାନ ତାକୁ ଭାଙ୍ଗିପାରିବ ନାଇଁ । ନିଶ୍ଚୟ ପାରିବ.....ଶହେ ବାର ପାରିବ, ବିଶାଶହେ ବାର ପାରିବ । କୁମାରୀ ମାତା କୁନ୍ତୀ ବା ମେରୀର ପୂଜା ଯଦି ସମ୍ଭବ, ମେରୀର ମାତୃଲାଭରେ ଅନୁତାପ ବା ପ୍ରାୟଶ୍ଚିତ୍ତର ପ୍ରଶ୍ନ କାହିଁକି ?

ତା ପରେ...ନାରୀ...ତମେ କହ ବିବାହର ସୀମାବଦ୍ଧ ପରିଧିରେ ନର ଓ ନାରୀର ମିଳନ-। ନର ଜଣେ ନିର୍ଦ୍ଦିଷ୍ଟ ଚପଳାକୁ ଉପଭୋଗ କରିବ ଚିରଦିନ...ସାରାଜୀବନ ! କିନ୍ତୁ ମନେରଖ ! ତମେ ଯଦି ମିସ୍‌ ବସୁମତୀ ବା ତିଳୋତ୍ତମା ସୌନ୍ଦର୍ଯ୍ୟର ପ୍ରଶାନ୍ତ ମହାସାଗରକୁ ଦିନ ଦିନ ଧରି ଚିରଦିନ, କାଳକାଳ ଧରି ଅନନ୍ତ କାଳ–ଦେଖ–ଉପଭୋଗ କର, ତେବେ ଅନୁଭବ କରିବ ତମର ସେ ଆଖିକୁ ସେଇ ରୂପ, ସେଇ ଗାରିମା କଳଙ୍କ ଦିଶିବ । ସେଇ ମାଧୁକରୀ ନିଶା ଉଭେଇ ଯିବ-। ତମେ କଳ୍ପନାର ନାଲପାନ୍‌ ବିବିକୁ ହରାଇ ବିରହୀର ଭାବପ୍ରବଣତାର ଶିକାର ହେବ-

ତେଣୁ ବିବାହ କରି ନାରୀକୁ ଇସ୍ତମରାରୀ ପଟ୍ଟା ଦେଇ ବେଶ୍ୟାରେ ପରିଚିତ କରିବା–ତମେ କହ କ’ଣ ସମୀଚୀନ ? କହ ଭଦ୍ରମାନବ–କହ ସିଗରେଟ୍‌ ବିରୋଧୀ–କହ ସୀମାବଦ୍ଧ ପ୍ରେମାଶୟୀ ତମର ଯୁକ୍ତି କଣ ତମରି ଭାଷାରେ ନାରୀକୁ ବେଶ୍ୟା ତାଲିକା–ଭୁକ୍ତ କରୁ ନାଇଁ ? ଅବଶ୍ୟ ବେଶ୍ୟାର ମାନେ କଣ ମୁଁ କିଛି ବୁଝିନି ନାରୀର ମାନେ ମୁଁ ବୁଝେ ସମାଜର ଏକ ଅଂଶ । ମୋର ବୁଝାମଣାରେ ବେଶ୍ୟା, ସୁନ୍ଦରୀ, ରମଣୀ, ପୁରନାରୀ ସବୁ ନାରୀ ଶଦ୍ଦର ପ୍ରତିଶଦ୍ଦ ମାତ୍ର । ଏଗୁଡ଼ିକ ବିଶେଷଣ ରୂପେ ଗ୍ରହଣ କରିବାରେ କିଛି ଆବଶ୍ୟକତା ନାହିଁ ।

ତମେ ଯୁକ୍ତି କରୁଚ ଭଦ୍ର–ନିଜର ବଂଶ ରକ୍ଷାପାଇଁ । କିନ୍ତୁ ତମ ପରେ–ତମ ବଂଶ କିପରି କୁଆଡ଼େ ଗତି କରିବ–ତମ ବଂଶର ଚନ୍ଦ୍ର ତମେ–ଜାଣିପାରିବ କି ?–ଜାଣିପାରିବ କି ତମ ବଂଶ କୁଳଙ୍ଗାରରେ ରୁପାନ୍ତରିତ ହେବ କି ନାହିଁ । ତାର ପ୍ରତିକାର ବିଧାନ ତବେ କରିପାରିବ କି ? ତମ ପରେ ତମ ବଂଶର ବଂଶ, ଉପବଂଶ ଧ୍ୱଂସ ହେବ କି ନାହିଁ । ଏ କଥା ତମେ ଚିନ୍ତା କରୁଛ ? ବୁଝ–ବୁଝିପାରିବ । ତେଣୁ ତମର ଅଭୀପ୍‌ସା ହେଉ କିପରି ମନୁ ଶତରୂପାର ବଂଶ, ଆଦିମ ଇଭ୍‍ର ବଂଶ, ନୋଆର ସମୁଦ୍ଧର ବଂଶରାଜି, ଏ ମାନବ ଜାତି ମୃତ୍ୟୁଞ୍ଜୟ ହେଉ । ଏ ମାନବ ସମାଜ ବଞ୍ଚିରହୁ ମହାକାଳ ସହିତ ସଂଗ୍ରାମ କରି । ଲକ୍ଷ ଲକ୍ଷ ମାନବ ମରି ଯାଆନ୍ତୁ–ହୀରୋସୀମାର ଭାଗ୍ୟ ତାଙ୍କର ଜନ୍ମଜାତକ କହୁ । କିନ୍ତୁ ମନୁର ବଂଶଧର–ଅମର, ତାହାହିଁ ବୁଝିବା ଉଚିତ । ନାରୀର ସୁଲଳିତ ଯୌବନରେ ହୁଚୁମ୍‌–ହୁଚୁମ୍‌–ଚୁମ୍‌ ବା ନିର୍ଜ୍ଜନ ମୁଞ୍ଚିତ ଜୀବନରେ ଗୋଲଡ଼ଫ୍ଲେକର ସୁନ୍ଦର ମାଧୁକରୀ ପରଶ–କେବଳ ଜୀବନର ଏଇ ଯେଉଁ ସ୍ୱଳ୍ପକାଳ ତାର କୌଣସିମତେ ଯାପନ ପାଇଁ । ‘‘ଜୀବନ ଏକହି ଷ୍ଟେସନ୍‌ ହୈ–ଲେକିନ୍‌ ବହୁତ ରେଲଗାଡ଼ି ପାଶ୍‌ କରତେ ହୈ-’’ ଷ୍ଟେସନର କଣ ଯାଏ ଆସେ–ସେ ଗାଡ଼ିମାନଙ୍କର ଯିବା ଆସିବାରୁ । ସେ ତ ସବୁଦିନ ଦେଖୁଛି କେତେଗାଡ଼ି । ସେ ନିର୍ବିକାର !

ପ୍ରସିଦ୍ଧ ଇଂରାଜୀ କବି ରବର୍ଟବ୍ରାଉନିଂ ପରା ମନୁଷ୍ୟର ଏ ଅଶାନ୍ତ–ଏ ସଂଘର୍ଷକୁ ଏଡ଼ିବାପାଇଁ ଲେଖିଗଲେ ଅମରବାଣୀ । ‘‘ଉଜ୍ଜ୍ୱଳତମ ସତ୍ୟ ଓ ବିଶୁଦ୍ଧ ବିଶ୍ୱାସର ଆବାସ ଏ ପୃଥିବୀରେ ମୋ ପାଇଁ ଅଛି, ଗୋଟିଏ ବାଳିକାର ଚୁମ୍ବନରେ’’–ବିଶ୍ୱାସ ହେଉନି–ହେଉ ଇଂରାଜୀରେ ବ୍ରାଉନ୍‌ଙ୍କର ନିଜ ଲେଖାଟା ଶୁଣୁନ ତା’ହେଲେ

‘‘Brightest truth purest,–trust in the universe–

–All were for me. In the Kiss of one girl’’

ତେଣୁ ସଂଘର୍ଷକୁ ଏଡ଼ାଇବା ପାଇଁ–ଶାନ୍ତିରେ ନିଜ ନିଜର ପରିଧିରେ ହେ ଇଲେକ୍ଟ୍ରୋନ୍‌ ବୃନ୍ଦ ! ଘୂରି ଚାଲ । କକ୍ଷଚ୍ୟୁତ ହେଲେ ରୂପାନ୍ତରିତ ହେବ ସିନା–ଧ୍ୱଂସର ପ୍ରଶ୍ନ ତ ନାହିଁ । ବସ୍ତୁର ଧ୍ୱଂସ କାହିଁ ? ପରିବର୍ତ୍ତନ ଅଛି–ଅବତାର ଅଛି । ନୀତି, ଅନୀତି–ଆଦର୍ଶ, ବାସ୍ତବ ମନୁଷ୍ୟକୁ ଏକ ସାମନ୍ତରୀକ କ୍ଷେତ୍ରର ଦୁଇ ବାହୁରେ ଟାଣୁଛନ୍ତି । ତେଣୁ ଗଣିତର ନିୟମରେ ଏକ ମଧ୍ୟମ ପନ୍ଥାରେ ଗତି କରିବ ଏଇ ସମାଜ–ଏଥିରେ ଆତଙ୍କର ପ୍ରଶ୍ନ ନାହିଁ । ଏଥିରେ ଧର୍ମଧ୍ୱନିର ଛଳନା ପାଇଁ ବାଣୀ ନାହିଁ–‘‘ଦୂରେ ରହ ! ଦୂରେ ରହ ! ତୀବ୍ର ତୁମର ପରଶ–ଜୀବନେ ଦୁର୍ବିସହ ।’’

ଏ ଦୁନିଆରେ ସବୁ ମଙ୍ଗଳମୟ । ମାନବ ସମାଜର ମଙ୍ଗଳ ପାଇଁ ସ୍ଥାବର ଜଙ୍ଗମ ବ୍ୟସ୍ତ-। ବ୍ୟକ୍ତି–କୈନ୍ଦ୍ରିକ ମାନବ ନିଜର ଚିନ୍ତା କରୁ କରୁ ଦୁର୍ବିନୀତ ହୋଇଯାଏ । ନିଜର ଶ୍ରେଷ୍ଠତ୍ୱ ପ୍ରଚାରର ଉଦ୍ୟମରେ ସଂକଟ ଆଣେ–ମଧ୍ୟପ୍ରାଚ୍ୟର ନୀଳତଟିନୀ କୂଳରେ ରହସ୍ୟମୟ ସ୍ପିଙ୍କସ୍‌ ହସିଉଠେ–ତେଣୁ ଫୋନିକ୍‌ସର ଫାଶଳ ବକ୍ଷରୁ ନୂତନ ଯୁଗର ସୃଷ୍ଟି ସମ୍ଭବ । ଧୂର୍ଜଟୀର ପ୍ରଳୟ, ବ୍ରହ୍ମାର ନୂତନ ସୃଷ୍ଟିର ଇଙ୍ଗିତ । ଏ ଦର୍ଶନର ସପ୍ତଶତୀ ଗୀତା–ହେ ନାରୀ–ତମର ପଦ ବନ୍ଦନା କରୁଚି । ତମେ ବିଶ୍ୱଜନନୀ, ବିଶ୍ୱପ୍ରିୟା–କୁମାରୀ ! ତମେ ହିଁ ଜନ୍ମ ଦେଇଚ ମହାବୀର କର୍ଣ୍ଣ–ତମେ ହିଁ ବସୁମତୀକୁ ଦାନ କରିଚ ତମର ପ୍ରିୟ ପୁତ୍ର । ଦୁନିଆର କଲ୍ୟାଣ ବେଦୀରେ ସେମାନେ ହିଁ ସହିଦ ।

ଏ ଦର୍ଶନର ଖାପଛଡ଼ା କଥା–ନୀତିଗତ ପ୍ରଚାର ମୋର ଲୋଡ଼ା ନାହିଁ ବନ୍ଧୁ–ମୁଁ ମାତାଲ–ମୁଁ ଲମ୍ଫଟ । ମୁଁ ଆଦିମ ମାନବ ନାମଧାରୀ ପଶୁ–ମୁଁ ସଭ୍ୟତାର ଆଲୋକରେ ଉଦ୍ଭାସିତ ନୁହେଁ–ମୋର କାମନା ନାରୀର ଅଙ୍କପଲଙ୍କରେ ଅନନ୍ତଶୟନ–ଉପଭୋଗର ଶୟନ–ଓଠରେ ମୋର ଗୋଲଡ଼ଫ୍ଲେକ୍‌ର ଲାଲିଆ ହୁଳା, ଠିକ୍‌ ସେପରି ଲାଲ–ଯେପରି ତରୁଭୁଜ ମଦ ବା ଅନାଘ୍ରାତା ରୂପସୀର ବିମ୍ବୋଷ୍ଠ, ମୋତେ କ୍ଷମା କର ଦ୍ୱିଜ–ମୋତେ କ୍ଷମା କର ଦୁନିଆର ସକଳ ଶାସ୍ତ୍ର ପୁରାଣ–ମୁଁ ସ୍ୱାଧୀନ । ଧର୍ମର ବାଡ଼ ତୁମେ ପକାଅ ନାହିଁ । ହେ ପୃଥିବୀର ମାନବବନ୍ଧୁ, ମୁଁ ତମର ଜୟ-ଜୟକାର କରୁଚି । ମାନବିକତା ମୋର ପ୍ରେମ–ମାନବୀ ମୋର ପ୍ରେମମୟୀ–ସିଗରେଟ୍‌ ମୋର ପାଥେୟ–ସନ୍ତୋଷ ମୋର ମନ୍ତ୍ର । ଏ ପଥ ମୋତେ ନର୍କଆଡ଼କୁ ଘେନିଯାଉ–ଶୋଚନା ନାହିଁ–ଅନୁତାପ ନାହିଁ । ମନୁର ବଂଶଧର ଅଗଣିତ ମାଳା ଭିତରୁ ମୁଁ ଏକ । ଦ୍ୱିଜର ଗାୟତ୍ରୀ ମନ୍ତ୍ର ମୋ ଉପର ଦେଇ ନିଶ୍ଚୟ ଗତି କରିବ !!

(ମାସିକ ଶୁଭଶଙ୍ଖରେ ପ୍ରକାଶିତ)

ଆଠଗଡ଼

ଦଶହରା–୧୯୫୩

Image

 

ମରୁ–ଜୀବନ

 

‘‘ତମ ପାଇଁ ନୁହେଁ ମ !’’

 

ମୁଁ କ’ଣ କହିଲି–ମୋ ପାଇଁ ? ପଚାରୁଥିଲି ନା କିଏ ବୋଲି ? ପଚାରିବା କ’ଣ ଅନ୍ୟାୟ ?’’

 

‘‘ହଁ ପଚାର–ମନେମନେ ଭାବ–ତମପରି ସୁନ୍ଦରୀ ଥାଉ ଥାଉ–ସେ କାହିଁକି..... ?’’

 

‘‘ବଡ ଦୁଷ୍ଟ ତମେ–କେଉଁ କଥାର କେଉଁ ଅର୍ଥ କାଢ଼ୁଛ । ଯାଃ, ତମକୁ ପାରିହେଲାନି ।’’

 

‘‘ଦୁଃଖ କରୁଚ ଅୟୀ ! ତମ ରୂପର ମହକ ବାନ୍ଧି ପାରିନି ମୋତେ ? ଏହା କ’ଣ ତମ ରୂପଶ୍ରୀର ଅବମାନନା ? ନୁହେଁ–’’

 

ଜୀବନରେ ଥରେ ଉଠେ ଜୁଆର । ସେ ଜୁଆରରେ ମଦମତ୍ତ ମନୁଷ୍ୟ କଳ୍ପନା କରେ ସେ ସର୍ବସ୍ରଷ୍ଟା । ଅସାଧ୍ୟ ତାର କିଛି ନାହିଁ । ପର ମୁହୂର୍ତ୍ତରେ ପଡ଼ିଯାଏ ଭଟ୍ଟା । ନୈରାଶ୍ୟର ଆମଗ୍ଳାନିରେ କଳ୍ପନାବାଦୀ ହୁଏ ବାସ୍ତବବାଦୀ । ସମୟ କାହିଁ ? ପ୍ରିୟଙ୍ଗୁ କଳିକାର ଶୋଭା ସେ ସ୍ଵପ୍ନ ଦେଖେ । ସ୍ଵପ୍ନ ଯେ ସ୍ୱପ୍ନ–ବାସ୍ତବ ତ ନୁହେଁ !!

 

ପ୍ରଥମ ଦର୍ଶନର ପ୍ରଣୟ । ଚହଲି ଉଠେ ଯୁବକର ବୁକୁ । ତୋଳେ ସେ ପ୍ରଣୟର ସଙ୍କେତ–କୋଣାର୍କ । ପୂଜିତ ହେବ କିଏ ? ସୂର୍ଯ୍ୟ–ନାଁ–ଦେବୀ ? ଅଧିଷ୍ଠାତ୍ରୀ ଦେବୀ–ସେଇ ପ୍ରଥମ ଦୃଶ୍ୟର ତରୁଣୀ–କିନ୍ତୁ କଳ୍ପନାର କୋଣାର୍କ–ମୁଣ୍ଡି ମାରିବ କିଏ ? କାହିଁ ସେ ଧର୍ମପଦ ? ଚନ୍ଦ୍ରଭାଗାର ସଲୀଳ ଶଯ୍ୟାରେ ସେ ଶୋଇଛି । ଶୋଇ ରହିଛି କର୍ମପ୍ରବଣତାର ପ୍ରବହମାନ ସ୍ରୋତ-

 

ବିରହ ବେଦନାରେ ଯୁବକ ହୁଏ କବି । ଲେଖନୀ ତା’ର ମୁଣ୍ଡା ହୁଏ । ରଞ୍ଜିତ ଦୁକୁଳାର ସ୍ତବପାଠରେ ଭକ୍ତପ୍ରବର ମତ୍ତ । ଦେବୀ ପାଷାଣୀ । କାହିଁ ତାଙ୍କର ଅନୁକମ୍ପା ? ଆଶାର କୋଣାର୍କ-। ସ୍ନେହର ଗଗନଚୁମ୍ବୀ ଅଭିଳାଷ, ‘ପ୍ରତିଭାରର ନିର୍ମଳ ମରୁଧାରା–ଧ୍ୱସ୍ତ ହୁଏ ।

 

ମନୋବିଜ୍ଞାନ କହେ, ତରୁଣୀ ଅଜ୍ଞାତ । ତରୁଣ ହୁଏ ତା’ର ରୂପମୋହରେ ପାଗଳ । ଏକାଗ୍ର ଚିନ୍ତାରେ–ତରୁଣୀ ଅଜ୍ଞାତ, କୁଳଶୀଳା ହୁଏ ଆକୃଷ୍ଟ–ସୃଷ୍ଟି ବୈଚିତ୍ର୍ୟମୟ ! ସ୍ରଷ୍ଟାର ଏ ଏକ ଖିଆଲ ।

 

ତରୁଣ ବ୍ୟସ୍ତ । ସେ ପାଏ ନାହିଁ ଅଭଳଷିତ ତରୁଣୀର ମୁଖପଦ୍ମ ନିସୃତ ବାଣୀ । ସେ ଗାଇଉଠେ–‘‘ହେ ମୋର ପଦ୍ମା–ହୃଦୟା ଗଙ୍ଗା–ବୋହି ଚାଲିଗଲ ଡୁବାଇ ଡଙ୍ଗା ।’’ ସେ ସ୍ୱାମୀ ହୋଇଚି–ବୀଣା ତାକୁ ଶାନ୍ତି ଦେଇପାରୁନି । ଶାନ୍ତାବାଳା ବୀଣା ତାର ମନର ସ୍ପନ୍ଦନକୁ ଉପହାସ କରୁଚି । ସ୍ୱାମୀତ୍ୱ କିପରି ଜାହିର କରିବ ତରୁଣ ? ପ୍ରଣୟିନୀ ତାର–ଦୂରେ–ବହୁ ଦୂରେ । ତରୁଣ ଅସନ୍ତୁଷ୍ଟ । ବୀଣାର ସୁଧାଜିଣା ବାଣୀରେ ସେ ଭୁଲିପାରେନା–ତାର ପ୍ରଥମ ଦେଖାର ମାନସୀ । ପ୍ରଜାପତି ପରି ସେ ଘୂରିବୁଲେ ମଧୁ ଆଶାରେ । କାହିଁ ମଧୁ ? ଭୁଲିପାରିବ କି ସେ ?

 

ଆଶା ତାର ଆଶାରେ ସମାଧି ନିଏ । ବସନ୍ତ ପରେ ବସନ୍ତ ଏ ଧରାରୁ ବିଦାୟ ମାଗେ-। ପରିବର୍ତ୍ତନର ଅକ୍ଷରେ ଘୂରିଚାଲେ ବସୁମତୀ । ପରିବର୍ତ୍ତତ ହୁଏନା–ତରୁଣ କବି । ସେ କଳ୍ପନା କରେ ପର ଜୀବନ ! ସେ ଜୀବନରେ ବନ୍ଧନ ନାହିଁ–ଅଛି ମୁକ୍ତି । ମୁକ୍ତ ଆକାଶର ବିହଙ୍ଗ–ତାର ପ୍ରଣୟିନୀ । ପିଞ୍ଜରାବଦ୍ଧ ସ୍ଵାଧୀନତା କ’ଣ ତାର ନାରୀ ଜୀବନର ଅଭିଳାଷ ନୁହେଁ ? ସେ କ’ଣ ଘୂରିବୁଲିବ ସୌନ୍ଦର୍ଯ୍ୟର ସୁରଭି ବଣ୍ଟନପାଇଁ ସ୍ଥାନରୁ ସ୍ଥାନାନ୍ତର ? ସେ କଣ ବାହୁଫାଶରେ ବାନ୍ଧିବ ନାହିଁ ଏହି ତରୁଣକୁ । ସହିପାରେନା ତରୁଣ କବି । ରକ୍ତ ତାର ଫୁଲିଉଠେ–ପୂର୍ଣ୍ଣମୀର ଜ୍ୟୋସ୍ନାସ୍ନାତ ସମୁଦ୍ର ଲହରୀ ପରି । ଭାବପ୍ରବଣ ତରୁଣ ପ୍ରାଣ ତାର ଥରିଉଠେ । ଦୂର ସହକାରର ସବୁଜ ପତ୍ରଗହଳରେ କପୋତ ଉଚ୍ଚାରଣ କରେ ଉଠରେ ପୁଣି ପୁତା–ଉଠ– । ସେ ଚିତ୍କାର କରେ-। ପାଗଳର ଏ ଚିତ୍କାର ଶୁଣିବ କିଏ ?

 

ମୁଁ ନିର୍ଦ୍ଦୋଷ । ସୁଶ୍ରୀ ସୁକାନ୍ତିର ଯୌବନ ମତେ ବ୍ୟାକୁଳ କରିଛି । ମୋର ଅଭିଳାଷ ପଥରେ ଠିଆ ହୋଇଚି–ଏ ସମାଜ । ମୋର ଆତ୍ମୀୟ ସ୍ୱଜନ । ପ୍ରିୟା ମୋର ବିଧର୍ମୀ । ପ୍ରେମର ସାମ୍ରାଜ୍ୟରେ ଧର୍ମର ସୀମାରେଖା କାହିଁ ? ମୁଁ ଦୁର୍ବଳ– । ସମାଜର ଏ ବିଧାନର ସକ୍ରିୟ ପ୍ରତିବାଦ କରି ପାରିନି । ହୃଦୟର ରାଣୀ ମୋର ଶାନ୍ତିରେ ରହୁ । ସ୍ୱର୍ଗତ ଆମ୍ବା ମୋର ତାହାର ମଙ୍ଗଳ କାମନା କରିବ । ହତଭାଗିନୀ ପତ୍ନୀ ମୋର ! ବିଦାୟ । ତୋର ଦୋଷ ନାହିଁ । ତୋ ସ୍ଵାମୀର ଖିଆଲ୍‍ର ବେଦୀରେ ତୁ ଶିକାର । ଏ ସମାଜ ତତେ ଅଲକ୍ଷଣୀର ବିଶେଷଣ ଦେବ । ମୁଁ ନିରୁପାୟ-। ତୁ ନାରୀ–ମୋତେ ରକ୍ଷା କରିବୁ !

 

ଆଗୋ ରଞ୍ଜିତ ଦୁକୁଳା–ତମପାଇଁ ସବୁ ମୋର ମୁକୁଳା । ଜୀବନ ବନ୍ଦରର ପାଦଦେଶରେ ମୁଁ ଅପେକ୍ଷା କରିଥିବି । ତମେ ଆସିବ । ବିରହୀ କ୍ରୌଞ୍ଚର ଦୁଃଖ ତମେ ବୁଝିବ । ବିଦାୟ । ଟଳି ପଡ଼ିଲା ତରୁଣ କବି ତୀବ୍ର ବିଷର ଚୁମ୍ବନରେ । ବିଷର ମାଧୁର୍ଯ୍ୟରେ ସେ ସୁପ୍ତ । ପୋଟାସିଅମ ସାଇନାଇଡ୍ ତା ପ୍ରତିକ୍ରିୟା ଆରମ୍ଭ କରିଚି ।

 

ବିଜ୍ଞାନ ଛାତ୍ର, ତରୁଣ କବି ଆତ୍ମହତ୍ୟା କରଚି । ପୁଷ୍ପର ସୌନ୍ଦର୍ଯ୍ୟକୁ ପରୀକ୍ଷା କରିବାକୁ ଯେ ବିଜ୍ଞାନାଗାରର ସାହାଯ୍ୟ ନିଏ–ପୁଷ୍ପର ପାଖୁଡ଼ାକୁ ଯେ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରେ । ଚୁମ୍ବନର ଫଳ ଜୀବାଣୁର ଶୋଭାଯାତ୍ରା ବୋଲି ଯିଏ ବୁଝେ–ବିଜ୍ଞାନର ରାଜପଥରେ ସେଇ ଯାତ୍ରୀ–ତରୁଣ କବି ଆତ୍ମହତ୍ୟା କରିବ । ନିଜର ଜୀବନ ନାଶକରି ସେ ଆତତାୟୀ ।

 

କେବଳ ବିରହ ହିଁ କଣ ଆତ୍ମହତ୍ୟାର ହେତୁ । ଆତ୍ମସନ୍ତୋଷ ପାଇଁ ଯେଉଁ ମିଳନ ସେ ଚାହିଁଥିଲା କିପରି ସିଏ ସେଇ ଆତ୍ମାକୁ ସେଇ ହତ୍ୟା କରିବ ।

 

ପ୍ରଶ୍ନ କଲା ଦର୍ଶନ ଛାତ୍ର ଅମର ଦାସ । ହୋଇପାରେ । ଏ ଦୁନିଆ ବିଚିତ୍ର ମନୋଭାବର ଏକ ବିରାଟ ପ୍ରଦର୍ଶନୀ ! ସହଜଭାବରେ ଜୀବନର ଅଙ୍କୁଶ ଅଘାତ ଯେ ସହି ନପାରେ–ସେ ଆତତାୟୀ–ସେ ବର୍ବର । ଉଦ୍ଧତ ନାରୀ କଣ୍ଠରେ ଉତ୍ତର ଦେଲା ସହପାଠିନୀ ମିସ୍‌ ବସନ୍ତ । ‘‘କ’ଣ ହେଲା ? ବୋଟାନି ଲାବୋରେଟରିରୁ ଫେରୁଥିବା ମୀରା ସୁନ୍ଦରୀ ଉତ୍କଣ୍ଠାର ପ୍ରଶ୍ନ କଲ । ଆତ୍ମହତ୍ୟା–କି ଦୁଃଖର କଥା ଏଇ ସୁନ୍ଦର ଦୁନିଆରେ ରହିବାକୁ ଚାହିଁଲା ନାହିଁ । ମାନବ ଜୀବନ ଅଭାବ ଅସୁବିଧାର ଏକ ସମାସ । ‘‘ତୁ ବ୍ୟସ୍ତ କାହିଁକି ମୀରା-ସହଜ ଭାବରେ ଗ୍ରହଣ କର–ଏ ଯେ ମରଣଶୀଳ ଦୁନିଆ–ଏପରି କାନ୍ଦିଲେ–ପ୍ରତିମରଣ ପାଇଁ ଲୁହ ବୁହାଇବାର ଶକ୍ତି କ’ଣ ତୋର ଅଛି-?’’ ବସନ୍ତର ଉତ୍ତର ।

 

ନାଇଁ ସେ, ଖାଲି ଭାବୁଛି କାହିଁକି ଏହି ତରୁଣ କବି ନିଜ ଜୀବନ ନାଟକର ମଧ୍ୟାଙ୍କରେ ଯବନିକା ଟାଣିଲେ ।

 

‘‘ତମପାଇଁ ନୁହେଁ ମ’’–ଦର୍ଶନ ଛାତ୍ର ଅମର ଦାସ ତାର ଦାଢ଼ି ସାଉଁଳୁ ସାଉଁଳୁ ରହସ୍ୟକଣ୍ଠରେ କହିଲା ।

 

ସୂତାହାଟ-କଟକ

୧୯୪୮

 

(ଗୋପବନ୍ଧୁ ପାଠଚକ୍ରରେ ପଠିତ ଓ ଆଲୋଚିତ)

Image

 

–ବିନିର ରତିବିଳାସ–

 

‘‘ମୋତେ ଦବଟି ଟିକେ ପଢ଼ିବାକୁ–ମୁଁ ଏଇଲାଗେ ପଢ଼ି ଦେଇଦେବି ମ’’–ନାରୀ କଣ୍ଠର ନରମ ଅନୁରୋଧ । ମୁଁ ପ୍ରତିରୋଧ କରି ପାରିଲିନି–ଦୁର୍ବଳତା । ଆଦିମ ଯୁଗରୁ ନାରୀର ଏଇ ଅନୁରୋଧ–ପୁରୁଷ ଯେ କାହିଁକି ପ୍ରତିରୋଧ କରି ପାରେନି । ଆଶ୍ଚର୍ଯ୍ୟର କଥା । ନାରୀର ଏଇ ଅନୁରୋଧ ରକ୍ଷାକରିବା ପାଇଁ–ପୁରୁଷ ଜାପାନୀ କଣ୍ଢେଇ ।

 

ସେ ମୋର ଆତ୍ମୀୟା ନୁହେଁ–ସହପାଠିନୀ ବି ନୁହେଁ–ପରିଚିତା । ପରିଚିତାର ଏଇ ପରିଚିତ ଅନୁରୋଧ-ମନାକରି ପାରିଲି ନି । ହଉ ନେ । ବିଲାତ, ଆମେରିକାରେ ଏପରି ମାଗି କେହି ବହି ପଢ଼ନ୍ତିନି ମ !–କିନ୍ତୁ ସାବଧାନ-ଆଉ କାହାକୁ ଦବୁନି । ନୂଆବହି ମଇଳା ହୋଇଯିବ–ବୁଝିଲୁ–ଏଁ ।

 

‘‘ଏ ମା, ମଣିଷ ତ ବଞ୍ଚିଲେ ମରୁଛି–ବହି ମଇଳା କିମିତି ହବନି ମ ?’’ ‘‘ଆରେ–ବହି ଯେ ଆମକୁ ଜ୍ଞାନ ଦେଉଛି ଆମେ ତାର ଯତ୍ନ ବି ନବାନି ଏହା କ’ଣ ଠିକ୍ ହେବ ? ହଉ ବିନି–ଜଣା ପଡ଼ିଲାଣି ଯେ–ବି.ଏ. ପାଶ୍‌ କରି ବିଦେଶ ଯିବୁ ବୋଧେ । ହାଇକୋଟ ତ ଓଡ଼ିଶାରେ ହେଲାଣି । ପ୍ରଥମ ଲେଡ଼ି ବାରିଷ୍ଟର-ମଧୁବାବୁ ସଙ୍ଗେ ଲଢ଼ିବୁ ?’’

 

‘‘ମୋର କ’ଣ ଗଲା ସେଠୁ ? ବହିଟେ ଦବ ଯେ–ସେଥିରେ ପୁଣି ଏତେ ବିଲାତ ଆମେରିକା କଥା–’’

 

‘‘ବାସ୍-ଏତିକିରେ ଅଭିମାନ ? –ହଉ ଯା’’

 

ବିନି ସୁନ୍ଦରୀ । ତାର ସେଇ ସୌନ୍ଦର୍ଯ୍ୟର ପ୍ରତ୍ୟେକ ଅଣୁ ପାଇଁ ତରୁଣର ତାରୁଣ୍ୟ–ବିକଟ ସିଂହନାଦରେ ଗର୍ଜ୍ଜିଉଠେ । କିଶୋରୀର ଆକର୍ଷଣ–କିଶୋରକୁ ପ୍ରେମର ହେମହରିଣୀ ଶିକାର କରାଏ । ଏଇ ତରୁଣୀର ରୂପନିଆଁ ନିମନ୍ତ୍ରଣ କରୁଛି–ସେଇ ଜନପଦର ଯୁବକ ମଣ୍ଡଳୀଙ୍କୁ । ଏଇ ବିନି–ଯାହା ମୁହଁର ପଦିଏ କଥା ପାଇଁ ଶତ ଯୁବକ ଅନ୍ତର ଉଦ୍‌ବେଳ ହୁଏ–ତାର ଆଗ୍ରହ–ଅନୁରୋଧ । ମୁଁ ସମ୍ମାନିତ ବୋଧ କରୁନି ନିଜକୁ । ହୁଏତ ଅନ୍ୟ କେହି ପ୍ରେମିକ କବି ବାଇରନ୍ ବୋଲି–ଏଇ ପରସ୍ଥିତିରେ ନିଜକୁ ଟେକି ନେଇଥାନ୍ତା ।

 

ବିନି ଆଧୁନିକା–ବୁଦ୍ଧିମତୀ । ଆଧୁନିକତାର ସମସ୍ତ ପରିପାଟୀଯୁକ୍ତା ସେ–ତାକୁ ନେଇ କ’ଣ ଜୀବନ-ଯାତ୍ରା ସୁଗମ ହେବନି ? ଭାବନାର ବୁଢ଼ିଆଣୀ ଜାଲରେ ମୁଁ ଛନ୍ଦି ହୋଇଛି । କଳ୍ପନାର ମୀନାର ମୋର ଗଢ଼ି ଉଠୁଛି–ପବନର ଭୂମିରେ ‘‘ଆରେ ଖାଇବୁନି’’–ବୋଉର ଡାକରେ ଭାବନା ମୋର ଭାଙ୍ଗିଲା । ପରୀ–କିଶୋରୀ ପରୀ–ମୋର ପରିଚିତା–କିଶୋରୀ । ଯୌବନ ତାର କାଉଁରୀଦଣ୍ଡ ତାହାଠି ମଧ୍ୟ ଛୁଆଇଁ ଦେଇଛି । ଜନପଦର କେତେ ତରୁଣ କବିର ସେ ଆଶା–କାବ୍ୟର ମାନସୀ–ସେ ସୁନ୍ଦରୀ–ଶିକ୍ଷିତା, ଗାୟିକା । ଆକାଶବାଣୀରୁ ତାର ସଂଗୀତର ମୂର୍ଚ୍ଛନା ଶିହରଣ ଆଣେ ଶ୍ରୋତାର ପ୍ରାଣରେ ।

 

ବିନି ଆଉ ସେ ? ପ୍ରଭେଦ । ପ୍ରଭେଦର ମୀମାଂସା କରିବ–ଆଉ ଜଣେ । ମୁଁ ନୁହଁ ।
 

ପର ଦିନ–ପଢ଼ାଘରେ ମୁଁ ବସିଛି । ଇଂରେଜ କବି ବାଇରନ୍‌ଙ୍କର ‘‘ଯେବେ ଆମେ ବିଦାୟ ନେଲେ’’ -କବିତାଟି ପଢ଼ୁଛି । କି ସୁନ୍ଦର ! ବାଇରନଙ୍କ ଲେଖନୀରେ ବିରହୀ ପ୍ରେମିକର ବ୍ୟଥା ଝରି ପଡ଼ିଛି ଏଇ କବିତାରେ । ପ୍ରେମିକ ବିଦାୟ ନେଉଛି–ତାର ପ୍ରେମିକା ରହିଯିବ ଏ ଜନପଦରେ । ଉଦ୍‌ଗତ ଅଶ୍ରୁ, ସେ ଚାପି–ବିଦାୟ କାଳୀନ କବି ଭାବି ଯାଉଛି–କେଉଁ ଦୂର ପ୍ରବାସରେ !

 

‘‘ତୁ ପରା ସୁନ ଭାଇନାଙ୍କୁ ବାହାହବୁ ଲୋ ଫୁଲେଇ । ଆଲୋ, କଥା ପଡ଼ିଲାଣି । ଯାହା ହଉ–ବହୁତ ବହି ପାଇବୁ । ପଢ଼ିବା ସଉକ୍ ତୋର ମେଣ୍ଟିଯିବ–

 

‘‘କିମିତି ଦୁଷ୍ଟ ମ ତୁ...କଅଣ ବୋଲି କଅଣ କହି ଯାଉଛୁ । ଆଲୋ–ତାଙ୍କୁ ପରା ଭାଇନା ବୋଲି ଡାକୁଚି । ଭାଇ ଭଉଣୀ କଅଣ ବାହା ହୁଅନ୍ତି । ସେମିତି କଥା ଆଉ କହିବୁନି ।’’

 

‘‘ହଁ ମ–ଛଟେଇ–ଚହଟ ଚମ୍ପା–ଭାଇ ଡାକ ତ ପ୍ରେମର ପୂର୍ବାଭାସ ।’’

 

ଯାଃ–

 

‘‘ହଉ ମ ! ମୁଁ ଯାଉଛି–ତୁ ଥା । ତୋ ଘର ଇଏ । ଏଇ ହାଣ୍ଡିରେ ଚାଉଳ ପକାଇଛୁ ତ-।’’

 

ମୋର ମନ ବହି ପଢ଼ାରୁ ଆକର୍ଷିତ ହୋଇଗଲା । ଏ କ’ଣ ? ଦୁଇଟି ନାରୀ କଣ୍ଠର ଆଲୋଚନା-ମୁଁ ବିଷୟ ବସ୍ତୁ । ପରୀ ଆଉ ବିନି । ଏ କି ବିଡ଼ମ୍ବନା । ମୋ ପରି ଗରୀବ କବିର ପାଣିଗ୍ରହଣ କରିବ–ଧନୀକର କନ୍ୟା । ଆଭିଜାତ୍ୟରେ ଗର୍ବୀ, ସୁନ୍ଦରୀ । ସତେ କ’ଣ ସମ୍ଭବ ? ତାର ପରାଣ-ଦୋସର ପାଇଁ ସେ ବାଛି ଆଣିବ–ଅସାମାନ୍ୟ ସୁନ୍ଦର–ଶିକ୍ଷିତ ଯୁବକ । ଆମେରିକା ଫେରନ୍ତା ଶିକ୍ଷିତ ତାକୁ ଅଙ୍କଲକ୍ଷ୍ମୀ କରିବାକୁ ପାଗଳ ହେବେ । ଏ ପ୍ରତିଯୋଗିତାରେ ସୁନନ୍ଦ ? ଗରୀବ କବି ସୁନନ୍ଦ ପରାଜୟର ଚନ୍ଦନଟୀକା କପାଳରେ ଧାରଣ କରିବ ।

 

‘‘ସୁନଭାଇ ! ହଠାତ୍ ଭାବନା ମୋର ଭାଙ୍ଗିଗଲା । ମୁଁ ଫେରି ଚାହିଁଲି–ହସି ଉଠୁଚି ବିନି-। ତମେ ଏତେ କ’ଣ ଭାବୁଛ ଭାଇନା ? ଆଇନଷ୍ଟାଇନ୍‌କୁ ପଛରେ ପକାଇ ତମେ ବୋଧେ ଆଗେଇ ଯିବ କିଛି ଗୋଟାଏ ବୋମା ଫୋମା ଉଦ୍ଭାବନ କରିବ ବୋଧେ–? –‘‘ନାଇଁଲୋ ସେ ଦୁରାଶା ମୋର ନାଇଁ । ବରାବର ଏ କୁଡ଼ିଆ–ଜନପଦର ଏ ଶାନ୍ତ-ମୋତେ ଯେତିକି ବୁଦ୍ଧି ଦେଇଚି–ସେତିକି ଯଥେଷ୍ଟ’’ ।

 

‘‘ଭାଇନା ମ, ଦେଖିଲଣି–ମାଉସୀ ବାବୁକୁ ବସେଇ ଦେଇ ଯାଇଛନ୍ତି ଯେ ସେ ମାଟି ଖାଉଛି । ତମେ ଏଇଠି ବସିଛ ଟି ?’’ ହଠାତ୍ ବାବୁର ମାଟି ଖିଆରେ ବାଧା ସୃଷ୍ଟିକରି ଲାସ୍ୟମୟୀ ଆଗେଇ ଗଲା । ଉପରକୁ ଟେକି–ଶିଶୁକୁ ସେ ହସେଇବାରେ ଲାଗିଲେ । ‘‘ନାଇଁରେ–ମୋ ବାବୁ ନାଇଁରେ’’–ହାଁ–ହାଁ–ପଡ଼ିଯିବ–ବୋଉକୁ ତୁ ଦେଇଆ, ସୁନ ଭାଇନାର ଏତିକି ସାବଧାନୀରେ ସେ ଚାଲିଗଲା–

 

ଆଈବୁଢ଼ୀ ଗପରେ ରାଜକୁମାରୀ ଚାଲିଗଲା । ବୟସର ମୋହର ସେଇ ତରୁଣୀ ଦେହରେ ସ୍ପଷ୍ଟ । କାଲି ସେ ପିଲା ଥିଲା । ଜୀଦନର ଅଗନା ଅଗ୍ନି ବନସ୍ତରେ ସେ ବନ୍ଦୀ । ଯୌବନର ବୁଢ଼ୀ ଅସୁରୁଣୀ ତାର ଯତ୍ନ ନେଉଚି । କୁଆର ଥଣ୍ଟ କାହିଁ–ଚଢ଼େଇର ବେଣ୍ଟ ବା କାହିଁ ? କେଉଁ ସାହସୀ ସେ ରାଜକୁମାର, ଉଦ୍ଧାର କରିବ ଏଇ ରାଜବାଳାକୁ ?

 

‘‘ଭାଇନା ତମ ବହିଟା ନିଅ–ହଁ ଗୋଟାଏ ଗପ ମୁଁ ବୁଝି ପାରିଲିନି–ବୁଝାଇ ଦେବନି ଟିକେ–ଏଇ ଗପଟାମ । ମାଧବୀର ରତି ବିଳାସ–ଦିଅନା–ଟିକେ ବୁଝାଇ’’ ‘‘କଣ ବୁଝି ପାରିଲୁନି । ଗାଳ୍ପିକ ରାଜକିଶୋରଙ୍କ ଏ କାହାଣୀ–କିଛି ତ ସେପରି ଅବୁଝା ନାଇଁ–କୋଉଠି ବୁଝି ପାରୁନୁ ?’’ ଉତ୍ତର ସିନା ଦେଲି । ବଡ଼ ଅଡ଼ୁଆରେ ପଡ଼ିଲି ।

 

‘‘ହଉ ଭାଇନା ! ମାଧବର ରତିବିଳାସ ବଟିକା କଣ ଦରକାର ଥିଲା ।

 

ସେ ପରା କବିରାଜି ବଟିକା–ଖାଇଲେ ଦେହ ଭଲ ରହେ ।

 

ମୋ ପାଇଁ ମଗାଇ ଦିଅନ୍ତନି ? ମୁଁ ଟିକେ ମୋଟା ରୋଟା ହୋଇଯାଆନ୍ତି–ଦିନକୁ ଦିନ ଦୁର୍ବଳ ତ ହୋଇ ଯାଉଛି–

 

କ’ଣ କରିବି–ଭାବି ପାରିଲିନି । ବିନିର ବାଲ୍ୟସୁଲଭ ଯୁକ୍ତିର କି ଉତ୍ତର ଦେବି ? ତଥାପି କହିଲି ‘‘ସେଗୁଡ଼ା ଭଲ ବଟିକା ନୁହଁ ମ–କବିରାଜମାନଙ୍କର ରୋଜଗାର ପାଇଁ ପ୍ରଚାର–ଭଣ୍ଡାମି–

 

‘‘ହଉ–ଆଣି ନଦେବ ତ ନାଇଁ–’’

 

‘‘ବିନି–ବିନି ମ’’

 

‘‘କ’ଣ ?’’

 

‘‘ମୋ ପାଇଁ ରୁମାଲ ଚାରିଟା କରି ଦେବୁ ତ ? ସ୍କୁଲ ତ ଯାଉନୁ–ଗଦାଏ ବେଳ ଯେ ତୋର ?’’

 

‘‘ହଉ ମତେ ଆଗ ବୁଝେଇ ଦିଅ–’’

 

‘‘ବଡ଼ହେଲେ ବୁଝିବୁ ଯେ’’

 

ଅଭିମାନ ଓ ରାଗରେ ବେଣୀ ଛାଟିଦେଇ ସେ ଚାଲିଗଲା, ଚାଲିଗଲା ସତେ ଅବା ରୂପସୀ ମେନକା-ଭାବନାର ଶକୁନ୍ତଳାକୁ ଛାଡ଼ିଦେଇ । ସେ ଶକୁନ୍ତଳା–କାନ୍ଦି ଉଠୁଛି । ଧନୀର କନ୍ୟା ବିନି–କାହିଁକି ଆସୁଛୁ ତୁ–ଏ ଗରିବର କୁଟୀରକୁ ? ତୁ ମୋର ନୁହଁ–ହୋଇ ପାରିବୁନି । ପ୍ରତିବନ୍ଧକ ତ ସମାଜ ନୁହେଁ, ତୁ ନୁହଁ, ମୁଁ ନୁହେଁ । ପ୍ରତିବନ୍ଧକ ହେଉଚି ଟଙ୍କା–ଟଙ୍କାର ଉତ୍ତାପ ତୋର ମୋତେ ସ୍ୱାମୀ ବୋଲି ସ୍ୱୀକାର କରିବ ନାଇଁ–ବିନି । ତୁ ଯା–ଫେରିଯା–ଏଇ ଟଙ୍କା ମେଘନାଦ ପାଚେରୀ ତୋଳିଦେବ ତୁ ସେଇ ପାଚେରୀ ଘେରା ବଡ଼ ଦେଉଳରେ ରହିବୁ । ସୁନନ୍ଦର ସାଗର ଗର୍ଜ୍ଜନ ଶୁଣି ପାରିବୁନି ତୁ ?

 

ମାରି ନେଲୁରେ–ଭାଗ୍ୟବାନ ! ଏପରି ଲଘୁ ପରିହାସ ଗଢ଼ି ଉଠୁଛି ସୁନନ୍ଦ ଓ ବିନିକୁ କେନ୍ଦ୍ର କରି । ନିର୍ଲିପ୍ତ କବି ଏ ପରିହାସକୁ ଗୁରୁତ୍ୱ ଦେଉନି । ସେ ଦିନ ରାତି ଆଠଟା–ଶୁଣୁଚି ସେ ଘର ଭିତରେ ବୋଉର ଆଲୋଚନା ଅପର ସହିତ । ‘‘ହଇଏ ସଇ-ମୋ ଝିଅକୁ–ତମ ପୁଅ । ଲକ୍ଷ୍ମୀ ନୃସିଂହ ପରି ଦିଶିବେ ମ ? ଖାଲି ତମେ ହଁ ଭରିଦେଲେ ଏଇ ବୈଶାଖରେ କାମଟା ଉଠେଇ ଦିଅନ୍ତେ ଯେ । ଭଲ ହୁଅନ୍ତା ଲୋ ସଇ–କିନ୍ତୁ ମୋର ପିଲାପୁଅ–ବଅସ ତ ବେଶୀ ହୋଇନି । ଆଜିକାଲିକାର ଛୁଆ ଏମାନେ–ତାକୁ ଟିକିଏ ପଚାରେ । ତମ ଘରେ ବନ୍ଧୁ ବାନ୍ଧିବାକୁ ସେ ଅରାଜି ହେବନି ଯେ–

 

ପରଦିନ–ବୋଉଙ୍କୁ କହିଲା ସୁନନ୍ଦ । ‘‘ବୋଉଲୋ ! ବିନିକୁ ବୋହୂ କରି ଆଣିବାକୁ ତୋର ମନ ହେଉଛି-ମୁଁ ଜାଣେ । ସେ ଆମ ଘରର ବୋହୂ ହୋଇ ଆସିଲେ–ତୋ ପୁଅ କ’ଣ ସୁଖ ପାଇବ ? ତାଙ୍କର ଧନ ଅଛି ତାଙ୍କ ସହିତ କାନ୍ଧ ମିଳାଇ ଆମେ ଚାଲି ପାରିବା ତ ? ଆମ ଘରର ସୁଖଦୁଃଖରେ ନିଜକୁ କ’ଣ ସେ ଚଳାଇ ନେଇପାରିବ ? କିନ୍ତୁ ଏଇ ଅସନ୍ତୋଷ ଆମ ଘରର ଶାନ୍ତକୁ ଭାଙ୍ଗି ଚୂରମାର କରିଦେବେ ବୋଉ–ତୁ ଭାବ । ମୁଁ ଆଉ କ’ଣ କହିବି ?’’

 

‘‘ଯଥା ରାବଣସ୍ୟ ମନ୍ଦୋଦରୀ ।’’ ବ୍ରାହ୍ମଣ ଗମ୍ଭୀର କଣ୍ଠରେ ଶ୍ଳୋକ ଆବୃତ୍ତି କରୁଛି । କବି ଦେଖୁଚି ବିନିର ବାହାଘର । ଇଞ୍ଜିନିଅର କିଶୋର–ସରକାରଙ୍କର ପଦସ୍ଥ କର୍ମଚାରୀ କିଶୋର, ବିବାହ କରୁଚି ବିନିକୁ । କବି ମନରେ ଈର୍ଷାର ନିଆଁ ଝୁଲ କୁହୁଳି ଉଠିଲା । ଫେରିଆସିଲା–ସେ ଦୃଶ୍ୟ ଦେଖିବାର ଧୈର୍ଯ୍ୟ ଆଉ ନାଇଁ । କିଶୋର ତ ଏଇ ସୁନନ୍ଦର ବନ୍ଧୁ–ପରିଚିତ–ତଥାପି... ।

 

ଆଳିପଣାକୁ ବନ୍ଧୁ କିଶୋର ନିମନ୍ତ୍ରଣ କରିଚି । ନିମନ୍ତ୍ରଣ ନା ପରିହାସ ? ମୋର ବିବାହ–ବିନି ସହିତ । ସେ ଆଳିପଣା ଉପଭୋଗ କରିଥାନ୍ତେ ଏହି ଜନପଦର ଜନତା–କିନ୍ତୁ ମୁଁ ନିମନ୍ତ୍ରିତ–ଛାତି କରତି ହୋଇଗଲା–କବି ସୁନନ୍ଦର !

 

ରୀନା ଆସି ଦେଇଗଲା ଗୋଟିଏ ପୁଡ଼ିଆ -କହିଲା ନାନୀ ଦେଇଛି–ନିଅ । ଉତ୍କଣ୍ଠାରେ ଫିଟାଇ ଦେଖିଲା–କବି । ଚାରୋଟି ରୁମାଲ, ଚିଠିଟିଏ । ‘‘ଭାଇନା–ପ୍ରଣାମ ଗ୍ରହଣ କରିବ । ଏ ଜନ୍ମ ମୋର ସରିଗଲା–ମୁଁ ଯାଉଛି–ବିନିର ଅଳି ଆଉ ଶୁଣିବନି ମ ? କ୍ଷମା କରିବ–ରୁମାଲ୍‌ ଦେଇ ପାରିନଥିଲି । ବିନିକୁ ତୁମେ ଭୁଲି ଯିବନି ଭାଇନା, ମନେ ପକେଇବ–ତମର ବିନି ।’’

 

‘‘ତୁ ମୋର ଚିରଦିନ ମାନସୀ ହୋଇ ରହିବୁ ଲୋ ! ତତେ କି ମୁଁ ଭୁଲିଯିବି ? ତୋର ବିଭାଘର–କିଛି ବନ୍ଦେଇ ପାରିଲିନି ତ । ମୁଁ ଗରିବ । ବନ୍ଦେଇବା ତ ମନୁଷ୍ୟର ଭଲ ପାଇବାର ପ୍ରଚାରର ଏକ ସଙ୍କେତ । ତୋ ଜୀବନରେ ଗୋଲାପ ଫୁଟିଉଠୁ–ତୁ ସୁଖୀ ହ–ତୋର ଭାଇନା-’’

 

ବିବାହ ପରେ ବିନି ଚାଲିଯାଇଛି । ପଢ଼ାଘରେ କବି ମନେ ପକାଉଛି–ମାଧବୀର ରତିବିଳାସ । ବିନି ବର୍ତ୍ତମାନ ତ ବୁଝି ପାରୁଥିବ–ରତିବିଳାସ ବଟିକା । ବୁଝିବା ପାଇଁ ତ ଅନୁରୋଧ ଆଉ କାହାକୁ କରିବନି । ଖବର କାଗଜରେ ବିଜ୍ଞାପିତ ବଶୀକରଣ ମୁଦି ସେ ମଗାଉଥିବ । ରତିବିଳାସ ବଟିକା ସେ ଖାଉଥିବ । ଧନୀର ଅର୍ଦ୍ଧାଙ୍ଗିନୀ । ଖିଆଲର ଶିକାର । କଅଣ ବା ସେ ଆନନ୍ଦ ପାଇଥାନ୍ତା ଏ କୁଡ଼ିଆରେ । ତଥାପି-ସେ ଏଇ କବିର ମାନସୀ !

 

ସେଦିନ ସେ କବିକୁ ଅନୁରୋଧ କରଥିଲା–ରତିବିଳାସ ବଟିକା ପାଇଁ । ପଚାରି ବସିଥିଲା–ତାକୁ ବିବାହପାଇଁ କବିର ଅନିଚ୍ଛା କାହିଁକି ? ସେ କ’ଣ ଅସୁନ୍ଦରୀ ? ଅଯୋଗ୍ୟ । ସେଦିନ ସନ୍ଧ୍ୟାର ଝାପ୍‌ସା ଆଲୋକରେ ସେ ସହସା ଦୁର୍ବଳ ହୋଇ ପ୍ରଶ୍ନ କରିଥିଲା । ‘‘ମୋତେ କଣ ସୁଖ ପାଅନି–ଭାଇନା ! -ମୁଁ ଯେ ତମକୁ ଭଲପାଏ–ଅନ୍ତରରୁ ।’’ ସେ ପ୍ରଶ୍ନର ଉତ୍ତର ଦେଇପାରିନି ସେ । ସେ ଅନୁରୋଧ ରକ୍ଷା କରିପାରିନି ଏଇ ଭାବପ୍ରବଣ କବିଟି ।

 

ଲେଖନ ସୁନନ୍ଦର ଜୀବନ-ପଥର ସମ୍ବଳ । ବିଶ୍ୱବିଦ୍ୟାଳୟର ଡିଗ୍ରୀ–ସେ ସଦ୍‌ବ୍ୟବହାର କରିପାରିନି । ସୁଖେ ଦୁଃଖେ ତାର ସଂସାର ଚଳିଯାଏ । ତେବେ ହୋମିଓପାଥି ଚିକିତ୍ସା କରେ । ଏହି ଶାସ୍ତ୍ର ସେ ପଢ଼ିଥିଲା କଲେଜ ଜୀବନରେ । ଖିଆଲ ? ନାଁ–ନାମ ଆଗରେ ଡକ୍ଟର ଲେଖିବାର ଲାଳସା ! ସହସା ଦିନେ କିଶୋର ସେଇ ହୋମିଓ ଚିକିତ୍ସାଳୟରେ । ‘‘ସୁନନ୍ଦା ! ପାନେ ଓଷଧ ଦେ–ତାର ଡେଲିଭରି ପେନ୍–ବଡ଼ କଷ୍ଟ ହେଉଚି ତାର !’’

 

କେତେ ଦିନପରେ–କିଶୋରର ନିମନ୍ତ୍ରଣରେ ସୁନନ୍ଦ ତାର ଅତିଥି । ବୈଠକଖାନାରେ ଚା ପାନ କରୁଚନ୍ତି ଦୁଇ ବନ୍ଧୁ । ଖୁସି ଗପ । ଗୋଟିଏ ସୋଫାରେ ବସିଚି–ବିନି । କୋଳରେ ତାର-ପୁଅ । ଟିକି ଟିକି ଆଙ୍ଗୁଠି ପାଟିରେ ପୂରାଇ ଚୁଚୁମୁଛି । ଜଳ ଜଳ କରି ଚାହିଁଛି–ତା ମା’କୁ । ସହସା ବିନି ପଚାରି ବସିଛି–‘‘ଭାଇନା–ତମ ଭଣଜାକୁ କୋଳକୁ ନବନି ? –ତା ପାଇଁ କଅଣ ଗୋଟାଏ ନାଁ ବାଛି ଦଉନା–ତମେ ପରା କବି ?’’ ହୃଦୟର ଉଦ୍‌ଗତ କୋହକୁ ଭଦ୍ରତାର ଢାଙ୍କୁଣୀରେ ଚାପି, ହସିହସି ବିନିକୁ କବି ଆଶୀର୍ବାଦ ଦେଲା ।’’ ତୋ ପୁଅ ଦୀର୍ଘଜୀବୀ ହେଉଲୋ ବିନି–ତାର ବ୍ରତ ହେଉ ସୁ–ସେ ନ୍ୟାୟ ମାର୍ଗରେ ଗତିକରୁ । ମୋ ମତରେ ତାର ନାଁ ହଉ ସୁବ୍ରତ ।’’

 

ସୁତାହାଟ, କଟକ

ମେ,୧୯୫୦

Image

 

ସୁବୀରର ସଂସାର

 

ଜାନୁଏରୀ ଏକର ସକାଳ–ଦୂର ଦିଗ୍‌ବଳୟର କୁହୁଡ଼ି ଘେରି ରହିଚି । ସୂର୍ଯ୍ୟ ଯେ କେତେବେଳୁ ଉଇଁଲେଣି ତାର ଠିକଣା ନାହିଁ । ଶିଶିର ବିନ୍ଦୁ ଥୋପି ଥୋପି ହୋଇ ପଡ଼ୁଚି । ପକ୍ଷୀର ଚିଁ ଚାଁ ଶୁଣାଗଲାଣି । ଝଲକାଏ ଝଲକାଏ ଥଣ୍ଡା ପବନ ଭାସିଆସୁଚି । କୋଇଲିଟିଏ କେଉଁ ଦୂର ଆମ୍ବ ଗଛରୁ ଗାଉଚି କୁଉ କୁଉ । ରାସ୍ତା ଉପରେ କୋଳାହଳର କିଛି ଚିହ୍ନ ନାହିଁ । ଶୁକ୍ର ତାରା କେଉଁ ସମୟରୁ ଏ ପୃଥିବୀରୁ ବିଦାୟ ନେଇଯାଇଚି । କାଁ ଭାଁ କେହି ସୌଖୀନ ଯୁବକ ଗରମ ପୋଷାକ ପିନ୍ଧି ଉଷା ଭ୍ରମଣରେ ବାହାରିଲେଣି ।

 

ଦେହରେ ଖଣ୍ଡେ କଟ୍‍ସୁଲ ହାଓ୍ୟାଇ–ଫୁଲଫ୍ୟାଣ୍ଟ ପିନ୍ଧି ଦୂର ଗାଁ ଗହଳର ଏକ ସର୍ପିଳ ରାସ୍ତାରେ ଗତିକରୁଚି ସୁବୀର । ହାତରେ ଗୋଟିଏ ମେଜ୍‌ରିଙ୍ଗ ଟେପ୍‌ । ପଛରେ ତାର ଜଣେ କୁଲି । ଗୋଟିଏ ଚିରାଜାମା ଓ ଆଣ୍ଠୁ ଲୁଚୁ ନଥିବା ଲୁଗା ତାର ପରିଧାନ । ମୁଣ୍ଡରେ ଗୋଟାଏ ବାକ୍‌ସ । ହାତରେ ଲୁହାର କେତୋଟି ଆରୋ ଓ ଦୁଇଟି ବାଉଁଶ । ଆଗରେ ମାଇଲ ମାଇଲ ରାସ୍ତା । ରାସ୍ତା ଛାଡ଼ି ଅବାଟରେ ଗତି କରୁଛନ୍ତି ଏମାନେ । ମୁହଁରେ କା’ର ପଦିଏ କଥା ନାଇଁ–ମନରେ ସତେ ଯେମିତି ପୃଥିବୀକୁ ଭ୍ରମଣ କରିବାର ଇଚ୍ଛା–ଯନ୍ତ୍ର ଚାଳିତପରି ଗତି ସେମାନଙ୍କର, ଦୂର କୋରାପୁଟର ନିର୍ଜନ ଏହି ପଲ୍ଲୀ ଅଞ୍ଚଳରେ କନ୍ଧ, ଗଦବାଙ୍କ ଆବାସରେ କଟ୍‌ସୁଲ ପିନ୍ଧା ସୁବୀର ଓ ଚିରା ଗାନ୍ଧିଜାମା ପିନ୍ଧା କୁଲି ବେଳେ ବେଳେ ଭ୍ରମ ଆଣେ–

 

ଆଉ କେତେ ବାଟ ବାବୁ ? ତମ୍ବୁ ଯେ ଦୁଇମାଇଲ ଦୂରରେ ରହିଲାଣି–

 

ଆରେ କାମ ତ କରିବାକୁ ହବ । ପେଟପାଇଁ ଏତେ ନାଟ–ବ୍ୟସ୍ତ କାହିଁକି ? ଏ ଗଛମୂଳେ ଟିକେ ବିଶ୍ରାମ ନେ-ଫ୍ଲାସରୁ କପେ ଚା ଖାଇ–ଖଣ୍ଡେ ସିଗାରେଟ୍‌ରେ ନିଆଁ ଧରାଇ ଆଉ ଗୋଟିଏ ସିଗାରେଟ୍‌ କୁଲି ଆଡ଼କୁ ବଢ଼ାଇ ଦଉ ଦଉ ଧୀର ଗଳାରେ ଉତ୍ତର ଦେଲା ସୁବୀର–

 

ତମ ଗାଁକୁ ରାସ୍ତା ପରା ଯିବରେ–

 

ରାସ୍ତା ତ ଯିବ–ଏତେ ଦଉଡ଼ା ଦଉଡ଼ି କାହିଁକି ? ଏତେ ମାପଚୁପ୍ କ’ଣ ହେବ ? ଦଶ ବାର ଜଣ ଆସି ମାଟିଗୋଡ଼ି ପକାଇ ଏ ରାସ୍ତା ତ ତିଆରି ଦିଅନ୍ତୁ । ବାବୁ ତମେ କାହିଁକି ଏ ଶୀତରେ ଆସିଲ ?

 

କଣ କରିବି–ଚାକିରି ତ କରିଛି–

 

ଚାକିରି କରିବ ଯେ ବାବୁ–ଆମ ଗାଁର ସେ ଯେଉଁ ଅଫିସର ଆଇଲା–ତା ରହିବା ପାଇଁ ଘର ତିଆରି ହେଲା–କେତେ ମାପଚୁପ୍‍ କେତେ ନକ୍‍ସା କଟାକଟି–ହାପ୍ ଘର ତିଆରି ହେବ । ଏତେ ମାପଚୁପ୍‍ କ’ଣ ମ ? ମୋ ପିଲାକାଳେ ଆମ ଗାଁ କାରିଗର ଘର ତିଆରି ଥିଲା ଯେ କିଛି ମାପଚୁପ୍‍ ନାହିଁ–ସେ ଘର ଏବେ ବି ଅଛି । କିନ୍ତୁ ସେ ଅଫିସରଙ୍କ ଘରୁ ପାଣି ଗଳୁଚି ।

 

ଆରେ ତୁ ବୁଝିବୁ କୁଆଡ଼ୁ–ଏ ପରା ସରକାରୀ କଥା । ବାବୁ, ଆମ ଗାଁକୁ ଜଣେ ଅଫିସର ଆଇଥିଲେ ଯେ କହୁଥିଲେ–କୁଆଡ଼େ ଆମ ପାଇଁ କଳପାଣିର ବ୍ୟବସ୍ଥା ହବ । ଭଲ ପାଇଖାନା ତିଆରି ହବ–ଆମେ ଝାଡ଼ା ଫେରି ପାଣି ଢାଳି ଦେଲେ–ନଳବାଟେ ଦୂରକୁ ଚାଲିପିବ । ଆଉ ସେଗୁଡ଼ାକ ଖତ ହବ ।

 

ହଁ ସେସବୁ ପରା ତମରି ପାଇଁ ହବ । ତମେ ପାଠ ପଢ଼ିବ–ଦେଶ କଥା ଜାଣି ବୁଝିବ । ତମେମାନେ ଦିନେ ମନ୍ତ୍ରୀ ହବ–ଏ ଦେଶ ପରା ଲୋକମାନଙ୍କ କଥାରେ ଚାଲିବ–

 

ନାଇଁ ବାବୁ–ଆମେ ମଳିମୁଣ୍ଡିଆ କଣ ସେ କାମକୁ ପାରିବୁ–ଯାହା କରମରେ ଅଛି ସେ ମନ୍ତ୍ରୀ ହବ ନା–ଆଚ୍ଛା ବାବୁ–ସେ ଯେ ବଡ଼ବାବୁ ବେଳେ ବେଳେ ଆସନ୍ତି–ତାଙ୍କୁ ତମେ ସାହାବ ବୋଲି ଡାକ–ସେ ତ ଗୋରା ଚମଡ଼ା ନୁହଁ–ଆରେ ଗୋରା ଶାସନ ସିନା ଯାଇଚି । ତାର ଛାଞ୍ଚ ଏତେ ଚଞ୍ଚଳ ଯିବ କିମିତି । ଗୋରା ମୁଣ୍ଡିଆଙ୍କ ବଦଳରେ କଳା ମୁଣ୍ଡିଆ ପରା ଏ ଦେଶର ସାହାବ–ପଦ୍ମଭୂଷଣ ସବୁ । ଯେ ଯେତେ ଖୋସାମତ କରିପାରିଲା ସେ ସେତେ ବଡ଼ ସାହାବ–ବଡ଼ ଦରମା–ଭଲ କୋଠା–ମଟରଗାଡ଼ି । ଚାଲ ଯିବା–

 

ଓଭରସିଅର ସୁବୀର ଆରମ୍ଭ କଲା–ମନରେ ଅଶାନ୍ତିର ଛାଇ । ସେ ରୋଜଗାର କରୁଚି ହଁ–ସାମାଜିକ ଖ୍ୟାତି କାହିଁ ? ବନ୍ଧୁ ନରେଶ ଏମ୍. ଏସ୍. ସି. ପଢ଼ୁଛି–ସୁଧାଂଶୁ ଆଇ.ଏ. ଏସ୍ . ଦେଇଚି–ବନାନୀ କବିତା ଲେଖୁଚି– ଆଉ ସେ ? ଏ ଦୂର କୋରାପୁଟର ମାଳଅଞ୍ଚଳରେ ଜାନୁଏରୀର ଏ ସକାଳରେ ସର୍ଭେ କରି ଚାଲିଚି–

 

ବନ୍ଧୁ ହରିଶ୍‌ ଇଲେକ୍ଟ୍ରିକାଲ ଓଭରସିଅର । ତମ୍ବୁରେ ରହୁଚି । ମାଛକୁଣ୍ଡରୁ ମିଳିବା ବିଜୁଳି ଶକ୍ତିର ସଞ୍ଚାଳନ ପାଇଁ ସେ ଖମ୍ବ ପୋତୁଚି–ରବିନ୍ ଭୁବନେଶ୍ୱର ନୂଆ ରାଜଧାନୀରେ–ବଡ଼ ସୁସ୍ଥ ଜୀବନ–ସାଢ଼େ ଦଶରୁ ସାଢ଼େ ଚାରି । ଅଫିସରେ ସେ କବିତା ଲେଖେ–ଅଫିସ ସରିଲେ ବୁଲେ । ୟୁନିଟ୍ ଛ’ରେ ଖଣ୍ଡଗିରି ପାଖକୁ ତାର ଏକ ନିର୍ଜ୍ଜନ ପ୍ରକୋଷ୍ଠ–

 

ମନରେ ନାଚି ଯାଉଚି ତାର କେତୋଟି ଛବି–କେତୋଟି ଟଙ୍କା ପାଇଁ ସିନା ତାର ଏ ଜୀବନ !

 

ନୂଆ ରାଜଧାନୀରେ ସେ ଟ୍ରେନିଂରେ ଥିଲା– ନୂଆ ରାଜଧାନୀର ପାଣିଗଳା କୋଠା–ଅହରହ ଅଫିସରମାନଙ୍କର କାର୍‍ର ନାଦ ଆଉ ଚାରିଆଡ଼େ ଅଫିସ କଥା ତା ମୁଣ୍ଡକୁ ଚହଲାଇ ଦିଏ । ଏଇ ତ ଜୀବନ । ସଞ୍ଜ ନ ହେଉଣୁ ଘର କଣରେ ଅଫିସ ଚର୍ଚ୍ଚା–ନାଁ ଖେଳ ନାଁ ମଜଲିସ୍ । କିଛି ନାହିଁ–କୁଆଖାଇରୁ ପାଣି ଦିଆ ହେଉଚି– ବଡ଼ ଅଫିସରଙ୍କ ବଗିଚା ହୋସ୍‍ପାଇପରେ ହସି ଉଠିଲାବେଳକୁ ମୁନ୍ଦାଏ ପାଣି ବି ସାନ ଚାକିରିଆମାନଙ୍କୁ ମିଳୁ ନାହିଁ । ଏକ ଦିଗରେ ଉତ୍କଳର ମୂକସାକ୍ଷୀ ଖଣ୍ଡଗିରି–ଅନ୍ୟ ଦିଗରେ ଭୁବନ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର । ଗୋଟିଏ କଣକୁ ଅମର ଯୁଗଳ–କେଦାରଗୌରୀ ।

 

ବନାନୀ ! ବନାନୀ ! ବନାନୀ ଆଜି ତାର ଜୀବନର ଏକ ମସ୍ତବଡ଼ ଅଧ୍ୟାୟ–ସହପାଠିନୀ ବନାନୀକୁ ସେ ଭଲ ପାଇଚି । ବନାନୀ ତାର ବନ୍ଧୁ–ଇଞ୍ଜିନିଅର ହବାର ମୋହକୁ ଦବାଇ ନ ପାରି–ଆଇ.ଏସ୍.ସି. ପରେ ସେ ଖୋଜିଥିଲା ଇଞ୍ଜିନିଅରିଂ କଲେଜରେ ସ୍ଥାନ । କିଏ ଦବ ଜାଗା–ବ୍ୟାକିଂ ତ ନାହିଁ–ନିରସ୍ତହୋଇ ପାଠ ପଢ଼ିଲା ସେ କଟକ ଇଞ୍ଜିନିଅରିଂ ସ୍କୁଲରେ । ମେଡ଼ିକାଲ କଲେଜ ସାମନା ଦେଇ ଜୋବ୍ରାକୁ ଲମ୍ବି ଯାଇଚି ଯେ ପିଚୁଦିଆ ମାକେଡ଼ମ ରାସ୍ତାଟି–ତାରି ଉପରେ ଚାଲିଚାଲି–ସେଦିନ ସେ ନାମ ଲେଖାଇଥିଲା ।

 

ଇଞ୍ଜିନିଅରିଂ ସ୍କୁଲ–ସେ ବି ଆଜିର ଏ ଉତ୍କଳର ଏକ ଚିଡ଼ିଆଖାନା । ଦରମା ବା ଚାକିରି ଲୋଭରେ ଯେତେ ନୁହଁ–କିଳାପୋତେଇ ଲୋଭରେ ବେଶୀ ପିଲାଏ ସେଠାରେ ନାଁ ଲେଖନ୍ତି । ହଷ୍ଟେଲରେ ଜୁଲାଇ ମାସରୁ ରାତି ସାତଟାରୁ ରାତି ଗୋଟାଏ ଯାଏ ପିଲାଏ ପାଠପଢ଼ନ୍ତି । ବାହାରି ଦୁନିଆ ସହିତ ପରିଚୟ ନଥାଏ ସେତେ । ଥୋକାଏ ପିଲା ଇଞ୍ଜିନିଅରିଂ ଆଭିନିଉର ଟିକିଏ କଡ଼କୁ ଥିବା ବେଙ୍ଗ ଦୋକାନରେ ଆଡ଼ା ମାରନ୍ତି । ଟଗର ଗଛମୂଳେ ଚଉକି ପକାଇ ବସନ୍ତି । ନର୍ସ କଥା ଗପନ୍ତି । ଏମାନେ ବି ପାସ୍ କରନ୍ତି–ଚାକିରି କରନ୍ତି ।

 

ଉଜୁଁତୁରି ହୋଇଗଲା ସୁବୀର–ଶିକ୍ଷକ ଯେଉଁଠି ପାଠ ପଢ଼ାଏ ନାହଁ–ସିଲାବସ୍ ବାହାରୁ ପ୍ରଶ୍ନ ଆସେ–ପିଲଏ ଯୋ ପୁଛା ଉସକୋ–ଯୋ ନହିଁ ପୁଚ୍ଛା ଉସକୋ ଉତ୍ତର ଲେଖନ୍ତି । ପାଶ୍ କରନ୍ତି । କେତେକ ଶିକ୍ଷକ ପରୀକ୍ଷକ ଥିବାରୁ ବ୍ୟବହାରରେ ହାନି ଦେଖାନ୍ତି । ସେ ଶିକ୍ଷାଳୟରେ ପଢ଼ିବା ସୁବୀରକୁ ଖରାପ ଲାଗିଥଲା–ମଣିଷ କୁଲି ହଉ–ଖଲାସି ହଉ–ସେ ମଣିଷ । ମଣିଷ ହାକିମ ହଉ–ମନ୍ତ୍ରୀ ହଉ–ସେ ବି ମଣିଷ । କୁଲି ବୋଲି ତାକୁ ଅପମାନ କରାଯିବ କାହିଁକି ?

 

ଏ ଚିନ୍ତାରେ ଆନ୍ଦୋଳିତ ସୁବୀର–ଆନ୍ଦୋଳନ କରିଚି–ଶିକ୍ଷକଙ୍କ ବ୍ୟବହାର ବିରୁଦ୍ଧରେ ପ୍ରତିବାଦ କରିଚି–ଛାତ୍ରମାନଙ୍କୁ ଜାଗ୍ରତ କରିଚି–ପାଇଚି କ’ଣ ? ଶିକ୍ଷକଙ୍କର ଲାଲଆଖି–ସେ ଛତରା ହୋଇଗଲାଣି–ବାପାମାଙ୍କର ତାଗିଦ୍, ସେଥିରେ କଣ ଥାଏରେ ପୁଅ–ତୁ ପାଶ୍‍କରି ଚାଲିଆ-। ସାର୍ଥୀମାନଙ୍କ ପରାମର୍ଶ–ତା ସାଙ୍ଗରେ ଲାଗିଲେ ସେ ଫେଲ କରିଦବ–ବଡ଼ ରିଭେଞ୍ଜଫୁଲ-

 

ତଥାପି ସେ ହାର ମାନିନି–ଏ ଆନ୍ଦୋଳନର ପୁରସ୍କାରରେ ବର୍ଷେ ତାର ନଷ୍ଟ ହୋଇଚି-। କେତେକ ତାକୁ ଭର୍ତ୍ସନା ତଥା ପ୍ରଶଂସା କରିଛନ୍ତି–ତଥାପି ବେଙ୍ଗ ଦୋକାନର ଚାହା ଓ ବରା ତା ମୁଣ୍ଡକୁ ଠିକ୍‌ ରଖିଚି–

 

ତା ମନରେ ପ୍ରଶ୍ନ ଉଠିଚି–ସବୁ ଠକତକ କଣ ହରଦ୍ୱାରରେ ମେଳା କରିଛନ୍ତି । ଏ ଯୁଗରେ ଖୋସାମତି କ’ଣ ଉନ୍ନତିର ପାଥେୟ ?–ସତ୍ୟ ଓ ନ୍ୟାୟର ମୁଖ କ’ଣ ନାଇଁ ?

 

ପ୍ରଶ୍ନର ଉତ୍ତର ନ ଭାବୁଣୁ–ସେ ଠିଆ ହେଲା । ଥିଓଡ଼ୋଲାଇଟକୁ ବାକ୍‍ସରୁ କାଢ଼ି ସେଟ୍ କଲା–ଷ୍ଟେସନ ଉପରେ । ଆଇପିସ୍‍କୁ, ଯେତେ ଆଡ଼ଜଷ୍ଟ କଲେ ବି ଝଣ୍ଡି ଦିଶୁନି–କୁହୁଡ଼ି ସେ ପର୍ଯ୍ୟନ୍ତ ଯାଇନାହିଁ । ଏକଜିଉଟିଭ୍ ଇଞ୍ଜିନିଅରଙ୍କ କଡ଼ା ହୁକୁମ–ସର୍ଭେ ଦି’ଦିନ ଭିତରେ ଶେଷ ହବ–ମାସକ ଭିତରେ ରାସ୍ତା ତିଆରି ହେଲେ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିବାକୁ ଆସିବେ । ଦାର୍ଘ ପଚାଶ ମାଇଲ ରାସ୍ତା–ବିରାଟ ପଲ୍ଲୀ ଭିତରେ ।

 

ଚେନ୍‍କୁ, ଝାଙ୍କିଦେଇ–କୁଲିକୁ ଆରୋ ପୋତିବାକୁ ଆଦେଶ ଦେଲା–ଅପଟିକାଲ ସ୍କୋୟାର କାଢ଼ି ଦେଖିଲା ବେଳକୁ. କିଛି ଦିଶୁନି । କଣ କରିବ–ଦି’ ଦିନରେ ପଚାଶ ମାଇଲ–ମଣିଷ କ’ଣ କରେ ? ନକଲେ ନଚଲେ । ସାହାବ ତ ବଡ଼ କଡ଼ାଲୋକ–ରୁମାଲ କାଢ଼ି ମୁହଁ ପୋଛିଲା–ପୁଣି ଥରେ ଚେଷ୍ଟାକଲା–ଥିଓଡ଼ୋଲାଲଟ୍‌ରେ କିଛି ଦିଶୁନି– ରୁମାଲରେ ଥିଓଡ଼ୋଲାଲଟ୍‌ର ଅବଜେକ୍ଟ ପିସ୍‌ରେ ଜମିଥିବା ଶିଶିର ବିନ୍ଦୁ ପୋଛିଦେଲା । ତଥାପି ଝଣ୍ଡି ଦିଶୁନି–

 

ଧେତ୍‌ ତେରି–କିଏ ଏତେ କାମ କରେ ? ଦୂରରୁ କୁଲି ଡାକୁଚି–ବାବୁ ଆର ଷ୍ଟେସନକୁ ଯିବି, ସୁବୀର ଭାବୁଚି–

 

ଭୁଲ୍‌ ଓ ବ୍ଲପିଂ ରିଡ଼ିଙ୍ଗ୍‌ ନୋଟ୍‌ କରିବ କି ? ଏତେ ଟଙ୍କା ଖର୍ଚ୍ଚକରି ଏ ରାସ୍ତା ହବ–ଜଣଙ୍କପାଇଁ ସିନା ଖରାପ ହୋଇଯିବ–

 

ଭାବନାର ଅନ୍ୟପାଖ–

 

ଏତେ ଲୋକ ଫାଙ୍କି ମାରୁଛନ୍ତି–ସେମାନେ ବଡ଼ଲୋକ–ବଡ଼ ଅଫିସର–ଆଉ ସେ ଓଭରସିଅର–ଗରିବ ମାଇପ ସବୁରି ଶାଳୀ–ସେ କ’ଣ ଠକି ପାରେ ? ବିଡ଼ାନାସୀ ବନ୍ଧର ଯୋଜନା କଲେ ବଡ଼ ସାହେବ–ଟଙ୍କା ଖାଇଲେ ସାନ ସାହେବ–କିନ୍ତୁ ଜେଲ ଭୋଗିଲା ବିଚାରା ଓଭରସିଅର-ଏହି ହୀନିମାନିଆ ଜୀବନ–

 

ଆହା ବନାନୀ–ତମେ ମତେ ସତରେ ଭଲପାଅ–? ସେଦିନ କହିଥିଲ–ଦୂର ଦିଗ୍‌ବଳୟରେ କୁଲାୟ ରଚିବା–ଆମେ ଦି’ଜଣ–କିନ୍ତୁ କାହିଁ–ସତେ କ’ଣ ଏ ବିଚାରା ଓଭରସିଅରକୁ ତମେ ଉଚ୍ଚଶିକ୍ଷିତା ତା ବନାନୀ ଭଲ ପାଇପାର ? ବନାନୀ-ମୋର ତନୁ ପାତଳୀ ବନାନୀ–ଯେଉଁ ଦିନ ତମେ ମତେ ଛାଡ଼ିଯିବ-ମୁଁ କ’ଣ କରିବି ?

 

ସାମାନ୍ୟ ଖରା ପଡ଼ିଲା–ଯନ୍ତ୍ରଚାଳିତ ପରି ସୁବୀର ଚାଲିଚି–ଥିଓଡ଼ୋଲାଇଟ୍‌ର ରିଡ଼ିଂ ନେଇ ଦୂର ଗାଁ ଗହଳରୁ ମଇଁଷିଗୋଠ ନେଇ ଯାଉଥିବା କନ୍ଧ ଓ ଧାଙ୍ଗଡ଼ାର ଗୀତ ଶୁଭୁଛି–

 

ମନମତାଣିଆ ଗୀତ–ବଡ଼ ସରଳ, ଏଇମାନେ । ପଇସା ପାଇଁ ଯେଉଁଠି ମଣିଷ ପାଷାଣ୍ଡ ହୁଏ-କ୍ଷମତାପାଇଁ ଯେଉଠି ମନ୍ତ୍ରୀ ଦ୍ୱିତୀୟ ଜାଲିଆନା ବାଗ୍‌ର ଧମକ ଦିଏ–ସେଇଠି ଏ ବିପରୀତ ! କନ୍ଦ ଧାଙ୍ଗଡ଼ା–କନ୍ଦ ଧାଙ୍ଗଡ଼ୀ । ଏଇ ଜାତି ହିଁ ପ୍ରକୃତିର ସନ୍ତାନ । ହାଣ୍ଡିଆ ପିଇ ଜୀବନକୁ ମଉଜରେ ଉଡ଼ାଇଦିଏ । ଦୁଃଖ ଶୋକର ସଙ୍କେତକୁ ଅବମାନନା କରି ସେ ଜୀବନ ପଥରେ ଅଗ୍ରଣୀ ହୁଏ । ସେ ଅମୃତର ସନ୍ତାନ !

 

(ଛାତ୍ରାବାସ ମୁଖପତ୍ର ‘ଜୟଶ୍ରୀ’ ରେ ପ୍ରକାଶିତ)

 

ନୂଆ ରାଜଧାନୀ

୧୦-୮-୫୬

Image

 

ଦୋଷ କାହାର

 

ସୁଦୂର ଇଣ୍ଡୋନେସିଆ ।

 

ଭାରତୀୟ ନୌବାହିନୀର ଜାହାଜ ଜଳ-ଜହର । ଜଳ-ଜହରରେ ନୌବାହିନୀର ଓଡ଼ିଆ ସୈନିକ ନଳିନୀକାନ୍ତ । ସେ କର୍ମ ବ୍ୟସ୍ତ । ସୈନିକ ଜୀବନର ରୁଟିନ୍‌ ବନ୍ଧା ଏକ ସପ୍ତାହରେ ଆଜି ତାର ଛୁଟି । ମନୁଷ୍ୟର ଉପଭୋଗ ପାଇଁ ଯାହା ଯାହା ଦରକାର–ସରକାର ଏହି ସୈନିକମାନଙ୍କ ପାଇଁ ତା’ର ସୁବନ୍ଦୋବସ୍ତ କରିଛନ୍ତି । ଜାହାଜରେ ଧୂମପାନଠାରୁ ଆରମ୍ଭ କରି ଆମୋଦ ପ୍ରମୋଦ ପାଇଁ ସୁବିଧା ଓ ବନ୍ଦୋବସ୍ତ ରହିଛି । ଛୁଟି ଦିନରେ ଅବସର ନେଇ ସୈନିକ ସହର ପରିକ୍ରମା କରେ । ସ୍ଥାନୀୟ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରେ । ଆଜି ନଳିନୀକାନ୍ତ ବାହାରିଛି ମନର ଅଫୁରନ୍ତ ଆନନ୍ଦରେ ।

 

ସୁଦୂର ଇଣ୍ଡୋନେସିଆର ବକ୍ଷ ଉପରେ ପଦଚାରଣ କରୁ କରୁ ତା ମନରେ ଉଙ୍କି ମାରୁଛି ଅତୀତ । ଓଡ଼ିଶାର ଇଣ୍ଡୋନେସିଆରେ ବାଣିଜ୍ୟ ବ୍ୟବସାୟ । ପରିକଳ୍ପନା ଘୂରି ବୁଲୁଚି ତା ମନରେ । ସେଦିନ ମଧ୍ୟ ସେଇ ରାଜପଥରେ ପଦଚାରଣ କରିଥିବ–କେଉଁ ଅଶ୍ରୁତ ପଲ୍ଲୀର ମାଧବ-। ବ୍ୟବସାୟର ଅନ୍ତରାଳରେ ଖୋଜି ବୁଲୁଥିବ ପ୍ରିୟତମାର ବରାଦ । ନିର୍ଜନତା ସେ କାମନା କରିଥିଲା । କିନ୍ତୁ ଆଜି ସେ ବ୍ୟସ୍ତ କାହିଁକି ? ଆଖି ଆଗରେ ତାର ଯୁଗଳ ପ୍ରଣୟୀ–ହୋଇପାରନ୍ତି ପ୍ରେମିକ, ପ୍ରେମିକା । ସେଇ ଚିର ନୂତନ ପଥର ଅଭିଯାତ୍ରୀ । ମନ ତାର ଚିତ୍କାର କରି ଉଠୁଛି-। ଆଖି ଆଗରେ ତାର ନାଚିଯାଉଚି–ସୁଦୂର ଓଡ଼ିଶାର କେଉଁ ପଲ୍ଲୀ କୋଣ । ସ୍ମୃତିର ଅତ୍ୟାଚାର-। ସୁନ୍ଦରୀ ଷୋଡ଼ଶୀ ପରିଣୀତାଠାରୁ ବିଦାୟ ସେଇ–ଆଜି ସେ କାହିଁକି–ବିରହୀ ଯକ୍ଷ ।

 

କଥାଚିତ୍ର ସେ ଦେଖିବ । ପ୍ରେକ୍ଷା ଗୃହରେ ସବାକ୍‌ ନାୟକ, ନାୟିକାଙ୍କ ଜୀବନ-ସଂଗ୍ରାମର ଛବିକୁ ସେ ଚାହିରହିଛି ମାତ୍ର । ସ୍ମୃତି ତାର କାର୍ଯ୍ୟ ଆରମ୍ଭ କରିଚି । ନିର୍ମମ ଏଇ ସ୍ମୃତି–ନିର୍ମମ ତାର ପରିହାସ । ପେକ୍ଷାଗୃହ ତ୍ୟାଗକରି–ସେ ପାନାଳୟରେ ପାନ କରିଛି ଦୁଇ ପେକ୍‌ ସ୍କଚ୍‌ ହୁଇସ୍କି । ଓ୍ୱେଭିନାଭି ସିଗରେଟ୍‌ର ଧୂମ୍ର କୁଣ୍ଡଳୀ ପରିବେଷ୍ଟନ କରିଚି ତାର ଅଶାନ୍ତ ମୁଖମଣ୍ଡଳ । ହାତରେ ତାର ନିଜସ୍ୱ ସ୍ୱାନ୍‌ ପେନ୍‌ଟା–ସେ ଲେଖିବ ଚିଠି । କର୍ମକ୍ଳାନ୍ତ ଜୀବନରେ–ଅବସର ପାଇ ସେ ଲେଖେ ଚିଠି । କିନ୍ତୁ କାହା ପାଖକୁ ଆଜି ସେ ଚିଠି ଲେଖିବ । ସେ ଭାବୁଛି, ଭାବନା କ’ଣ ତାର ସରିବ ନାହିଁ ?

 

ସେ କ’ଣ ନଥିଲା ? ନାରୀମାତ୍ରେ ସେ ବୁଝୁଥିଲା–ଉପଭୋଗର ଏକ ବସ୍ତୁ । କ୍ଷଣସ୍ଥାୟୀ ମାନବ ଜୀବନର ଆଗମନ ଓ ପ୍ରସ୍ଥାନ ବିଷୟରେ ଚିନ୍ତା, ତା ମତରେ ଚିନ୍ତା ବିଭ୍ରାଟ । ତେଣୁ ଉପଭୋଗ ହିଁ ତା ଜୀବନର ଆଦର୍ଶ । ଏହି ଉପଭୋଗ ଯଦି ଚରମ ପର୍ଯ୍ୟାୟର ଆଶ୍ରୟ କରେ–ମଦ, ମାଂସ, ମହିଳା ସାହାଯ୍ୟରେ କ୍ଷତି କ’ଣ ସେ ଉପଭୋଗ ? କିନ୍ତୁ ଆଜି କାହିଁକି ତାର ନିର୍ବାସିତର ପ୍ରଳାପ–ନୀଳୋର୍ମି ଘେରା ଏ ଦ୍ୱୀପରେ ? ଭୁଲ୍‌ କାହାର ? ଭାଗ୍ୟଦୋଷ–ଭାଗ୍ୟର ଅମୋଘ ଶକ୍ତି ସମ୍ପର୍କରେ–ସେ ତ ଦିନେ ହେଲେ ବିଶ୍ୱାସ କରିନାଇଁ । ବିପଦ ସମ୍ମୁଖରେ ସେ ଆଜି ଭାଗ୍ୟର ବିଜୟକୁ ସ୍ୱୀକାର କରିବ କିପରି ?

 

ସେଦିନ–କି ଅଶୁଭ ମୁହୂର୍ତ୍ତ । ଆଜି ମଧ୍ୟ ସେ ଦିନର ଇତିହାସ ବିଷାକ୍ତ ଜୟପାଳ ରସ ପରି ସଞ୍ଚରି ଯାଇଚି–ତା ପ୍ରାଣରେ । ଜୀବନରେ ଭଲ ପାଇବାର ଅର୍ଥ ସେ ବୁଝେନା । ଅନୁତାପ ସେ ମନେକରେ ଦୁର୍ବଳର ଏକ ବିଜିତ ଅଭିବ୍ୟକ୍ତି । କୌଣସି ନିର୍ଦ୍ଦିଷ୍ଟ ତରୁଣୀକୁ ସେ ଅନ୍ତରଙ୍ଗ ପ୍ରେମ କରି ନପାରେ । ଉପସ୍ଥିତ ମୁହୂର୍ତ୍ତରେ ଉପସ୍ଥିତା ନାରୀ–ତାର ପ୍ରାଣାଧିକା–ପ୍ରଣୟ ରାଧିକା । ଜୀବନ ବଂଶୀ ସେ ବାଦନ କରିବ ସେଇ ରାଧିକା ପାଇଁ । ଚାଷୀୟ ଲେଖକ ଟଲଷ୍ଟୟଙ୍କ କାହାଣୀରୁ ଗୋଟିଏ ବାକ୍ୟ ସେ ଜୀବନର ଆଦର୍ଶ ରୂପେ ମାନି ନେଇଛି । ‘‘ଯେଉଁ ମୁହୂର୍ତ୍ତରେ ତମେ ଯାହାପାଖେ ଅଛ–ସେଇ ହିଁ ତମପାଇଁ ସେଇ ମୁହୂର୍ତ୍ତରେ ସବୁଠାରୁ ପ୍ରୟୋଜନୀୟ ଜନ ।’’

ବନ୍ଧୁମହଲରେ ପାଚକ ପାଣିର ଏକ ବ୍ୟବସ୍ଥା ହେଲା । ଆକଣ୍ଠ ପାନକରି ସ୍ୱସ୍ତିର ନିଶ୍ୱାସ ଛାଡ଼ିଥିଲା ଯୁବକ–ଦୁର୍ଦ୍ଦାନ୍ତ ନଳିନୀକାନ୍ତ, ନିଶା–ଯେଉଁ ମାଦକ ନିଶାରେ ଦୁନିଆକୁ ମଦ୍ୟପ ଗୋଲାପି ଚଷମାରେ ଚାହେଁ–ସେଇ ନିଶା ତାକୁ କରିଥିଲା ହତଜ୍ଞାନ । ରାତି ପ୍ରାୟ ଦୁଇଟା । ମେଘମାଳା କୋଳରେ ଖେଳିବୁଲୁଚି ଚତୁର୍ଦ୍ଦଶୀର ଜହ୍ନ । ସହସା ସେ ନିଦ୍ରା ତ୍ୟାଗ କଲା । ଅଙ୍ଗନର ଥଣ୍ଡା ପବନରେ କିଛି ସମୟ ମନ ପ୍ରଫୁଲ୍ଲ କରି ସେଇ ଅର୍ଦ୍ଧଚେତନ ଅବସ୍ଥାରେ କୋଠରୀକୁ ଫେରିଲା । ଦୁମ୍‌ କରି ବିଛଣାରେ ପଡ଼ିଗଲା । ଏ କ’ଣ ? ଭୀଷଣ ଚିତ୍କାର ! ତା କୋଠରୀରେ କିଏ ? କିଏ ସେ କରିଚି ଅନଧିକାର ପ୍ରବେଶ ? ନିଶା ତାର ଛାଡ଼ି ଆସିଲା । ନାଁ ଏହା ତା କୋଠରୀ ନୁହେଁ । ଭ୍ରାତୃଜାୟା ତିଳର କୋଠରୀ । ଭାଇନା କଟକରେ ସରକାରୀ କର୍ମଚାରୀ । ନିଶାର ଅଜ୍ଞାନରେ–ତାର ଭୁଲ ହୋଇଯାଇଚି । ଫେରି ଆସିଚି ସେ ନିଜର ବିଛଣାକୁ ।

ଚିନ୍ତା ତାକୁ ଦହନ କରୁଛି । ପରର କନ୍ୟା ଓ ଜାୟାକୁ ଅବିଶ୍ରାନ୍ତ ସେ ଭୋଗ କରିଚି । କାମ-ଲାଳସା ତାର ଶାନ୍ତ ହୋଇନି । ଏ କଣ ସେ ପାପର ଅଭିଶାପ । ଭ୍ରାତୃଜାୟା ତିଳ ତାର ସମବୟସୀ, ସୁନ୍ଦରୀ । ତିଳକୁ ସେ ତ କେବେ ଉପଭୋଗ ପାଇଁ କାମନା କରିନି । ଭାଇନାର ପ୍ରେମମୟୀ ସେ । ତା ପଶୁ-ହୃଦୟରେ ଏତିକି ଦେବତ୍ୱ ପାଇଁ ଅନ୍ତତଃ ସ୍ଥାନ ତ ଅଛି । କିନ୍ତୁ–ମାନନୀୟା ଭ୍ରାତୃଜାୟା–ସେ ତ ପ୍ରଶ୍ନକରି ପାରିନି ନଳିନୀକାନ୍ତର ଏ ଭ୍ରାନ୍ତିକୁ । ସେ ଚିତ୍କାର କରି ପ୍ରଚାର କରିଚି । ତାର ନିଷ୍ଠା । ନଳିନୀକାନ୍ତର ନାସ୍ତିକ ହୃଦୟ ଆସ୍ତିକ ହୋଇ ଉଠିଲା ସେଇ ଅନ୍ଧାରର ବୁକୁ ଚିରି ସେ ପ୍ରସ୍ଥାନ କଲା–ସହରକୁ । ଗାଁ ମାଟିର ମାୟା ତାକୁ ରୋକି ପାରିନି ।

ସ୍ନେହମୟୀ ଭାଉଜ–ମାଆ ସ୍ଥାନରେ ସେ ଦେଖି ଆସିଚି ତାଙ୍କୁ । ସେ ତ ପଚାରି ପାରିଥାନ୍ତେ ଏଇ ଭୁଲ୍‌ର କାହାଣୀ । ଯେ ମହା ତିଳକୁ ଉପଭୋଗ କରି ମଧ୍ୟ କାମନାର ଅଗ୍ନି ନିର୍ବାପିତ କରିପାରିନି–ସେ କି ଛାଡ଼ିଥାନ୍ତା ସୁନ୍ଦରୀ ତିଳକୁ । ଅଧରରେ ଯାର ରତିର ଚିତ୍କାର–ଚକ୍ଷୁରେ ଯାହାର ଉପଭୋଗ ନିମନ୍ତ୍ରଣ । ସମସ୍ତ ମାନ, ଅପମାନ, ବାଦ୍‌ ଅପବାଦ୍‌କୁ ଦଳିଦେଇ–ସେ ଉପଭୋଗ କରି ପାରିଥାନ୍ତା–ତିଳକୁ ତିଳ ତିଳ କରି । କିନ୍ତୁ ବିନା ଦୋଷରେ ବିନା କାମନାରେ–ସେ କାହିଁକି ହେବ ଚରିତ୍ରହୀନ ? ଭାଉଜ ଯଦି ସନ୍ଦେହ କଲେ–ଶିକ୍ଷକ ପରି କାନ ମୋଡ଼ି ଶିକ୍ଷା ତ ଦେଇ ପାରିଥାନ୍ତେ । ସ୍ୱାମୀର କନିଷ୍ଠ ଭ୍ରାତ୍ରାକୁ ସୁପଥକୁ ତ ଆଣି ପାରିଥାନ୍ତେ ? ପଦ-ବନ୍ଦନା କରିଥାନ୍ତା ଅନୁଜ–ସେଇ ମାତୃକଳ୍ପା–ଭ୍ରାତୃଜାୟାର । ଅନ୍ତଃସତ୍ତ୍ୱା ସେ–ଉଦରରେ ତାଙ୍କର ଭାଇନାର ରକ୍ତ କଣିକା ଖେଳୁଚି । ପାଷାଣ୍ଡ ତ ନୁହେଁ ନଳିନୀକାନ୍ତ

ସେ ପିନ୍ଧିଛି ଗୋଟିଏ ପାଇଜାମା । ହାପ୍‌ ସାର୍ଟଟେ ଦେହରେ ଗଳେଇ ପକେଇଚି । ବାଟରେ ବାଥିଙ୍ଗ୍‌ ସ୍ଲିପରରୁ ପଟେ କେଉଁଠି ପଡ଼ି ଯାଇଚି । ନଳିନୀକାନ୍ତ ପହଞ୍ଚିଲା କଟକରେ । ଉଦ୍‌ବେଗରେ ସେ ତ୍ରସ୍ତ । କିନ୍ତୁ କଟକରେ ଆଜି କାଲି ଯାତ୍ରା, ଆନନ୍ଦର ମହୋତ୍ସବ–ଇତିହାସର ସ୍ମୃତିକୁ ତର୍ପଣ କରିବାପାଇଁ । ଆନନ୍ଦ ତାର କାହିଁ ? ସେନା ବାହିନୀ ସଂଗ୍ରହ ଅଫିସ୍‌କୁ ସେ ଗଲା । ଋଦ୍ଧିମନ୍ତ ବପୁ, ସୁନ୍ଦର ସ୍ୱାସ୍ଥ୍ୟ, ନଳିନୀକାନ୍ତକୁ ମେଜର ସିଂ ତୁରନ୍ତ ଗ୍ରହଣ କଲେ । ବାଲିଯାତ୍ରାର ସେଇ ରାତିରେ ସେ ଛାଡ଼ିବ କଟକ । ଯାତ୍ରୀ ସେ ହେବ ଏକ ଅନିଶ୍ଚିତର । ଭେଁ କରି କାନ୍ଦି ପକାଇଲା ନଳିନୀକାନ୍ତ–ନିର୍ଭୀକ ମୁହଁରେ ତାର ପରାଜୟର ଗ୍ଳାନି । ମନକୁ ସାନ୍ତ୍ୱନା ଦେବା ପାଇଁ–ସେ ଯୁକ୍ତି କଲା-ଯୁବକର ବିକ୍ରମ–ମାତୃଭୂମିର ସେବାପାଇଁ–ଭୋଗପାଇଁ ତ ନୁହେଁ !

 

ଜନରବର ତ ଶେଷ ନାଇଁ, କିଏ କହିଲା–ଅନ୍ତଃସତ୍ତ୍ୱା ମାତୃକଳ୍ପା ତିଳ ଉପରେ ବଳାତ୍କାର କରୁଥିଲା ନଳିନୀକାନ୍ତ । ନଷ୍ଟଚରିତ୍ରର ଅନ୍ୟ ଗତି ବା କ’ଣ ? ସାଧ୍ୱୀ ତିଳ ପ୍ରତ୍ୟାଖାନ କରିଚି ସେ ପାପ କାମନାକୁ । ଆତ୍ମରକ୍ଷା ପାଇଁ ଚିତ୍କାର କରିଚି । ଇଜ୍ଜତକୁ ସେ ଗୁପ୍ତରେ ଟେକିଦେବ–ଏଇ ଚରିତ୍ରହୀନ ଲମ୍ପଟ ହାତରେ ? ହେଉ ପଛେ ସେ ସ୍ୱାମୀର ସହୋଦର–

 

ଅନ୍ୟମୁଖରେ ପୁଣି ଶୁଣାଯାଏ–ତିଳ ଚରିତ୍ରହୀନା । କୁମାରୀ ଜୀବନର ବହୁ ଅସାଧୁ ଦୃଷ୍ଟାନ୍ତରେ ବିଷାକ୍ତ ତାର ନାରୀତ୍ୱ । ନଳିନୀକାନ୍ତର ଯୌବନ ପାଇଁ କାମନାର ସର୍ପ ତାର ଲହଲହ କରିଥିବ ଜିହ୍ୱା । ନିମନ୍ତ୍ରଣ କରିଥିବ ଯୁବକକୁ–ଶରୀରର ମିଳନ ପାଇଁ । ଏ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରିଚି ଯୁବକ । ଦଂଶନ ଆଶାରେ ମତ୍ତ ସର୍ପିଣୀ-ପ୍ରତିଶୋଧ ପାଇଁ କରିଚି ଏ ଅଭିନବ ଯୋଜନା–ଛଳନାରେ ସୁନ୍ଦର କଥାବସ୍ତୁ ସେ ତୋଳିଛି ।

 

ବାଦାନୁବାଦର ଏ କାହାଣୀ । ନଳିନୀକାନ୍ତ ଭାବୁଚି । ଫେଣେଇ ଫେଣେଇ ଅତୀତ ପାଇଁ ପଶ୍ଚାତାପ କରୁଛି–କ’ଣ ବା ତାର ଅଭିଳାଷ ? ଏହାର ସଂଶୋଧନ କ’ଣ ନାହିଁ ?

 

‘‘ବହୁଦିନ ପରେ ତମ ପାଖକୁ ଏ ମୋର ଚିଠି । ଦୁଃଖ କରୁଥିବ ଅୟୀ ! କିନ୍ତୁ ଏ ହତଭାଗାର ହାତ କାହିଁକି ଧରିଲ ? ମୁଁ ମାସ୍ତାନ୍‌–। ତୁଣ୍ଡ ବାଇଦ ଶୁଣାଇଥିବ ତମକୁ ମୋର ପାପର ଇତିହାସ । ମତେ କ୍ଷମାକର । ମୁଁ ଚରିତ୍ରହୀନ ! ରମଣୀଙ୍କ ଉପଭୋଗ ମୋର ଲକ୍ଷ୍ୟ । ସେ ଲକ୍ଷ୍ୟପଥରେ ଆଗେଇ ସାରିଚି ମୁଁ ବହୁଦୂର, ତମକୁ ବା କ’ଣ ଲୁଚେଇବି ? କିନ୍ତୁ–ଏ ଘଟଣାରେ ମୁଁ ଦୋଷୀ ନୁହଁ । ତମେ ବିଶ୍ୱାସ କରିବନି ଜାଣେ । ଦୁନିଆ ତ ଅବିଶ୍ୱାସ କରିଛି ? ଆଉ ତମେ !

 

ମୁଁ ଖଞ୍ଜା–ମୁଁ କାଳକେତୁ । ଏପରି ଗ୍ରହକୁ ତମେ କ’ଣ ବାନ୍ଧି ରଖିପାରିବ ? ନାରୀର ମୃଣାଳ ବାହୁରେ ଶାନ୍ତ କ’ଣ ହୁଏ କାଳ-ପୁରୁଷ ? ତେଣୁ ତମେ କାହିଁକି କରିବ ଦୁରାଶା–ମୋତେ ବାନ୍ଧିରଖିବାକୁ । ଦୁଃଖ ଲାଗେ–ତମେ ଅଭାଗିନୀ ! ଏ ଯୌବନରେ ପ୍ରିୟ ସ୍ୱାମୀ ତମର ଦୂରେ–ବହୁଦୂରେ । ଦୁର୍ବାଶାର ଅଭିଶାପ ତମେ ଗ୍ରହଣ କରିଚ–ଶକୁନ୍ତଳା । ତମର ଅଙ୍ଗୁରୀ କାହିଁ ? ଅଭିଶାପରୁ ତ୍ରାହି କାହିଁ ? ପ୍ରିୟତମା ପତ୍ନୀ ନିକଟକୁ ପତ୍ରଲିଖନ ଶେଷ କଲା ନଳିନୀକାନ୍ତ ।

 

ସତ୍ୟର ପ୍ରଚାର ହୁଏ–କିନ୍ତୁ ବିଳମ୍ବରେ । ହେ ଇଶ୍ୱର ତମର ଏ କି ନୀତି ? ତମେ ଯଦି ଶାସକ ବେଶରେ ଆସନ୍ତ–ସକ୍ରିୟ ପ୍ରତିବାଦ କରନ୍ତି–ତମ ସମ୍ମୁଖରେ ତମର ଏ ନୀତିକୁ । ସୁଖର ଜୀବନରେ ଦୁଃଖର ପ୍ରଲେପ କାହିଁକି ଦେଇଚ ପ୍ରଭୁ ? ନାରୀ ଯଦି କାମନାର କ୍ଷୁଧା ପାଇଁ ଅନ୍ନର ଭୂମିକାରେ ଅଭିନୟ କରେ କି ଦୋଷ ଅଛି ତାର ଉପଭୋଗରେ ? ତମେ କ’ଣ ଜାଣିନ–ମାତୃକଳ୍ପା ତିଳର ଚରିତ୍ର ! ପରକୀୟା ସେ । ପ୍ରଣୟ ତାଙ୍କର କେଉଁ ବିଦେଶୀ ପ୍ରତି । ସେ ବିଦେଶୀର ସ୍ତୁତି ପ୍ରଣୟକୁ ରୋମାଞ୍ଚକର କରିଛି କିଏ ? ତିଳ ତିଳ କରି ଏ ଦୁନିଆର ସବୁ ଯାହା ସୁନ୍ଦର–ତାକୁ ସଂଗ୍ରହ କରି ନେଇ ପ୍ରିୟା–ତମକୁ ମୁଁ କି ଭୁଲିପାରେ ? ତମେ ପରକୀୟା । ସ୍ୱକୀୟା, ପରକୀୟାର ବିଚାର ଏ ଦେଶର ଶାସ୍ତ୍ର ପୁରାଣ କରିନି । ପୁନରାବୃତ୍ତି କରିବି ମୁଁ ପ୍ରଣୟର ଅତୀତକୁ-। ତମେ ରାଜି ହୁଅ ତିଳ, ମୋର ଚୁମ୍ବନ ନିଅ–ତୁମର କେତନ ।

 

କିଏ ଏଇ କେତନ ? କହି ପାରିବକି ମାନନୀୟା ଭାଉଜ ମୋର ! କି ସଂପର୍କ ଏଇ ଚରିତ୍ରବାନ କେତନର ମୋ ବଂଶର ପୁରନାରୀ ତିଳ ସହିତ ? ଚରିତ୍ରହୀନାର ଚରିତ୍ର ସଂପର୍କରେ ପ୍ରଚାର । ମନୁଷ୍ୟ ମୁଁ । ଅନ୍ତରରେ ମୋର ଦେବାସୁରର ଅହରହ ସଂଗ୍ରାମ । ସେ ସଂଗ୍ରାମ ଦ୍ୱନ୍ଦ୍ୱ ତ ମୁଁ ଭୁଲିନି ଭାଉଜ ? ମୁଁ କ’ଣ ତମର ପ୍ରଣୟାସକ୍ତ ? ତମେ ତ ଜାଣିଚ, ସତ୍ୟ କେଉଁଠି ? ପ୍ରବାଳ ପ୍ରାଚୀର କାହିଁକି ସ୍ନେହମୟୀ–ତୋଳିଚ ତମେ ମୋର ବିବାହିତ ଜୀବନରେ ? କି ଦୋଷ ମୁଁ ତମର କରିଛି ? –ଓମେଗା-ରିଷ୍ଟଓ୍ୟାଚ୍‌କୁ ଚାହିଁ ଦେଖିଲା ନଳିନୀକାନ୍ତ–ସାଢ଼େବାର । ତଥାପି ଭାବନାର ଶେଷ ନାଇଁ ।

 

ଭାବନା କ’ଣ ସରିବ ? କି ଭୁଲ୍‌ କରିଥିଲେ ନଳିନୀକାନ୍ତ, କାହିଁକି ସେ ତାଙ୍କୁ ଏ ଦଣ୍ଡ ଦେଇଚି । ଭାବି ଚାଲିଛି ତିଳ । କୋଳରେ ତାର ପାଞ୍ଚ ମାସର ଛୁଆ । ଶାଶୁ ସର୍ବଦା ଅସନ୍ତୁଷ୍ଟ । କହନ୍ତି–ପିଲାପୁଅ ମୋର କେଉଁ ଦୁରାନ୍ତରେ–ପର୍ବ ପୁନିଅଁରେ ତାଙ୍କ ଆଖିରେ ଲୁହ । କେବେ ତ ଚରିତ୍ରହୀନ ନଥିଲେ ନଳିନୀକାନ୍ତ ! ସର୍ବଦା ସମ୍ମାନର ଆସନ ସେ ଦେଇ ଆସିଛନ୍ତି । କାହିଁକି ଯୁବକ ଜୀବନରେ ସେ ହୋଇଛି ଧୂମକେତୁ ? କେଉଁ ମନ୍ଦବେଳାରେ ସେ ଆସିଥିଲେ କେଜାଣି ? ମୁଁ ତ ଦୋଷମୁକ୍ତା ନୁହଁ । କେତନର ମଧୁର ପରଶ ଏବେ ବି ମୋତେ ବ୍ୟାକୁଳ କରେ । ଯଦି ବା ନଳିନୀକାନ୍ତ ଆସିଥିଲେ–ସେଇ ଉଦ୍ଦେଶ୍ୟ ନେଇ–ମନ ଖୁସି କରି ଫେରି ଥାଆନ୍ତେ ? ବାଧା ଦେଲା ସେ କାହିଁକି ? ତଥାପି ସେ କ’ଣ ଠିକ୍‌ କରିଛି ?–ହଁ,ହଁ ସେ ତ ଦୁନିଆ ଆଖିରେ ନିଜକୁ ଛୋଟ କରି ଦେଇନି । ସେ ନାରୀ-ସହାନୁଭୂତିର ପାତ୍ରୀ । ପୁରୁଷ ଅସ୍ଥିର । ସେ ଯାହା କରିଛି–ଠିକ୍‌ କରିଚି । ନିଜର ଉଦ୍ଭଟ ଟିପ୍‍ପଣୀ ଦେଇ ବସୁଚନ୍ତି ସୁନ୍ଦରୀ ପୁରନାରୀ ତିଳୋତ୍ତମା !

 

‘‘ସମସ୍ତେ କହନ୍ତି ନଳିନୀକାନ୍ତ ଦୋଷୀ । କିନ୍ତୁ ମାତାଲ୍‌ ନଳିନୀ କ’ଣ ଏତେ ବଡ଼ ହାତୀଅନ୍ଧ ଡେଇଁ ପାରିବ ? ପୁରୁଷ ଗୁଡ଼ାକ କୁଆଡ଼େ ସୁଯୋଗ ପାଇଲେ ମନର ବିକାରକୁ ରୂପ ଦିଅନ୍ତି । ନାରୀ କଣ ରୂପ ଦିଏନି । ମାତାଲ୍‌ ନଳିନୀକୁ ସେଦିନ ଯେ ଦେଖିଛି ସେ କହିବ–ଦୋଷ ପଛେ ଆଉ କାର ହେଉ–ଏ ଦୋଷ ତାର, କିନ୍ତୁ ତାର ନୁହେଁ ? ଅବସ୍ଥାର ଚାପରେ ଯଦି ଦୋଷୀ ବୋଲି ସେ ସାବ୍ୟସ୍ତ ହୁଏ–ତିଳ କଣ ସେପରି ଦୋଷୀ ନୁହେଁ । ଭୋକିଲା ଦେହ ନେଇ ଚରିତ୍ରର ଏ ଆସ୍ଫାଳନ କିଏ କରିବ ।’’ ମଧୁ ଚିଠି ଲେଖିଚି ।

 

ଯେ ଯାହା କହୁ, ସେ କ’ଣ କରିବ ? ନଳିନୀ ମନୁଷ୍ୟ । ପୁରୁଷର ହୃଦୟ ତାର–ପାଷାଣଠାରୁ କଠିନ । ସେ ପୂର୍ବର ନଳିନୀ ହେବ । ଦୁର୍ଦ୍ଦାନ୍ତ ନଳିନୀ–ଯେ ଏ ଦୁନିଆକୁ ସାମାନ୍ୟ ଫୁତ୍କାରରେ ଉଡ଼େଇ ଦବ, ସେଇ ନଳିନୀର ଅବତାର ଗ୍ରହଣ କରିବ ସେ । ମାନ, ଅପମାନ ଆଉ ମାନିବ ନାହିଁ । ଦୁନିଆରେ ତ ତରୁଣୀର ଅଭାବ ନାହିଁ, ସେ ଉପଭୋଗ କରିବ । ତାର ଅତିରିକ୍ତ ନାରୀଭୋଗ ପାଇଁ ଦାୟୀ ହେବ ଆଉ ଜଣେ ନାରୀ । ସେ ସ୍ୱପ୍ନ ଦେଖୁଚି–ସେ ଜିତିଛି । ଗୈରିକ ବସନ ସନ୍ନ୍ୟାସୀ ଜଣେ ତାକୁ କହୁଛନ୍ତି–ତମେ ନିର୍ଦ୍ଦୋଷ ବତ୍ସ–ତମର ତ ଦୋଷ ନାଇଁ । ବମ୍ୱେ ଅଭିମୁଖରେ ତାର ଯାତ୍ରା ଆଜି । ଲାସ୍ୟମୟୀ ଇଣ୍ଡୋନେସିଆକୁ ସେ ବିଦାୟ ଦେଉଛି–ଜଳଯାନର ବୁକୁ ଉପରୁ । ‘‘ଦୋଷ କାହାର’’ ନାମାବଳୀ ସହିତ ମହଣ ମହଣ ମାଲ୍‌ ଭାରତ ମହାସାଗରର ନୀଳ ଜଳରାଶିରେ ସେ ବିସର୍ଜ୍ଜନ କରୁଚି । ନଳିନୀକାନ୍ତ ହସୁଛି । ସେ ହସ ଉପାୟହୀନ ନିର୍ବିକାରର ହସ !

 

ବଳଗଣ୍ଡି–ପୁରୀ

ଜାନୁଆରୀ ୧୯୫୨

Image

 

ଭାବିବାକୁ ଦେଇଗଲା

 

ଦୂର ଦିଗ୍‌ବଳୟରେ ସୂର୍ଯ୍ୟ ବୁଡ଼ିବାକୁ ଆରମ୍ଭ କଲେଣି । ଆନ୍ଧକାର ମାଡ଼ି ଆସିବ ଏଇନେ । ମୁଁ ମଙ୍ଗଳପୁର ହାଟରୁ ଫେରୁଛି । ଇଲେକ୍‌ସନ୍‌ ପ୍ରୋପାଗାଣ୍ଡାରୁ । ଜନତା ଆଗରେ କୀର୍ତ୍ତନ ହେଉଚି ପ୍ରାର୍ଥୀର ଗୁଣାବଳୀ । ପିନ୍ଧିଛି ଗୋଟାଏ ଟ୍ରାଉଜର ଓ ହାଫ୍‌ସାର୍ଟଟିଏ । ଗୋଡ଼ରେ ବାଟାର ବେଦିଙ୍ଗ୍‌ ସ୍ଲିପର । ଜିପ୍‌ ଆସି ସହରରେ ପହଞ୍ଚିଲା । ପୁରୀର ବଡ଼ଦାଣ୍ଡରେ ଡିସେମ୍ବରର ସଞ୍ଜ । ଶୀତ ପଡ଼ିଲାଣି । ମନ ବିକଳରେ ପାଖ ଦୋକାନରୁ ଚା କପେ ଖାଇ ବସିଲି । ଦେହର କଡ଼ୁଆ ଟିକେ ଭାଗିଲା ।

 

ଜିତିବ କିଏ ସେ ଡାକ୍ତର ଦାସ ? ତାରା ପ୍ରତିଦ୍ୱନ୍ଦ୍ୱୀ ଏ ସହରର ଧନପତି । ତଥାପି ଚେଷ୍ଟା ତ ଲାଗିଛି । ନିର୍ବାଚନର ଫଳାଫଳ ହିଁ ଘୋଷଣା କରିବ ଏ ଚେଷ୍ଟାର ପୁରସ୍କାର । ଆମେ ସିନା ଚେଷ୍ଟା କରିବୁ । ଆମେ କେଇଜଣ କ’ଣ ଜନତା ? ଇଲେକ୍‌ସନ୍‌ ପୂର୍ବରୁ ପ୍ରତ୍ୟେକ ଭୋଟର୍‌କୁ ଦେବାକୁ ହେବ ପରିଚୟପତ୍ର । ରାମ ମନୋହର ଲୋହିଆ କାଲି ଆସିବେ । ପାର୍ଟିର ନିର୍ଦ୍ଦେଶ–ସମ୍ବର୍ଦ୍ଧନା ଉଚ୍ଚ ଧରଣର ହେବ । କର୍ମୀମାନଙ୍କୁ କେତେକ କାର୍ଯ୍ୟର ନିର୍ଦ୍ଦେଶ ଦେଇ ବସାକୁ ଫେରିଲି ।

 

ଚାକରକୁ ଚାରୋଟି ଭଙ୍ଗା ପାନର ଆଦେଶ ଦେଇ ଦାର୍ଶନିକ ରସେଲଙ୍କର ‘‘ଆଳସ୍ୟର ପ୍ରଶଂସା’’ ପୁସ୍ତକଟିକୁ ପଢ଼ିବା ଆରମ୍ଭ କଲି । ପୃଷ୍ଠା ପରେ ପୃଷ୍ଠା ପଢ଼ି ଚାଲିଚି । ଶୀତଦିନର ରାତି ମାଡ଼ି ଆସୁଚି । ମୋ ବହିର ସମାପ୍ତି ବି ହୋଇ ଆସୁଚି । ଖାଇବାକୁ ଗଲି । ଖାଇସାରି ମନକୁ ଟିକିଏ ଫୂର୍ତ୍ତି କରିବାକୁ ମୁଁ ଖୋଜୁଛି ଉପାଦାନ । ଆଖି ଆଗରେ ପଡ଼ିଗଲା ଖଣ୍ଡେ ପୁରୁଣା ନିଆଁଖୁଣ୍ଟା । ଓଡ଼ିଶାର ବିଖ୍ୟାତ ହାସ୍ୟରସାତ୍ମକ ପତ୍ରିକା । ପଢ଼ିବାକୁ ଆରମ୍ଭ କଲି–ସେଇ ନିଆଁଖୁଣ୍ଟା-। ସେଥିରେ ସଂପାଦକ ପ୍ରକାଶ କରିଛନ୍ତି କେତେକ ପ୍ରେମ କବିତା । କାରଣ ସ୍ୱରୂପ ହାସ୍ୟରସିକ ସଂପାଦକ ଲେଖିଛନ୍ତି ଯେ ବହୁତ ବନ୍ଧୁଙ୍କର ଅନୁରୋଧ ସେ ଭାଙ୍ଗିପାରି ନାହାନ୍ତି । ବିଭିନ୍ନ ବୃତ୍ତିର ନାଗରିକମାନେ ତାଙ୍କ ପ୍ରିୟାର ରୂପ ବର୍ଣ୍ଣନା କରିଛନ୍ତି । କିଏ ଫଳ ବିଭାଗର କର୍ମଚାରୀ ପ୍ରିୟାର ଚିବୁକରେ ସନ୍ଧାନ କରିଚି ବିଲାତି ବାଇଗଣ ତ କେଉଁ ଗ୍ରୋମୋରଫୁଡ଼୍‌ କର୍ମଚାରୀ ପ୍ରିୟାକୁ ତୁଳନା କରିଛି ‘ରମ୍ବୋରୁ’ ସମ୍ବୋଧନରେ । ସୁନ୍ଦର ! ସୁନ୍ଦର ଏଇ କାଳି କଲମର ମାନସିକ ଅର୍ଚ୍ଚନା । ଧନ୍ୟ ସଂପାଦକ ! ଧନ୍ୟ ତମର ସାଧନା !

 

କିଛି ପୁରସ୍କାର ଦେବ ? ‘‘କାହିଁକି ?”

 

‘‘ପୁରସ୍କାର ଦବନି ?’’ –ପୁନରାବୃତ୍ତି କଲା ନିଜର ବାକ୍ୟକୁ ଜମ୍ବୁ । ମୁଁ ପୁଣି ମୋ ଉତ୍ତରର ପୁନରାବୃତ୍ତି କରି କହିଲି ‘‘କାହିଁକି ?’’ ହଁ ମ ଦବ ତ, ଶୁଣ–ତମ ବାହାଘର କଥା–ଆଜି ପଡ଼ିଥିଲା–ମୁଁ ପରା ଶୁଣିଚି । ଶୁଣିଚ ? ତମେ ପରା ତମର ପାତ୍ରୀକୁ ଦେଖି ସାରିଚ । କଥା ପଦେ କ’ଣ ହେଇନ କି ? –ଭଲ କଥା–ଦିଅ ମୋ ପୁରସ୍କାର !’’

 

ଏତେ ମୁଖବନ୍ଧ କାହିଁକି ଜମ୍ବୁ । ମୁଁ ବିବାହ କରି ମୋର ଛିନ୍ନଛଡ଼ା ଜୀବନରେ ସମାପ୍ତି ଆଣିବିନି ତ । ଜୀବନରେ ବିବାହର ଆବଶ୍ୟକ କ’ଣ ଅଛି ? ସେଦିନ ବିବାହ ପ୍ରସଙ୍ଗରେ ଚିତ୍ର ତାରକା ନରଗୀସ୍‌ ନିଜକୁ ପ୍ରଶ୍ନ କଲେ । ସେ ବିବାହ କରିବେ କାହିଁକି ? ସେ ପ୍ରଶ୍ନର ଉତ୍ତର ସେଇ ‘‘ନିୟୁତହୃଦୟର ଲାଳସା’’ ପୁଣି ନିଜେ ଦେଲେ ।

 

‘‘ମୋର ମୁହୂର୍ତ୍ତେ ହସ–ସାମାନ୍ୟ ଅଙ୍ଗଭଙ୍ଗୀର ବିନିମୟରେ ଲକ୍ଷ ଲକ୍ଷ ଟଙ୍କା ଆସି ଚରଣ ବନ୍ଦନା କରେ’’ ଅଭାବର ସୀମା ସେ ସ୍ପର୍ଶକରି ନାହାନ୍ତି କେବଳ ଏଇ ରୂପଶ୍ରୀ ପାଇଁ । ପୁଣି ତାରକା ନରଗୀସ କହିଲେ ଯେ ‘‘ବିବାହ, ଏଇ ତିନୋଟି ଅକ୍ଷରର ଅନ୍ତରାଳରେ ଯାହା ଲୁକ୍‍କାୟିତ–ମୁଁ ତା ଜାଣେ–ପରୀକ୍ଷା ମଧ୍ୟ କରିଛି । ଲକ୍ଷ ଲକ୍ଷ ଟଙ୍କା ଆଜିର ତରୁଣ, ମୋର କୋଳରେ ଅକାତରରେ ମୋ ତନୁଶ୍ରୀ ପାଇଁ ଢାଳି ଦେଉଛି । ମୁଁ ବିବାହ କରିବି କାହିଁକି ?’’ ପ୍ରଣୟର ସୁନେଲି ସ୍ୱପ୍ନ, ବିବାହର ତେଲଲୁଣ ସଂସାରରେ ଧୂଳିସାତ୍‌ ହେବ ।

 

କିନ୍ତୁ ମୁହଁରେ ହସଖେଳାଇ ଉତ୍ତର କଲି । ‘‘ଜମ୍ବୁ ! ତମେ ଥଟ୍ଟା କରୁଛ ? ବିବାହ ମୋର କ’ଣ ହେବ ? ରାଜନୀତିର ଏଇ ବନ୍ଧୁର ପଥ । ଏଥିରେ ଅଛି ଫୁଲଚନ୍ଦନର ସମ୍ମାନ । ପୁଣି ବି ଅଛି ଗୋବର, ଟେକାର ଅପମାନ । ଏ ଜୀବନ ନେଇ ମୁଁ କି ବାନ୍ଧି ରଖିବି ଏକ ତରୁଣୀକୁ । ତମେ ତ ବିବାହ କରୁନ ଜମ୍ବୁ !’’

 

‘‘ମୋକଥା’’ ଜମ୍ବୁ ଆଖି ଛଳଛଳ ହୋଇଗଲା ।

 

‘‘ମୋ ବିବାହ–ହଁ ଥଟ୍ଟା କରିବନି କାହିଁକି ? କାଣି କଉଡ଼ିଟେ ମୋର ନାହିଁ । ପ୍ରଜାପତିଘଟଣ ହେଉଚି କୁଆଡ଼ୁ ? କିନ୍ତୁ ତମର ଅଭାବ କ’ଣ ? ମୂର୍ଖ ତ ନୁହଁ । ପାଠ ପଢ଼ିଛ–ପଇସାର ଅଭାବ ତ ନାଇଁ !’’

 

‘‘ତେବେ କଣ ଜମ୍ବୁ ! ଯେ ମତେ ବାହା ହବ–ସେ ମୋର ଟଙ୍କା ପଇସା ବା ପାଠ ପଢ଼ାକୁ ବାହାହବ । ମୋର ମଣିଷପଣିଆ ତାର କିଛି ଲୋଡ଼ା ନାଇଁ ନାଁ–ତମେ ବିବ୍ରତ ହୁଅନା ଜମ୍ବୁ ବିବାହ ମୋର ବାସନା ନୁହେଁ–କାମନା ବି ନୁହେଁ ।’’

 

‘‘ମୁଁ ଯାଉଚି ବାବୁ–କିନ୍ତୁ ଶୁଣିଥାଅ–ପାତ୍ରୀଟି ସୁନ୍ଦର–ଗୁଣର । ତମେ ତ ତାକୁ ଦେଖିଚ-?’’

 

ବହି ପଢ଼ାରୁ ମନ ମୋର ଆକର୍ଷିତ ହୋଇଗଲା । ମୁଁ ତ ବିବାହ କରିବି ନାଇଁ । କିନ୍ତୁ ମୋ ନାମରେ ଜଣେ କାହିଁକି ସମାଜରେ ମୁକ୍ତିମଣ୍ଡପରେ ବଳି ପଡ଼ିବ ? କାହିଁକି ? କିଏ ସେ ହତଭାଗିନୀ ? ମୁଁ ପୁଣି କୁଆଡ଼େ ଦେଖିଛି ! କିଏ ସେଇ ତରୁଣୀ ? ବୋଧ ହୁଏ ଜମ୍ବୁର ମୋତେ ପରିହାସ ! ତଥାପି କାହିଁକି ଜଣେ ହତଭାଗିନୀକୁ ମୋ ଉପରେ ଲଦି ଦେଇ ଏ ସମାଜ ନିଶ୍ଚିନ୍ତ ହେବ । ଆଇନଗତ ବେଶ୍ୟା ତାଲିକାରେ ଆଉ ଗୋଟିଏ ନାମ ଯୋଡ଼ିଦେବ । କି ମନୋବୃତ୍ତି ଏ ନିଶାର ? କି ମନୋବୃତ୍ତି ମନୁଷ୍ୟର । ‘‘ବିବାହ ବ୍ୟତୀତ ମଣିଷ କ’ଣ ଚଳି ପାରିବନି ? –ଜମ୍ବୁର ପ୍ରଶ୍ନ ମୋତେ ବିବ୍ରତ କରିଛି । ମୁଁ ସ୍ଥିର ହେବି–’’ ସେଦିନର ଡାଇରୀ ଲେଖା ଶେଷ କଲି । ବନ୍ଦ କରିବାକୁ ଯାଉଚି ହଠାତ୍‌ ଆଖିରେ ପଡ଼ିଲା ଆଉ ଏକ ଦିନର ଡାଇରୀ ।

 

ବୋଉ କହୁଥିଲା–‘‘କେତେଦିନ-ଆଉ ତୁ ଏମିତି ରହିବୁ ? ମୁଁ ବୁଢ଼ୀ ହେଲି–ତଥାପି ହାତରୁ କ’ଣ ହାଣ୍ଡି ଛାଡ଼ିବି ନାଇଁ । ବୋଉର ଆଖିରେ ଲୁହ । ଧୀର କଣ୍ଠରେ ଉତ୍ତରଦେଲି–ବୋଉଲୋ ମୁଁ ତ ତୋର ଏକୋଇର ବଳା ନୁହେଁ । ତୁ କାନ୍ଦୁଛୁ କାହିଁକି ? ଡାଇରୀ ରଖିଦେଇ ବହି ପଢ଼ିବା ଆରମ୍ଭ କଲି । ବାରମ୍ବାର ପଢ଼ୁଥାଏ କେବଳ ସେଇ ଗୋଟିଏ ଧାଡ଼ି । ଆଗେଇବାର ବାଟ କାହିଁ ? ଭାବନା ଯେ ମୁଣ୍ଡ ଭିତରେ ଖେଳୁଚି ।

 

ବସନ୍ତ ଆସିଚି । ବାସନ୍ତୀର ମଳୟ ପରଶରେ ମୁହଁରେ ତାର ହସ । ଚିରନୂତନରେ ସେ ଆନନ୍ଦ । ନଭେଲଟି ତା ଜୀବନର ମଟୋ । ସେ କ’ଣ ଜଣକୁ ନେଇ ସନ୍ତୁଷ୍ଟ ହେବ ? ‘‘ପୂଜାରୀ ତ ଶତ ଶତ...’’ ସେ ବା କାହିଁକି କୁଡ଼ିଆ ରଚନା କରିବ ମୋ ସହିତ । ହସି ଆସିଲା ସ୍ନେହ–ପ୍ରଚ୍ଛନ୍ନ ଆନନ୍ଦତାର । ମୁଁ ତ ଅନୁଭବ କଲି, ମୁଖପଦ୍ମ ତ ନାରୀ ଇତିହାସର ପ୍ରକୃତ ସୂଚୀପତ୍ର ନୁହେଁ । ଏହିପରି ଆସିଲେ ଜଣଙ୍କ ପରେ ଜଣେ । ସମସ୍ତଙ୍କ ସହିତ ଜୀବନର କେତୋଟି ମୁହୂର୍ତ୍ତ ମାତ୍ର କଟିଛି । କିନ୍ତୁ ମୁଁ ତ ଜାଣି ପାରୁନି କିଏ ସେଇ ହତଭାଗିନୀ–ମାନିନେବ ମୋତେ ଜୀବନର ସର୍ବସ୍ୱ ବୋଲି ? ବଳି ହେବ ଜୀବନ ଯଜ୍ଞରେ ?

 

ଶାନ୍ତିସୁଧା ଆସିଚ । ଆସ ବସ ! କ’ଣ ବୁଲିଯିବ ? ଅତୀତର ଜନୈକା ବନ୍ଧୁ ତମେ । ତମର ଦାବିକୁ ମୁଁ କ’ଣ ବେଖାତିର କରିପାରେ ? ଆଗରେ ଅସରନ୍ତି ପଥ । ‘‘ସୁଭଦ୍ରା ସମ ବାହ ହେ ପ୍ରଣୟ ରଥ’’ । ବୁଲି ବୁଲି କ୍ଳାନ୍ତ ବାଟୋଇ ଆମେ–ସବୁଜ ଘାସର ଗାଲିଚାରେ ଆସନ ରଚନା କଲୁ । ମୁଁ ପଚାରିଚି ‘‘ଶାନ୍ତି ! ତମ ଜୀବନରେ ବିବାହ କ’ଣ ସମ୍ଭବ ?’’ କାହିଁକି–ତମର ଏ ପ୍ରଶ୍ନ । ମୁକ୍ତ ଆକାଶର ବିହଙ୍ଗ ମୁଁ । ପଞ୍ଜୁରୀ କଣ ମୋର ସମାଜରେ ବିବାହର ଆଉ ଆବଶ୍ୟକତା ନାଇଁ ମ ! ସେଦିନ ପରା ଆମ କଲେଜ ମକ୍‌ ଆସେମ୍ବ୍ଲିରେ ବିବାହ ପ୍ରସ୍ତାବ ରଦ୍ଦ ହୋଇଗଲା ।

 

ସାବାସ୍‌–

 

ନିଦ ମୋର ଭାଙ୍ଗିଗଲା । କାହିଁ ଶାନ୍ତିସୁଧା । ହାତରୁ ବହିଟା ଖସି ପଡ଼ିଚି । ସତରେ ତାର ବିବାହ କ’ଣ ଦରକାର ? ବୋଉ ଚାହେଁ ବୋହୂ । ତା ହାତରୁ ହାଣ୍ଡି ତାକୁ ଛାଡ଼ୁନି । ସେ କାମ କ’ଣ ପୂଜାରୀ ଚଳାଇ ନବନି କି ? ବୋହୂତ ଖାଇବ ପିଇବ, କିନ୍ତୁ ପୂଜାରୀଠାରୁ ଆଉ କିଛି ଅଧିକ କରିବସିବ । ଘରେ ଦି’ପେଟ ଥିଲେ ଚାରିପେଟ ହେବ । ଅଭାବ ଅନାଟନରେ ଘରେ ଅଶାନ୍ତି ହେବ । ଅଭାବର ବଣ୍ଟନ ! ବୋଉ ମୋର ବୁଢ଼ୀ । ନାତି, ନାତୁଣୀଙ୍କୁ ସେ କାହାଣୀ କହିବ । ଏଇ ତାର ଇଚ୍ଛା ହେଉଥିବ । କିନ୍ତୁ–ତାର ତ ଅନ୍ୟ ପୁଅ ଅଛନ୍ତି । ସେ ମନେକରୁ–ମୁଁ କର୍ଣ୍ଣ–କର୍ଣ୍ଣ ମଲେ ବି ପାଞ୍ଚ ।

 

ପଳାୟନପନ୍ଥୀପରି ମୁଁ ପଦ୍ମଭୁକ୍‌ର ସଂସାରକୁ ଯିବି ନାଇଁ । ରକ୍ତ ମାଂସର ମନୁଷ୍ୟକୁ । କେବେ ଯଦି ରକ୍ତର କ୍ଷୁଧା ମତେ ବିଚଳିତ କରେ–ଏ ଦୁନିଆରେ ନାରୀର ତ ଅଭାବ ନାଇଁ । ସାମୟିକ ସେଇ ଭୋକ–ତା ପାଇଁ ପିଞ୍ଜରାରେ ବାନ୍ଧିରଖିବି ମଇନା ପକ୍ଷୀ ? କି ଲାଭ ତାକୁ ଜୀବନସାରା ପୋଷି ? ତାର ଫରମାସ୍ ଶ୍ୱାନ ଭକ୍ତିରେ ପୁରଣ କରି । ନାରୀ ଅଶାନ୍ତି । ସେ ଚାହେଁ ହତଭାଗା ସ୍ୱାମୀ ମାର୍କାମରା ପୁରୁଷର ଶୋଷଣ । ପୁରୁଷ ଯେବେ ସମର୍ଥ ହୁଏନି ଅଗ୍ନି ଦେବତାଙ୍କ ଆଗରେ ଶପଥକରି ଗ୍ରହଣ କରିଥିବା ସ୍ତ୍ରୀର ଅଭିଳାଷ ପୂର୍ଣ୍ଣପାଇଁ–ସେ ଅନ୍ୟାୟ ପନ୍ଥା ଧରେ । ଚୋରୀକରେ–କିଳାପୋତେଇ କରେ । ଜେଲ ବରଣ କରେ । ତଥାପି କଣ ନାରୀ ସନ୍ତୁଷ୍ଟ । ସେ ଅଗ୍ନି । ସେ ପାଉଁଶ କରିଦିଏ । ପୁରୁଷର ସବୁ ଆଶା, ସବୁ ବାସନା ? ତେଣୁ ସାମୟିକ କ୍ଷୁଧାପାଇଁ ଅର୍ଥ ବିନମୟରେ ସେ ତା କ୍ଷୁଧା କ’ଣ ଦୂର କରିପାରିବ କି ?

 

ଆଜୀବନ ରୋଜଗାର କରି–ସେଇ ଅର୍ଥର ବିନିମୟରେ ସ୍ଵାମୀ ଉପଭୋଗ କରେ ପତ୍ନୀର ଯୌବନ । ସେ ତ ଅର୍ଥର ବିନିମୟରେ ଉପଭୋଗ । ତେଣୁ ଏ ସାମୟିକ ଉପଭୋଗକୁ ନୀତିହୀନ କହିବା କାହିଁକି ? ତେଣୁ ବିବାହକୁ ଆଇନ ବିରୁଦ୍ଧ ବୋଲି ଘୋଷଣା କଲେ କ୍ଷତି କ’ଣ-? ନାରୀ ଆଜି ପୁରୁଷ ସହିତ ସମାନ ଆସନ ନେବାକୁ ଦାବି ପରା କରୁଛି ? ଆନ୍ଦୋଳନ କରୁଛି-। ଜୀବନ ଯୁଦ୍ଧରେ ସେ ପୁରୁଷ ସହିତ ସଂଗ୍ରାମ କରିବ ? ସେ ଡେପୁଟି ହେଉଚି ବିମାନ ଚାଳନା କରୁଚି । କାହିଁକି ତାର ଶିକ୍ଷା ହେବ ଚୁଲି ମୁଣ୍ଡକୁ ? ପରାଧୀନତାର ଜୟଢ଼କ୍‌କା କିଏ ସେ ବଜାଇବ-?

 

ବଂଶରକ୍ଷା ତ ମୋର ଅଭିଳାଷ ନୁହଁ । ଅମରତ୍ତ୍ୱ ପାଇଁ ଏ କ’ଣ ଯୋଜନା ? ଦୁନିଆରେ ନିଜର ଜଣେ ପ୍ରତିନିଧି ରଖି ଅମର କ’ଣ ହେଇ ହବ ? ମାନବ ଜାତି ବଞ୍ଚୁ । ମୋ ଆତ୍ମା ସେଥିରେ ଶାନ୍ତି ପାଇବ ? ମୋର ଏ ବ୍ୟକ୍ତିଗତ ସୁଖରେ କେଉଁ ଲାଭ ଅଛି ଯେ । ଯେଉଁ ଦେଶରେ ହଜାର ହଜାର ନରନାରୀ ବୁଭୁକ୍ଷାର ଯନ୍ତ୍ରଣାରେ ପ୍ରାଣତ୍ୟାଗ କରନ୍ତି, ଶିକ୍ଷାର ଆଲୋକ ଯେଉଁ ଦେଶରେ ଏ ପର୍ଯ୍ୟନ୍ତ କୁସଂସ୍କାର ଅଶିକ୍ଷାର ବୁକୁ ଭେଦ କରି ଉଜ୍ଜ୍ୱଳ ହୋଇ ଜଳିନାହିଁ–ସେ ଦେଶରେ ଅମର ହେବ କିଏ ?

 

ପରଦିନ ସକାଳ–ରବିବାରର ଶାନ୍ତ ପ୍ରଭାତ । ଚା ଖାଇ ସାରି ରବିବାର ପ୍ରଜାତନ୍ତ୍ରଟା ଆଣି ପଢ଼ୁଛି । ଗୋଟିଏ କାହାଣୀ । ଲେଖକ ଲେଖିଛନ୍ତି–ମନୁଷ୍ୟ ଜୀବନର ହା ହୁତାଶ । ଜୀବନ ସଂଗ୍ରାମ ପାଇଁ ମନୁଷ୍ୟର କୋମଳ ବୃତ୍ତି ନଷ୍ଟ ହୋଇଯାଇଛି । ସନ୍ଦେହର ନିଆଁ–ରକ୍ତରେ ଜଳଉଠିଚି । ଏ ସଭ୍ୟତାର ଅଗ୍ରଗତି–ମନୁଷ୍ୟ ମନର ଶାନ୍ତିକୁ ଧ୍ୱଂସ କରିଚି । ଲେଖକ ବନ୍ଧୁ ମରୁଯାତ୍ରୀଙ୍କ ଲେଖନୀରେ ଏ ଯୁଗର ସମସ୍ୟା ଜୀବନ୍ତ ହୋଇଛି ।

 

ଜମ୍ବୁ ଉପସ୍ଥିତ । ସେ କହିଲା–ତମ ଭାବୀ ପତ୍ନୀର ନାମ ତ ଶୁଣିନ ? ଶୁଣିଲେ ତମର ଏ ପଣ ଭାଙ୍ଗିଯିବ ଯେ । ନାରୀର ଯୌବନ କଟୁରୀ ପରା । ସେ କୁଠାର ଘାତ କରିବ ତମର ଟାଣପଣିଆକୁ । ସେଇ ପ୍ରଣୟ ଆଗରେ ଋଷିରାଜ ବିଶ୍ୱାମିତ୍ରଙ୍କ ତପସ୍ୟା ଭାଙ୍ଗି ଯାଇଚି । ଯୋଗୀରାଜ ମହେଶ୍ୱର–ଗୌରୀର ପ୍ରଣୟକୁ କ’ଣ ପ୍ରତ୍ୟାଖ୍ୟାନ କରିପାରିଲେ ?

 

ସେ ବଡ଼ପଣ ମୋର ନାଇଁ ସେ ଜମ୍ବୁ । ମୁଁ ବିବାହ କରିବିନି ବୋଲି କ’ଣ ବ୍ରହ୍ମଚାରୀ ହେବି ? ଚିର ନୂତନରେ ଆନନ୍ଦ ପରା ଥାଏ । ପୃଥିବୀର ତିଳୋତ୍ତମା ସବୁଦିନ ଯଦି ତମ ପାଖେ ପାଖେ ରହନ୍ତି–ତମେ କ’ଣ ଆଉ ଆଗ୍ରହ ପ୍ରକାଶ କରିପାରିବ ? ଜୀବନ ତମକୁ ଖାପ୍‍ଛଡ଼ା ପରି ଲାଗିବ । ତାର ଯୌବନକୁ ତମେ ବାର୍ଦ୍ଧକ୍ୟର ସନ୍ଦେହ କରିବ । ‘‘ସେ ପରା ସୁକାନ୍ତି–ବହୁତ ଟଙ୍କା ତାଙ୍କର ଦେବେ । ତମ ଜୀବନ ସୁଖମୟ ହୋଇଯିବ ବାବୁ–ତମ ଆଗରେ ଯେ ବିରାଟ ଜୀବନ !’’

 

କଣ ତମେ କହୁଚ ଜମ୍ବୁ । ମୁଁ ବାହାହେବି ସୁକାନ୍ତିକୁ–ନାଁ ତାର ଅର୍ଥକୁ । ପ୍ରଲୋଭନ ମତେ ପ୍ରଲୁବ୍‍ଧ କରିପାରିନି ତ ଏଯାଏ । ମୁଁ କ’ଣ ଏଡ଼େ ନୀଚ ? ମୋ ହୃଦୟରେ ଯଥେଷ୍ଟ ଶକ୍ତି ବିଶ୍ୱନିୟନ୍ତା ଦେଇଛନ୍ତି ଯେ । ମୁଁ ରିକ୍‍ସା ଟାଣି କଣ ପେଟ ପୋଷି ପାରିବି ନାଇଁ । ମୋ ହାତରେ ଯଥେଷ୍ଟ ବଳ ଅଛି ଯେ ।

 

‘‘ହଉ ଦେଖିବା–ମୁଁ ମରିଯାଉନି ମ ।’’ ଜମ୍ବୁ ଚାଲିଗଲା । ଭାବିବାକୁ ଦେଇଗଲା । ବିଷୟବସ୍ତୁ–ସୁକାନ୍ତି । ସେ କ’ଣ ସତରେ ମୋର ସହଧର୍ମିଣୀ ହେବ ? ତାର ଯୌବନକୁ ସବୁଦିନ ପାଇଁ ମୋ ନିକଟରେ ବଳି ଦେଇପାରିବ ସେ ? ପୁଣି ମୁଁ ତାର ପାଣିଗ୍ରହଣ କରିବି । ପ୍ରଲୋଭନ ଅର୍ଥ । ଅର୍ଥର ଦାସତ୍ୱ ସ୍ୱୀକାର କଲେ ମଣିଷପଣିଆ ମୋର କମିଯିବ ସିନା–ବଢ଼ିବ ତ ନାହିଁ । ଥୋକାଏ ତ ଏଇ ଅର୍ଥକୁ ହାତର ମଇଳାବୋଲି କହି ବେଖାତିର କରନ୍ତି । ସେମାନେ ତ ପୁଣି ଜୀବନଯାପନ କରୁଛନ୍ତି ।’’ ଦୁଃଖେ ଯାହାର ଜୀବନ ଗଢ଼ା–ତାର ଆଉ ଦୁଃଖ କାହିଁକି ? ‘‘–କବିଗୁରୁଙ୍କର ଏ ନୀତିବାଣୀକୁ ସ୍ମରଣ କଲେ ମନରେ ବଳ ତ ଆସୁଚି । ଏ ମନର ଦୁଃଖ ତ ମନର ଏକ ଅବସ୍ଥା । ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ–ଧୋବଣୀ ହାତରୁ ମଣ୍ଡା ତ ଖାଇଲେ–ବଣିଆ ଦୋକାନରେ ତରଳ ସୁନା ପିଇବେ ନାଇଁ କାହିଁକି ? ସୁଖ ତ ଆମେ ଉପଭୋଗ କରିବୁ–ଆଉ ଦୁଃଖ–ତା ବି ଆମକୁ ଭେଗ କରିବାକୁ ହେବ । କିନ୍ତୁ ଅର୍ଥ ପାଖରେ ବନ୍ଦୀ ମୁଁ ତ ହୋଇ ପାରିବିନି ।

 

ସୁକାନ୍ତି । କି ସୁନ୍ଦର ଏ ନାମାବଳୀ । ମୁଁ ତ ତଥାପି ତାକୁ ବିବାହ କରି ପାରିବିନି । ଯାହାହଉ ସେ ଏକ ନାରୀ । ସେ ବି ଆତୁର କଣ୍ଠରେ ଦାବି କରିବ–ମୋର ଜୀବନ । ତେଣୁ ମୁଁ କ’ଣ ବିବାହ କରି ଆତ୍ମହତ୍ୟା କରିବି । ନାଁ-ନାଁ–ଏଇ କ’ଣ ମୋର ଶିକ୍ଷାର ଫଳ ।

 

ବାହାରେ ଅବିରତ ବର୍ଷାଧାର ।

 

ମନରେ ମୋର ଝଡ଼ ।

 

ବଳଗଣ୍ଡି–ପୁରୀ

ଅକ୍ଟୋବର ୧୯୫୨

Image

 

–ହାଇଫେନ୍‌–

 

ଆଚ୍ଛା କହିଲ–ତମର ତ ଏତେ ଜାଣିବାର ଶକ୍ତି ଅଛି । ତମେ କଣ ଏ ଗାଁରେ ସମସ୍ତଙ୍କ କଥା ଜାଣି, ସାରିଚ । ତମେ ତ କୁଆଡ଼େ କହି ହଉଛ–ସବୁ ଜାଣିଚ । କିଅଣ ବା ତମେ ଜାଣିଛ ମ-? ହଁ, ତମେ କହିପାର ମାହାର୍ଦ୍ଦ ଆଉ ବିନ କଥା । ମୁଁ ବି ଜାଣେ ସେମାନେ ସେମିତି-। କିନ୍ତୁ କହିପାରିବକି ତମେ, ମୋ ବିଷୟରେ, ମାଳତୀଙ୍କ ବିଷୟରେ ବା ସଙ୍ଗାତଙ୍କ ବିଷୟରେ । ତମକୁ ମୁଁ ଚାଲେଞ୍ଜ କରୁଛି । ମୁଁ ଜାଣେ ତମେ କିଛି କହିପାରିବନି । ଆମେ ଆମ ବିଷୟରେ ନିହାତି ସାବଧାନ ଓ ସେପରି କିଛି କରିନାହୁଁ ।

 

ତାର ଉତ୍ତରରେ ମୁଁ ଏତିକି କହିରଖେ–ଶୁଣ ସ୍ୱପ୍ନା–ଆଜିକାଲିର କେହି କିଶୋରୀ ତା ବୁକୁରେ ହାତ ରଖି ଏଡ଼େ ବଡ଼ ଚାଲେଞ୍ଜ କରିପାରେନା । ଯେ ସେପରି କରେ–ମୁଁ ମନେକରେ ସେ ଛଳନା କରୁଚି–ମୁହଁ ଫୁଟାଣି କରୁଛି । ଚୋରର ମୁହଁ ଟାଣ । ତମ ବିଷୟରେ ମୁଁ ତମ ସମ୍ମୁଖରେ କହିବି କାହିଁକି ? ତମ ମୋ ଭିତରେ କୌଣସି ଗୋଳମାଳ ତ ମୁଁ ଚାହୁଁନି । ନିଜ ବିରୁଦ୍ଧରେ କୌଣସି କଥା ବ୍ରହ୍ମା ମଧ୍ୟ ସହ ପାରନ୍ତି ନାଇଁ । ତମର ଦୋଷ ଅଛି କି ଗୁଣ ଅଛି–ଅନ୍ୟମାନେ ଆଶଙ୍କା କରିବେ–କଳ୍ପନା କରିବେ । କିନ୍ତୁ ତମେ ତ ତମ ବିଷୟରେ ସବ୍‍ଜାନତା । ତମେ ମୋର ଘନିଷ୍ଠ ସଂପର୍କରେ ଆସିଚ–କ୍ଷମା କରିବ ସ୍ୱପ୍ନା–ମୁଁ ତମ ବିଷୟ ବା ତମର ବଂଧୁମାନଙ୍କ ବିଷୟରେ କିଛି କହିବି ନାହିଁ । ଘଟଣାଚକ୍ରରେ ଦର୍ପଣର ପ୍ରତିବିମ୍ବ ପରି ତମେ ସବୁ ଜାଣିପାରିବ । ସେତେବେଳେ ମତେ ମନେ କରିବ ସ୍ଵପ୍ନା–ଏ ମାଟିର କୀଟର ଉକ୍ତି–ଦିବାଲୋକ ପରି ସ୍ପଷ୍ଟ ହୋଇ ଉଠିବ ।

 

‘‘କାହିଁକି କହୁନା ? ଶୁଣିବା ମ ଟିକିଏ ? ବକ୍ତୃତା କଲେ ମୁଁ କ’ଣ କରିବି ?”

 

ବକ୍ତୃତା ନୁହେଁ ସ୍ଵପ୍ନା–ଏ ମୋର ମନର କଳ୍ପନା–ଭାଷାରେ ମୁଁ କେବଳ ରୂପ ଦେଉଛି ମାତ୍ର । ତମେ ଏହାକୁ ନିର୍ବାଚନ ସଭାର ଜଣେ ଉପସ୍ଥିତ ନାଗରିକା ଭାବରେ ଗ୍ରହଣ ନ କଲେ ରକ୍ଷା । ଦିନ ଆସିବ–ତମେ ବୁଝିବ ।

 

ସେ ଦିନ ରାତି ମୁଣ୍ଡ ଘୁରାଉଥିବାରୁ ଶୋଇଚି ସେ । ଜୀବନର ସୁନେଲି ଉଷା । ମନ ଚାହୁଁଚି ଉପଭୋଗ କରିବ ଏ ଦୁନିଆ । ଉଦ୍ଭଟ ପରିକଳ୍ପନା ମନ ସାଙ୍ଗରେ ସଉତୁଣୀର ବାଦ ସାଧୁଛି । ଉଷା ଆସୁଚି–ରଜନୀ ଚାଲି ଯାଉଚି । ଦିବା ରଜନୀର ଏଇ ଯେଉଁ ସନ୍ଧି–ସେ ସନ୍ଧିର ଅସ୍ପଷ୍ଟ ଲଗ୍ନରେ ସେ ବିବ୍ରତ । କ’ଣ କରିବ ? ଆଗରେ ତାର ଚଉଖୁଣ୍ଟିଆ ଛକ । ସେ ଯିବ କୁଆଡ଼େ ? କୁମାରୀ ଜୀବନର ଏଇ ସନ୍ଧି ବେଳାରେ ଦେଖାହେଲେ ବହୁତ । ଚପଳ କିଶୋର ସେମାନେ । ଦୁନିଆକୁ ଗୋଲାପର ଶେଯ ବୋଲି ମନେ କରନ୍ତି । ଜୀବଜନ୍ତୁର ବିକାର ତାଙ୍କ ବୁକୁରେ ଆଣିଚି ପୁଲକ । ଲାଲ୍‌ ଗୋଲାପ ସେମାନେ ଖୋଜନ୍ତି ।

 

ଏଇ ନୂତନ ପୁଲକରେ ବାଧାଦିଏ ସମାଜ । ଗଣତନ୍ତ୍ର ରାଷ୍ଟ୍ରରେ ବେଆଇନ୍ ଦଳ ଅଣ୍ଡର ଗ୍ରାଉଣ୍ଡରେ କାର୍ଯ୍ୟ ପରିଚାଳନା କଲାପରି ଏମାନେ ଲୋକଲୋଚନର ଅଗୋଚରରେ କଳ୍ପନାକୁ ବାସ୍ତବ କରନ୍ତି । ନିଭୃତରେ କଳ୍ପନା କରନ୍ତି । ସମାଜ ବାଧା ଦେଉଛି କାହିଁକି ? ଏପରି ମାନସିକ ଢକ୍‌କା ଓ ଅବସାଦ କଣ ଦିନେ ସେମାନଙ୍କୁ ବିବ୍ରତ କରିନି । ଯଦି ଏହା ଖରାପ–ସମସ୍ତେ କାହିଁକି ଏ ପରଶର କଳ୍ପନାରେ ବିଭୋର । ଶାସ୍ତ୍ର, ପୁରାଣ, ‘ମରଣଂ ବିନ୍ଦୁପାତେନ’ ବୋଲି ଜଳଦ ଗମ୍ଭୀର ସ୍ୱରରେ ଚିତ୍କାର କରୁଛି । କିନ୍ତୁ ଆନନ୍ଦ, ରୋମାଞ୍ଚ ସେଇଠି କାହିଁକି ଲୁଚୁକାଳି ଖେଳୁଚି ।

 

ସୁନ୍ଦର ! ସୁନ୍ଦର ଏଇ ରଞ୍ଜନ ! ଗୋରା ଦେହ । ବାସ୍ତବିକ୍‍ ମିସ୍ ମେୟୋ ଜୀବନର ଶେଷ ବସନ୍ତରେ ଶିବଲିଙ୍ଗ ଦେଖି କାମାସକ୍ତ ହେବାର କଥା । ରଞ୍ଜନକୁ ଦେଖିତ କୁମାରୀ, ତରୁଣୀ, ବିବାହିତା ସମସ୍ତେ କାମାସକ୍ତା ହେଉଛନ୍ତି । କାହିଁକି ? ସୌନ୍ଦର୍ଯ୍ୟ କ’ଣ ପ୍ରେମର ଆଧାର-? ଅସୁନ୍ଦର କ’ଣ ପ୍ରେମ କରିବ ନାଇଁ ? କଳାଚମରେ କ’ଣ ପ୍ରଣୟର ସ୍ପନ୍ଦନ ହେବ ନାହିଁ-? ରଞ୍ଜନ–ମଣିଷମରା ଚାହାଣୀ ତମର । ଅଗ୍ରଜର ସମ୍ମାନ ତମକୁ ମୁଁ ଦିଏ । କିନ୍ତୁ କ’ଣ କରିବି-? ମନର ଏ ଚିତ୍କାର ମୁଁ ସମ୍ଭାଳି ପାରୁନି । ତମେ ମୋତେ ରକ୍ଷାକର ରଞ୍ଜନ ।

 

ଏଡ଼େ ସୁନ୍ଦର ମାନବ ଜୀବନ | ଏଇ ଜୀବନକୁ ହତାଦର କରି ଦାର୍ଶନିକ ଚାହେଁ ନିର୍ଜ୍ଜନତା–ଯୋଗୀ କଉପୁନୀ ମାରେ । ହେ ଟାଗୋର । ତମେଇ ବୁଝିଥିଲ ପ୍ରାଣର ଏ ରୋମାଞ୍ଚ । ତମେଇ ଲେଖିଗଲ –‘‘ମରିବା ଚାହୁନି ମନ ଏଇ ସୁନ୍ଦର ଭୁବନେ’’ –ମାନବ ସମାଜେ ସନା ବଞ୍ଚିବାକୁ ଚାହେଁ । ଏ ଆଖୁରସର ମିଠା ମୋ ପାଟିରୁ ଛାଡ଼ୁନି, କବି । ସମାଜ ମୋ ଆଗରେ ଏକ ମେଘନାଦର ପାଚେରୀ ।

 

‘‘ଅକାଳେ ସକାଳେ ଏ ନୁଖୁରା ସିନିହ କାହିଁକି ଲୋ ? ତୁ ତ ଦାର୍ଶନିକ । ଖେଳିବାରୁ କହିଲେ ନାଇଁ–ବୁଲିବାକୁ ନାଇଁ –ଆଉ କ’ଣ କରିବୁ ?’’-‘‘ନାଇଁ ଯେ ମହାର୍ବ୍ଦ -କ’ଣ କହୁଛି କି-ଏ ରଞ୍ଜନ ମ–ତାକୁ କେମିତି ପାଲରେ ପକାନ୍ତେନି । ମୁଁ ଚାହୁଁଛି ଥରେ ତାର ଚୁମ୍ବନ–’’

 

‘‘ଏ ମା, କି କଥା କହୁଲୋ ତୁ–ଆମେ କ’ଣ ଡାହାଣୀ କି ? ଶୁଣିଲେ କିଏ କ’ଣ କହିବ-?’’ ‘‘କହିଲେ କହୁ ମ–ତୁ ତ କାନିରେ ଫାଶ କରି ଧରି ସାରିଲୁଣି–ଆମେ ସରୁ ଜାଣୁମ–ଖାଇଲା ପୁଅଝିଅ ତ ବେଶୀ ରଙ୍କ ।’’

 

କେଉଁ କାଳିଦାସୀୟ ଯୁଗରେ ସିନା–ଯକ୍ଷ ମେଘଦୂତ ହୋଇ ପ୍ରିୟା ପାଖକୁ ପ୍ରଣୟ ସମାଚାର ବହନ କରି ନେଇଥିଲା, ତୁ ତ ଏ ଯୁଗର ଅଭିସାରିକା ସ୍ୱପ୍ନା-ଦୂତ ତୋର ଅସୀମ–କିନ୍ତୁ ସାବଧାନ ବନ୍ଧୁ–ରଞ୍ଜନ କିଣା କୃଷ୍ଣ ନୁହେଁ ମ । ଗୋଡ଼ାଇ ଆସିବନି ସବୁବେଳେ । ହାତରୁ ଛାଡ଼ି ଦବୁନି କେବେ ?

 

ସାମୟିକ ଉତ୍ତେଜନାରେ କଣ କରିଛି ସ୍ୱପ୍ନା । ହିତାହିତର ଜ୍ଞାନ ତାର କ’ଣ ଆଉ ନାଇଁ-? ମନ–ଦର୍ପଣରେ ତାର ନାଚିଯାଉଚି–ରଞ୍ଜନ । ତେବେ କଣ ସମସ୍ତେ ଏଇଆ । ରଞ୍ଜନକୁ ସେ ଦିନ ସେ ଚାଲେଞ୍ଜ କରିଥିଲା । କାହିଁ ତାର ଦମ୍ଭ । ସତରେ କଣ ଆଜିର କୁମାରୀ ଦମ୍ଭରେ କହିପାରିବ ନାଇଁ ଯେ ସେ ସତୀ ? କଳଙ୍କର ଦାଗ ତାଠି ପଡ଼ିନାଇଁ ।

 

‘‘ତମ ଶ୍ରୀହସ୍ତରୁ ମିଳିଲେ–ଚା’କଣ–ଜହର କଠେ ଖାଇଦେବି ସ୍ୱପ୍ନା–ତେଣୁ ମୋତେ ତମେ ପ୍ରଶ୍ନ କରୁଚ କାହିଁକି ! ରଞ୍ଜନର ଏ ଉତ୍ତରରେ ଚହଲିଉଠିଚି ସେ । ତଥାପି ଚା’କପେ ଦେଉ ଦେଉ–ନିଜର ଦୁର୍ବଳତାକୁ ଲୁଚାଇ-ସେ ପ୍ରଶ୍ନକରିଛି–‘‘ହେ ରଞ୍ଜନ–ଦେଲ ତମେ ମୋ ଚାଲେଞ୍ଜର ଉତ୍ତର । କାହିଁକି ତମେ ଅନୂଢ଼ା କୁମାରୀଙ୍କ ବିଷୟରେ ଚିନ୍ତା କରିବ କହିଲ ? ‘‘ମୋତେ ତମେ ବାଧ୍ୟ କରନା ସୁନ୍ଦରୀ ! ମୁଁ ଅକ୍ଷମ–ଆମ ଭିତରେ ଗୋଟିଏ ହାଇଫେନ୍‌–ତମେ କ’ଣ ପସନ୍ଦ କରୁଚ-?’’ ‘‘ନାଇଁ ଯେ, ତଥାପି ଜାଣିବାକୁ ଚାହୁଁଛି, କିଛି ସତରେ କ’ଣ ପ୍ରମାଣ ଅଛି ?’’

 

‘‘ବିନା ପ୍ରମାଣରେ କିଛି କୁହାଯାଏ କି ସ୍ୱପ୍ନ ?

 

‘‘ଡେବେ କୁହନା ?’’

 

ଏତେ ବ୍ୟସ୍ତ ହୁଅନି ସ୍ଵପ୍ନା । ସମୟ ସବୁ ପ୍ରମାଣ ପ୍ରତିଷ୍ଠା କରିବ । ତମରି ପ୍ରଶ୍ନର ଉତ୍ତର ତମେ ଦେଖିବ–ଆସନ୍ତା ସଂଖ୍ୟା ‘ଶଙ୍ଖର’ ‘‘ପଦ୍ମା ବିଳାସ’’ କାହାଣୀରେ ।

 

ଆଠଗଡ଼

୨୧ । ୧୦ । ୧୯୫୧

Image